ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଦକ୍ଷିଣ ଆଫ୍ରିକା ୧୩୪ ରନରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଦକ୍ଷିଣ ୨ଟି ମ୍ୟାଚରେ ବିଜୟୀ ହୋଇଛି । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପରାଜିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଦତ ୩୧୨ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୦.୫ ଓଭରରେ ୧୭୭ ରନ କରି ଅଲଆଉଟ ହୋଇ ଯାଇଥିଲା । କ୍ୱିଂଟନ ଡିକକଙ୍କ ଶତକ ପରେ ଦକ୍ଷିଣ ଆଫ୍ରିକା ବୋଲରମାନେ ମଧ୍ୟ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲେ । କାଗିସୋ ରାବାଡା ୩ଟି ୱିକେଟ ନେଇଥିବା ବେଳେ ମାର୍କୋ ଜାନସେନ, କେଶବ ମହାରାଜା ଓ ଟାବ୍ରେଜ ସାମସୀ ୨ଟି ଲେଖାଁଲଏ ୱିକେଟ ଅକ୍ତିଆର କରିଥିଲେ । ମାର୍ନସ ଲାବୁସେନ ସର୍ବାଧିକ ୪୬ ରନ କରିଥିଲେ । ଶେଷ ଭାଗରେ ମିଚେଲ ଷ୍ଟାର୍କ ଓ ପ୍ୟାଟ କୁମିନ୍ସ ଯଥାକ୍ରମେ ୨୭ ଓ ୨୨ ରନ କରିବା ଫଳରେ ଅଷ୍ଟ୍ରେଲିଆ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା କ୍ୱିଂଟନ ଡି କକଙ୍କ ୧୦୯ ରନ ସହାୟତାରେ ଦକ୍ଷିଣ ଆଫ୍ରିକା ୭ ୱିକେଟ ବିନିମୟରେ ୩୧୧ ରନ ସଂଗ୍ରହ କରିଥିଲା । ଡି କକ ୧୦୯ ରନର ଇନିଂସ ଖେଳିଥିଲେ । ଟେମ୍ବା ବାଭୁମା ୩୫ ଓ ଆଇଡେନ ମାର୍କରାମ ୫୬ ରନ କରିଥିଲେ । ଏକଦା ଦକ୍ଷିଣ ଆଫ୍ରିକା ୩୫୦ରୁ ଊର୍ଦ୍ଧ୍ୱ ରନ କରିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ଭଲ ବୋଲିଂ ଯୋଗୁ ଏହା ସମ୍ଭବପର ହୋଇ ନ ଥିଲା । କ୍ୱିଂଟନ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଶତକ ମାରିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ସେ ଶତକ ହାସଲ କରିଥିଲେ । ମିଚେଲ ଷ୍ଟାର୍କ ଓ ଗ୍ଲେନ ମ୍ୟାକ୍ସୱେଲ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜୋସ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ଆଡାମ ଜାମ୍ପା ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।
Comments are closed.