Latest Odisha News

ଡିସେମ୍ବରରେ ହେବ କି ନିର୍ବାଚନ ? ଚର୍ଚ୍ଚାକୁ ଇନ୍ଧନ ଯୋଗାଇଲା ସଂସଦର ବିଶେଷ ଅଧିବେଶନ

ନୂଆଦିଲ୍ଲୀ: ଆଗୁଆ ହେବ କି ଲୋକସଭା ନିର୍ବାଚନ ! ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୁଏ  ତେବେ ଡିସେମ୍ବରରେ ହେବ କି   ? ଓଡ଼ିଶାରେ ଏକ ସାଙ୍ଗରେ ହେବ କି ବିଧାନସଭା ଓ ଲୋକ ସଭା ନିର୍ବାଚନ ? ଏମିତି ଚର୍ଚ୍ଚା ଆଜି ପୁଣି ଜୋର ଧରିଛି । ଆଜି ସଂସଦର ବିଶେଷ ଅଧିବେଶନ  ଡାକରା ଏହି ଚର୍ଚ୍ଚାକୁ ପୁଣି ବଳ ଯୋଗାଇଛି ।

ରାଜ୍ୟରେ ଆଗୁଆ ନିର୍ବଚନକୁ ନେଇ ଅନେକ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ସେଥିପାଇଁ ମୌସୁମୀ ଅଧିବେଶନ ବିଳମ୍ବ କରାଯାଉଥିବା କୁହାଯାଉଥିଲା  । ଶେଷରେ ଆଜି ବିଧାନସଭା ମୌସୁମୀ ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ ଯାଏଁ ଚାଲିବ ଏହି ଅଧିବେଶନ ।   ସେପଟେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିଲା ।

ହେଲେ ଆଜି  ସଂସଦର ବିଶେଷ ଅଧିବେଶନ କେନ୍ଦ୍ର ସରକାର ଡାକିବା ପରେ ଆଗୁଆ ଲୋକ ସଭା ନିର୍ବାଚନ ସମ୍ଭାବନାକୁ  ନେଇ ଚର୍ଚ୍ଚା ହେଉଛି   ।   ସେପ୍ଟମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।  ବିଶେଷ ଅଧିବେଶନ କାହିଁକି ଡାକିଲେ, ଏଜେଣ୍ଡା କ’ଣ  ତାହା କେନ୍ଦ୍ର ସରକାର  ସ୍ପଷ୍ଟ କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ଏହାକୁ ଆଗୁଆ ନିର୍ବାଚନର ସଙ୍କେତ  ବୋଲି ଧରିନେଇଛନ୍ତି ଜନତା ।

ଯାହା ବି ହେଉ, ଯଦି ଅନୁମାନ ସତ ହୁଏ ତେବେ ଓଡ଼ିଶାରେ ଦୁଇଟି ନିର୍ବାଚନ ଡିସେମ୍ବରରେ ହୋଇପାରେ ବୋଲି ରାଜନୈତିକ ମହଲାରେ ଚର୍ଚ୍ଚା ହେଉଛି ।

Comments are closed.