Latest Odisha News

ଶିଶୁ ଶ୍ରମିକ ନିରାକରଣ ପାଇଁ ୧୫ ଦିନିଆ ସଚେତନତା ଯାତ୍ରା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଏକ ୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି ।

ରବିବାର ଶ୍ରମ ନିର୍ଦ୍ଦେଶାଳୟରେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ, ଆଇ.ଏ.ଏସ. ଙ୍କ ଦ୍ୱାରା ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଅଛି ।

ଓଡିଶାକୁ ଏକ ଶିଶୁ ଶ୍ରମ ମୁକ୍ତ ରାଜ୍ୟ କରିବା ନିମନ୍ତେ ବିଭିନ୍ନ ସ୍ତରରେ ନିଆଯାଉଥିବା ପଦକ୍ଷେପର ଅଂଶବିଶେଷ ହିସାବରେ ଏକ ୧୫ ଦିନିଆ ଅଭିଯାନ ରାଜ୍ୟର ସମସ୍ତ ଜିଲ୍ଲାରେ କରାଯିବା ପାଇଁ ସ୍ଥିର କରାଯାଇଅଛି ।

ଉକ୍ତ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ରାଲି, ଦସ୍ତଖତ ଅଭିଯାନ, ବାଲୁକା କଳା ପ୍ରଦର୍ଶନୀ, ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ସାମାଜିକ ସଂଗଠନ ଓ ସରକାରୀ ବିଭାଗର ସହଯୋଗରେ ଶିଶୁ ଶ୍ରମ ଆଇନ ସମ୍ପର୍କିତ ସଚେତନତା କର୍ମଶାଳାମାନ ମଧ୍ୟ କରାଯିବ।

ଶିଶୁ ଶ୍ରମ ନିରାକରଣ ଦିଗରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସଂଗଠନ ଯଥା- ୟୁନିସେଫ, ସି.ଏ,ସି. ଏଲ.,ପିକକ୍‌, ଏଡ୍‌ ଏଟ୍‌ ଆକ୍ସନ, ଆଇ.ଜେ.ଏମ, ଏବଂ କମ୍ୟìନିଟି ରେଡିଓ ସଂଘ ମଧ୍ୟ ସରକାରଙ୍କୁ ଏ ଦିଗରେ ସମସ୍ତ ସହଯୋଗ ଯୋଗାଇ ରାଜ୍ୟକୁ ଶିଶୁ ଶ୍ରମ ମୁକ୍ତ କରିବା ନିମନ୍ତେ ସମ୍ମିଳିତ ଉଦ୍ୟମ ଆରମ୍ଭ କରାଯାଇଅଛି ।

ଏହି ୧୫ ଦିନିଆ ଅଭିଯାନ ଜୁନ ୧୨ ତାରିଖରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପରିପ୍ରେକ୍ଷୀରେ ଏକ ରାଜ୍ୟ ସ୍ତରୀୟ ସମାରୋହ କରାଯାଇ ଉଦଯାପନ କରାଯିବ, ଯେଉଁଥିରେ ଆଗାମୀ ଦିନ ପାଇଁ ଏକ ରାଜ୍ୟ ଖସଡା ପ୍ରସ୍ତୁତ କରାଯାଇ ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନକୁ ଆହୁରି ବ୍ୟାପକ କରାଯିବାର ପ୍ରସ୍ତାବ ରହିଛି ।

ଆଜିର ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଉଦ୍‌ଘାଟନ ଉତ୍ସବରେ ଶ୍ରମ କମିଶନର ଏନ. ତିରୁମାଲା ନାଏକ, ଆଇ.ଏ.ଏସ. ୟୁନିସେଫ, ରାଜ୍ୟ ମୁଖ୍ୟ ମୋନିକା ନିଲସେନ, କମ୍ଯୁନିଟି ରେଡିଓ ଆସୋସିଏସନ ସେକ୍ରେଟାରୀ ଡାଃ, ଶିଶିର ଦାସ, ଏଡ୍‌ ଏଟ୍‌ ଆକ୍ସନରୁ ଉମି ଡାନିଏଲ, ଆଇ.ଜେ.ଏମ. ରୁ ପିୟୁଷ ନନ୍ଦ, ପିକକ୍‌ରୁ ଅନୁରାଧା ମହାନ୍ତିଙ୍କ ସହ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ ।

Comments are closed.