ଆଂଟିଗୁଆ: ଦକ୍ଷିଣ ଆଫ୍ରିକା ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଆୟୋଜକ ୱେଷ୍ଟଇଣ୍ଡିଜକୁ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକା ୩ ୱିକେଟରେ ପରାସ୍ତ କରିଛି । ୧୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା ସେମିକୁ ଉନ୍ନୀତ ହୋଇଛି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଆଜି ପର୍ଯ୍ୟନ୍ତ କୌଣସି ଆୟୋଜକ ଟିମ ଟାଇଟଲ ହାସଲ କରିପାରି ନାହିଁ । ଚଳିତ ସଂସ୍କରଣରେ କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ରେକର୍ଡ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୮ ୱିକେଟ ହରାଇ ୧୩୫ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୨ ଓଭରରେ ୨ ୱିକେଟ ହରାଇ ୧୫ ରନ କରିଥିବା ବେଳେ ବର୍ଷା ହୋଇଥିଲା ।
ପରେ ୧୭ ଓଭରରେ ୧୨୩ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖା ଯାଇଥିଲା । କେହି ବଡ ସ୍କୋର କରି ନ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳଗତ ପ୍ରଦର୍ଶନ କରି ମ୍ୟାଚରେ ବିଜୟ ହାସଲ କରିଥିଲା । ପ୍ରଥମ ଥର ପାଇଁ ଆଇସିସି ଇଭେଂଟରେ ବର୍ଷା ଦକ୍ଷିଣ ଆଫ୍ରିକା ପାଇଁ ଅଭିଶାପ ସାବ୍ୟସ୍ତ ହୋଇନି । ଅନ୍ୟ ଏକ ମ୍ୟାଚରେ ଇଂଲଣ୍ଡ ୧୦ ୱିକେଟରେ ଆମେରିକାକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଥିଲା । କ୍ରିସ ଜୋର୍ଡାନ ଏହି ମ୍ୟାଚରେ ହ୍ୟାଟ୍ରିକ ୱିକେଟ ଅର୍ଜନ କରିଥିଲେ ।
Comments are closed.