Latest Odisha News

ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତାର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ପୁରୀ: ବାଲୁକା କଳାରେ ଭୋଟର ସଚେତନତାର ବାର୍ତ୍ତା । ଆଜି ପୁରୀ ନୀଳାଦ୍ରୀ ବିଚ୍ ଠାରେ ୨୦୨୪ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR) ଥିମ୍ ର ଶୁଭାରମ୍ଭ ହୋଇଛି । ବାଲୁକାକଳା ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ତେବେ ପ୍ରତିବର୍ଷ ଏହି ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଥିବାବେଳେ ଚଳିତବର୍ଷ ନିର୍ବାଚନ ଅଧିକାରୀଙ୍କ ଅନୁରୋଧକ୍ରମେ ଏହି ଥିମକୁ ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହା ଜରିଆରେ ନାଗରିକମାନଙ୍କ ମଧ୍ୟରେ ଏସଏସଆ ୨୦୨୪ ବିଷୟରେ ସଚେତନତା ସୃଷ୍ଟି କରାଯିବ ।

ତେବେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ୯ ଡିସେମ୍ବର ୨୦୨୪ରେ ଶେଷ ହେବ । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅତିରିକ୍ତ ସିଇଓ ଶତ୍ରୁଘ୍ନ କର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସିଇଓ ଶ୍ରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇ ପ୍ରତ୍ୟେକ ଭୋଟର ସେମାନଙ୍କ ମୂଲ୍ୟବାନ ମତାଧିକାରକୁ ସାବ୍ୟସ୍ତ କରିବାକୁ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ଜରୁରୀ ବୋଲି କହିଛନ୍ତି । ଯଦି ଜଣେ ୧୮ ବର୍ଷ ବୟସ ପୂରଣ କରିଛନ୍ତି ତେବେ ସେମାନେ ଭୋଟର ଭାବେ ନାମ ପଞ୍ଜିକରଣ କରିପାରିବେ । ଭୋଟର ହେଲ୍ପ ଲାଇନ ଆପ୍ ମାଧ୍ୟମରେ ମଧ୍ୟ ସେମାନେ ପଞ୍ଜିକରଣ କରି ପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.