ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ୨୭୧ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୭.୨ ଓଭରରେ ୯ ୱିକେଟ ହରାଇ ହାସଲ କରିଥିଲେ । ଆଇଡେନ ମାର୍କରାମ ୯୧ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ସେ ଆଉଟ ହେବା ପରେ ପାକିସ୍ତାନ ଟିମ ନାଟକୀୟ ଢ଼ଙ୍ଗରେ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲେ । ଶେଷ ୱିକେଟରେ ୧୧ ରନ କରିବାକୁ ଦକ୍ଷିଣ ଆଫ୍ରିକା ଟିମ ବେଶ ସଂଘର୍ଷ କରିଥିଲା । ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ହ୍ୟାରିଶ ରୌଫ, ମହମ୍ମଦ ୱାସିମ ଓ ଉସମ ମୀର ୨ଟି ଲେଖାଁଏ ୱିକେଟ ନେଇଥିଲେ ।
ଟାବ୍ରେଜ ଶମସାଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୬.୪ ଓଭରରେ ୨୭୦ ରନ କରି ଅଲଆଉଟ ହୋଇ ଯାଇଥିଲେ । ଅଧିନାୟକ ବାବର ଆଜମ ୫୦ ଓ ସୌଦ ଶକୀଲ ୫୨ ରନର ଇନିଂସ ଖେଳିଥିଲେ । ଶଦାବ ଖାଁ ଦ୍ରୁତ ୪୩ ରନ କରିଥିଲେ । ପାକିସ୍ତାନ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ ।
ଦକ୍ଷିଣ ଆଫ୍ରିକା ତରଫରୁ ଟାବ୍ରେଜ ଶମସାଇ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କୋ ଜାନେସନ ୩ଟି, ଗେରାଲ୍ଡ କୋଏଟଜି ୨ଟି ଓ ଲୁଙ୍ଗି ନାଗିଡି ଗୋଟିଏ ୱିକେଟ ନେଇଥିଲେ । ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ପାକିସ୍ତାନ ୬ଟି ମ୍ୟାଚରୁ ୪ ପଂଏଟ ହାସଲ କରି ଅସୁବିଧାରେ ପଡିଯାଇଛି । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚରେ ୧୦ ପଂଏଟ ହାସଲ କରି ଭଲ ସ୍ଥିତିରେ ରହିଛି । ଦଳ ଏବେ ସେମିଫାଇନାଲ ପ୍ରବେଶ ନେଇ ଉଦ୍ୟମ କରିବ ।
Comments are closed.