Latest Odisha News

BREAKING NEWS

ରାଜଧାନୀର ଫ୍ଲାଏ ବୋମିଖାଲ ଓଭର ବ୍ରିଜ ତଳକୁ ପାର୍କିଂ ଅଞ୍ଚଳ ଚିହ୍ନଟ କଲା ବିଏମସି

ଭୁବନେଶ୍ୱର: ବ୍ୟସ୍ତବହୁଳ କଟକ-ପୁରୀ ରାଜ୍ୟ ରାଜପଥରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୋମିଖାଲ ରୋଡ୍ ଓଭରବ୍ରିଜ୍ ଅଧୀନରେ ଥିବା ଅଞ୍ଚଳକୁ ପାର୍କିଂସ୍ଥଳ ଭାବେ ଘୋଷଣା କରିଛି।

ଭୁବନେଶ୍ୱର ମେୟର ସୁଲୋଚନା ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବୋମିଖାଲ ଫ୍ଲାଏଓଭର ତଳେ ଥିବା ପାର୍କିଂ ସ୍ଥାନ ନୁଆ ଭାବେ ଅନୁମୋଦିତ ହୋଇଥିବା ସ୍ଥାନ ମଧ୍ୟରେ ରହିଛି। ସହରର ଅନ୍ୟ ରାସ୍ତା ତୁଳନାରେ ରାଜପଥ ଚଉଡ଼ା ନ ଥିବାରୁ ଏଠାରେ ଅନ-ଷ୍ଟ୍ରିଟ ପାର୍କିଂ ସମ୍ଭବ ହେଉନାହିଁ। ପାର୍କିଂ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

ବ୍ରିଜ୍ ତଳେ ପାର୍କିଂ ପୂର୍ବରୁ ଏହି ବ୍ୟସ୍ତବହୁଳ ରାସ୍ତାରେ ଟ୍ରାଫିକ୍ ଚଳାଚଳରେ ବାଧା ସୃଷ୍ଟି କରିଥିଲା ଗ୍ୟାରେଜ କାର ଏବଂ ବାଇକ୍ ସୋ’ରୁମ୍, ହୋଟେଲ୍ ଏବଂ ବାର୍, ବ୍ୟାଙ୍କ୍ ଏବଂ ଭୋଜନାଳୟ ସମେତ ଅନେକ ବାଣିଜ୍ୟିକ ପ୍ରତିଷ୍ଠାନ ରହିଥିଲା। ଏଣିକି ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ କିମ୍ବା ସେମାନଙ୍କ ଗ୍ରାହକମାନେ ଏଠାରେ ଆବଶ୍ୟକ ଦେୟ ଦେଇ ଗାଡ଼ି ପାର୍କିଂ କରିପାରିବେ। ସହରର ଅନ୍ୟ ରୋଡ୍ ଓଭରବ୍ରିଜ୍ ତଳେ ମଧ୍ୟ ପର୍ଯ୍ୟାୟକ୍ରମେ ଅନୁରୂପ ପାର୍କିଂସ୍ଥଳ ସୃଷ୍ଟି କରାଯିବାର ସମ୍ଭାବନା ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ଆଉ ୭ଟି ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯାଇ ଗାଡ଼ି ମାଲିକଙ୍କ ସମସ୍ୟା ଦୂର କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ ହେଉଛି କଟକ-କଳ୍ପନା-ପୁରୀ ରୋଡ୍। ଏହି ରାସ୍ତାର ଚଉଡା ଅନ୍ୟ ସ୍ଥାନ ଭଲି ସେତେଟା ଚଉଡା ନଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ ଜାମ ହେଉଥିବାର ନଜିର ରହିଛି। ଏହାର ଅନ୍ୟତମ କାରଣ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ଦୋକାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନକୁ ଆସୁଥିବା ଗ୍ରାହକଙ୍କ ଯାନବାହାନ ପାର୍କିଂ। ତେଣୁ ଏବେ ବିଏମସିର ନୂଆ ନିୟମ ପାର୍କିଂ ପାଇଁ ଉପୁଜୁଥିବା ସମସ୍ୟା ଏବଂ ଭିଡ କମାଇବାରେ ସହଯୋଗ କରିବ ବୋଲି ଆଶା ରହିଛି।

Comments are closed.