ୱାଙ୍ଖେଡ: ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ୧୪୯ ରନରେ ଶୋଚନୀୟ ଭାବେ ବାଂଲାଦେଶକୁ ପରାସ୍ତ କରିଛି । କ୍ୱିଂଟନ ଡିକକ ଓ ହେନରୀ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରମାନେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲେ । ୩୮୩ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୬.୪ ଓଭରରେ ୨୩୩ ରନ କର ଅଲଆଉଟ ହୋଇ ଯାଇଥିଲା । ମହମ୍ମୁଦାଲ୍ଲା ଏକାକୀ ସଂଘର୍ଷ କରି ଆକର୍ଷଣୀୟ ଶତକ ହାସଲ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଏହା କେବଳ ଦକ୍ଷିଣ ଆଫ୍ରିକା ବିଜୟରେ ବିଳମ୍ବ ଘଟାଇଥିଲା ।
ମହମ୍ମୁଦାଲ୍ଲା ୧୧୧ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଟନ ଦାସ ୨୨ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଏଟଜୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ବିଜୟ ସହ ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚରୁ ୮ ପଂଏଟ ହାସଲ କରି ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶାକୁ ମଜଭୁତ କରିଛି ।
ପୂର୍ବରୁ ଡିକକଙ୍କ ବିସ୍ଫୋରକ ଶତକ ଏବଂ ହେନରିକ କ୍ଲାସେନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ୫ ୱିକେଟ ବିନିମୟରେ ୩୮୨ ରନ ସଂଗ୍ରହ କରିଥିଲା । ଡି କକ ୧୪୦ ବଲରେ ୧୫ ଚୌକା ଓ ୭ ଛକା ସହାୟତାରେ ୧୭୪ ରନ କରିଥିବା ବେଳେ କ୍ଲାସେନ ୪୯ ବଲରେ ୨ ଚୌକା ଓ ୮ଛକା ବଳରେ ୯୦ ରନ କରି ଶତକ ହାସଲରୁ ବଂଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଡେନ ମାର୍କରାମ ୬୦ ଓ ଡେଭିଡ ମିଲର ୩୪ ରନ କରି ନଟଆଉଟ ରହିଥିଲେ । ବାଂଲାଦେଶ ପକ୍ଷରୁ ହାସନ ମେହମୁଦ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଶେଷ ୧୦ ଓଭରରେ ଦକ୍ଷିଣ ଆଫ୍ରିକା ୧୪୪ ରନ ସଂଗ୍ରହ କରିଥିଲା ।
Comments are closed.