Latest Odisha News

BREAKING NEWS

ବିଆରଏସ ଛାଡି କଂଗ୍ରେସକୁ ଫେରିବେ ଗିରିଧର ଗମାଙ୍ଗ !

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବା ପରେ ରାଜଧାନୀରୁ ସ୍ବତନ୍ତ୍ର ଚାଟାର୍ଡ ବିମାନରେ ହାଇଦ୍ରାବାଦ ଯାଇ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପୁରୁଖା ରାଜନେତା ଗିରିଧର ଗମାଙ୍ଗ ଏବେ କୁଆଡେ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ବିଆରଏସ ଓଡିଶାରେ ଆଗକୁ ବଢିବ ବୋଲି ଦମ୍ଭ ଦେଖାଇଥିଲା କିନ୍ତୁ ଦଳର ସୁପ୍ରିମୋ କେସିଆର ଏବେ ଓଡ଼ିଶା ପ୍ରତି ନିଜର ନଜର ଏବେ ପାଇଁ ହଟାଇ ଦେଇଛନ୍ତି ବୋଲି କୁହାଯାଉଛି। ତେଣୁ ଏପରି ସ୍ଥିତିରେ ଦଳ ବଦଳାଇବେ ବୋଲି ଯଦିଓ ଗମାଙ୍ଗ କିଛି କହି ନାହାନ୍ତି କିନ୍ତୁ ଘର ବାହୁଡା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିବା ଚର୍ଚ୍ଚା ହେଉଛି।

କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ପଦ ମିନୀକ୍ଷୀ ବାହାନୀପତି ହରାଇବା ପରେ ଏବେ ବିଧାୟକ ତଥା ତାଙ୍କ ସ୍ବାମୀ ତାରା ବାହୀନିପତି କୁଆଡେ ସାଂସଦ ସପ୍ତଗିରି ଉଲାକାଙ୍କୁ ଚେକ୍ ଦେବାକୁ ଯୋଜନା କରୁଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଏବେ କାହାକୁ ଅଛପା ନୁହେଁ। ତେଣୁ ଦଳର ପୁରୁଣା ନେତା ଗିରିଧର ଗମାଙ୍ଗଙ୍କୁ ଫେରାଇ ଆଣି ଉଲାକାଙ୍କୁ ଚେକ୍ ଦେବାକୁ ତାରା ରଣନୀତି କରୁଛନ୍ତି ବୋଲି କୁହାଯାଉଛି। ସେ ଦିଲ୍ଲୀ ଯାଇଥି୍ବା ବେଳେ ଦଳର ଶୀର୍ଷ ନେତାଙ୍କ ପାଖରେ ଗିରିଧର ଗମାଙ୍ଗଙ୍କ ପାଇଁ ଓକିଲାତି କରିଥିବା ସୂଚନା ରହିଛି।

1972ରୁ 2004 ଯାଏ କୋରାପୁଟ ଲୋକସଭା ଆସନରୁ 9 ଥର ସାଂସଦ ହୋଇଥିବା ଏହି ନେତା ଯେତେବେଳେ କଂଗ୍ରେସ ଛାଡିଥିଲେ ବିଭିନ୍ନ କାରଣ ଦେଖାଇଥିଲେ କିନ୍ତୁ ଦଳର ଶୀର୍ଷ ନେତା ତଥା ଗାନ୍ଧୀ ପରିବାରକୁ କେବେ ସମାଲୋଚନା କରିନାହାନ୍ତି। ତେଣୁ ଗିରିଧରଙ୍କୁ ଦଳକୁ ଆଣି ସପ୍ତଗିରିଙ୍କୁ ପରୋକ୍ଷରେ ଚେକ୍ ଦେବାକୁ ତାରା ଲବି କରୁଥିବା ସୂଚନା ରହିଛି।

ବାହୀନିପତି ଏ ନେଇ ଯଦିଓ ସିଧାସିଧା କିଛି କହି ନାହାନ୍ତି କିନ୍ତୁ ପରୋକ୍ଷରେ କହିଛନ୍ତି, ସେ ପୁରୁଣା ନେତା। ତାଙ୍କ ଜନ୍ମ କଂଗ୍ରେସରେ। ସେ ଦଳ ଛାଡିବା ବେଳେ କୌଣସି ଗାଳି ମନ୍ଦ କରି ନାହାନ୍ତି ଦଳର ଶୀର୍ଷ ନେତାଙ୍କୁ। ସେ ଦଳକୁ ଫେରିଲେ ଭଲ ହେବ। ତେବେ ଗିରିଧର ଗମାଙ୍ଗ କିମ୍ବା ତାଙ୍କ ପୁଅ ମଧ୍ୟ ଏ ବାବଦରେ କିଛି ପ୍ରତିକ୍ରିୟା ରଖି ନାହାନ୍ତି।

କିନ୍ତୁ ଆଗକୁ ସାଧାରଣ ନିର୍ବାଚନ ରହିଛି। ଓଡ଼ିଶାରେ ବିଆରଏସର ଭାଗ୍ୟ ଅନିଶ୍ଚିତତା ଘେରରେ ରହିଛି। ଏପରି ସ୍ଥିତିରେ ଗମାଙ୍ଗ କଂଗ୍ରେସକୁ ଫେରିବାକୁ ପରୋକ୍ଷରେ ଇସାରା ଦେଇଥିବା କୁହାଯାଉଛି। ଯଦି କୋରାପୁଟ ଆସନରୁ ଟିକେଟ ନମିଳେ ତାହେଲେ ନବରଙ୍ଗପୁର ଆସନ ଉପରେ ଏହି ନେତା ନଜର ରଖିଥିବା କୁହାଯାଉଛି।

Comments are closed.