ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରାଞ୍ଚଳ ପୁଲିସ ଜିଲ୍ଲାରେ ସଂଗଠିତ ଓ ଜଟିଳ ଅପରାଧର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର କ୍ରାଇମ୍ ୟୁନିଟର ଉଦ୍ଦେଶ୍ୟ ପୂରଣ ହେବା ଏବେ ବି ଦିବା ସ୍ବପ୍ନ ପରି ଲାଗୁଛି। ଯାହା ମାମଲା ଗୁଡିକୁ ପ୍ରଭାବୀ ଢଙ୍ଗରେ ତଦନ୍ତ କରିବାରେ ବାଧା ସୃଷ୍ଟି କରୁଛି।
ଏହି ସ୍ବତନ୍ତ୍ର କ୍ରାଇମ ୟୁନିଟ ଚଳିତବର୍ଷ ମେ’ରୁ କାମ ଆରମ୍ଭ କରିଛି। ବର୍ତ୍ତମାନ ଜଣେ ଲେଖାଏଁ ଡିସିପି ଓ ଅତିରିକ୍ତ ଡିସିପି ଭାବେ ଦୁଇ ଜଣ, ସେହିପରି ଦୁଇ ଜଣ ଏସିପି, ଅନେକ ଇନ୍ସପେକ୍ଟର ଏବଂ ୧୧ ଜଣ କନଷ୍ଟେବଳ କାର୍ଯ୍ୟକ୍ଷମ ରହିଛନ୍ତି। ହେଲେ ଏହି ୟୁନିଟ୍ ପାଇଁ ଅନୁମୋଦିତ ହୋଇଛନ୍ତି ଜଣେ ଲେଖାଏଁ ଡିସିପି ଓ ଅତିରିକ୍ତ ଡିସିପି ସହିତ ତିନି ଜଣ ଏସିପି, ୯ ଇନସପେକ୍ଟର, ୧୨ ଏସଆଇ, ୩ ସହଯୋଗୀ ଏସଆଇ ଏବଂ ୨୯ କନେଷ୍ଟବଳ।
କର୍ମଚାରୀ ଅଭାବରୁ ଜଟିଳ ମାମଲା ଯଥା ସଙ୍ଗଠିତ ଅପରାଧ, ଆର୍ଥିକ ଅପରାଧ ଓ ନିଶାଦ୍ରବ୍ୟ ଆଇନ୍ ଅଧିନରେ ମାମଲାଗୁଡ଼ିକର ୟୁନିଟ୍ ତଦନ୍ତ ବିଶେଷ ଭାବେ ପ୍ରଭାବିତ ହେଉଛି।
ଏବେ ଏସଆଇଙ୍କ ଜାଗାରେ ଛଅ ଜଣ ଏସଆଇକୁ ସ୍ବତନ୍ତ୍ର କ୍ରାଇମ ୟୁନିଟରେ ସଂଲଗ୍ନ କରାଯାଇଛି। ୟୁନିଟର ଆଣ୍ଟି ଫ୍ରଡ୍ ଓ ନାର୍କୋଟିକ୍ସ ଓ୍ବିଙ୍ଗର ଜଣେ ଲେଖାଏଁ ଏସିପି ଓ ଇନ୍ସପେକ୍ଟର ଥିବା ବେଳେ ସଂଗଠିତ ଅପରାଧିକ ଓ୍ବିଙ୍ଗ ବା ଶାଖାରେ ନା ଜଣେ ଏସିପି ଅଛନ୍ତି ନା ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ରହିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପ୍ରତ୍ୟେକ ଶାଖାରେ ଜଣେ ଲେଖାଏଁ ଏସିପି, ତିନି ଜଣ ଇନ୍ସପେକ୍ଟର ଓ ଚାରି ଜଣ ଲେଖାଏଁ ଏସଆଇ ରହିବା ଆବଶ୍ୟକ।
ସ୍ପେସାଲ୍ କ୍ରାଇମ୍ ୟୁନିଟ୍କୁ ୨୦୨୩ ଏପ୍ରିଲ୍ ୨୯ରେ ପୂର୍ଣ୍ଣାଙ୍ଗ ଥାନାକୁ ଉନ୍ନୀତ କରାଯାଇ କ୍ରାଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ଓ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଭଳି କ୍ଷମତା ପ୍ରଦାନ କରାଯାଇଛି।
ଏଠାରେ କମିସନରେଟ୍ ପୁଲିସ ମୁଖ୍ୟାଳୟରେ ଥିବା ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଥାନାରେ ପୀଡ଼ିତାମାନେ କୌଣସି ଜଘନ୍ୟ ଅପରାଧ କିମ୍ବା ବଡ଼ ଧରଣର ଆର୍ଥିକ ଠକେଇ ସମ୍ପର୍କରେ ସିଧାସଳଖ ଅଭିଯୋଗ କରିପାରିବେ। ଏହାଛଡ଼ା ଟ୍ୱିନ୍ ସିଟି ପୁଲିସ କମିସନରଙ୍କ ଠାରୁ ଆଦେଶ ବା ଅନୁମତି ମିଳିବା ପରେ ଭୁବନେଶ୍ୱର ଓ କଟକ ସହରାଞ୍ଚଳ ପୁଲିସ ଜିଲ୍ଲା ଅଧୀନରେ ଥିବା ଯେକୌଣସି ଥାନାରୁ ଜଟିଳ ଓ ସମ୍ବେଦନଶୀଳ ଅପରାଧର ତଦନ୍ତ ଦାୟିତ୍ୱ ନେଇପାରିବ।
Comments are closed.