Latest Odisha News

BREAKING NEWS

ପାଣ୍ଠି ଆବଣ୍ଟନରେ କେନ୍ଦ୍ରର ପକ୍ଷପାତିତା ବିରୋଧରେ ଦିଲ୍ଲୀରେ ଦକ୍ଷିଣ ରାଜ୍ୟଗୁଡ଼ିକର ବିକ୍ଷୋଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ପାଣ୍ଠି ଆବଣ୍ଟନରେ ଭେଦଭାବ ଓ ଅବହେଳା ଅଭିଯୋଗରେ ଦକ୍ଷିଣାଞ୍ଚଳ ରାଜ୍ୟ କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ଗୁରୁବାର ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସ୍ୱାୟତ୍ତତାର ନୀତିଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛନ୍ତି ଅଣ ବିଜେପି ସରକାର।

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନେତୃତ୍ୱରେ କେରଳର ବାମପନ୍ଥୀ ମୋର୍ଚ୍ଚା ଜନ୍ତରମନ୍ତରଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ଯେଉଁଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଏବଂ ତାଙ୍କ ଦଳର ସାଂସଦମାନେ ଯୋଗ ଦେଇଛନ୍ତି। ଏହି ନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମର୍ଥନ ମିଳିଛି।

ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ କେରଳର ବାମପନ୍ଥୀ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଅଂଶଗ୍ରହଣ କରିଛନ୍ତି। ସେମାନେ କେନ୍ଦ୍ର ବିରୋଧରେ ନାରାବାଜି କରିବା ସହ ରାଜ୍ୟକୁ ବକେୟା ଅର୍ଥ ପ୍ରଦାନ କରିବାକୁ ଦାବି କରିଛନ୍ତି।

କେରଳର ବାମପନ୍ଥୀ ସରକାର ରାଜ୍ୟର ଆର୍ଥିକ ସଙ୍କଟ ପାଇଁ କେନ୍ଦ୍ରକୁ ଦାୟୀ କରୁଛନ୍ତି, ଯାହା ରାଜ୍ୟର ଆର୍ଥିକ ପରିଚାଳନା ଏବଂ ଋଣ ସୀମାରେ କେନ୍ଦ୍ରର ହସ୍ତକ୍ଷେପ କାରଣରୁ ହୋଇଛି ବୋଲି ସେ କହିଛନ୍ତି। ମାର୍ଚ୍ଚମାସରେ ଆର୍ଥିକ ବର୍ଷ ଶେଷ ହେଉଥିବାରୁ ତୁରନ୍ତ ପାଣ୍ଠି ପ୍ରଦାନ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ତାମିଲନାଡୁର ଡିଏମକେ ସଂସଦ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ‘କଳା ସାର୍ଟ’ ପିନ୍ଧି ପ୍ରଦର୍ଶନ କରିଛନ୍ତି। ଯେଉଁଠାରେ କଂଗ୍ରେସ ସମେତ ସେମାନଙ୍କ ମେଣ୍ଟ ଦଳର ସାଂସଦମାନେ ଯୋଗ ଦେଇଛନ୍ତି। ୨୦୨୪-୨୫ ଅନ୍ତରୀଣ ବଜେଟରେ ତାମିଲନାଡୁକୁ କେନ୍ଦ୍ର ସରକାର ଆବଶ୍ୟକ ପାଣ୍ଠି ଆବଣ୍ଟନ କରିନଥିବାରୁ ସେମାନେ ବିରୋଧ କରିଛନ୍ତି।

ବୁଧବାର ଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ମଧ୍ୟ ଟିକସ ବଣ୍ଟନରେ ଦକ୍ଷିଣ ରାଜ୍ୟ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୦୨୩-୨୪ ପାଇଁ ସଂଶୋଧିତ ଆକଳନରେ କେନ୍ଦ୍ର ସରକାର ରାଜ୍ୟର ଟିକସ ଓ ଅନୁଦାନ ଅଂଶ୧୧,୦ କୋଟି ଟଙ୍କା ହ୍ରାସ କରିଛନ୍ତି।

କେନ୍ଦ୍ର ସରକାର ରାଜ୍ୟକୁ ବକେୟା ଜିଏସଟି କ୍ଷତିପୂରଣ ପ୍ରଦାନ କରୁନଥିବା ଏବଂ ରାଜ୍ୟର ଭିତ୍ତିଭୂମି ଓ ଜଳସେଚନ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉନଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି।

ଅର୍ଥନୀତି, କୃଷକ ଆନ୍ଦୋଳନ ଏବଂ କୋଭିଡ୍-୧୯ ମହାମାରୀର ମୁକାବିଲାକୁ ନେଇ କେନ୍ଦ୍ର ସରକାରଅନେକ ବିରୋଧୀ ଦଳର ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ରାଜ୍ୟଗୁଡ଼ିକ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.