Latest Odisha News

BREAKING NEWS

ବାତ୍ୟାରେ ଭଦ୍ରକ ଓ ବାଲେଶ୍ବର ଅଧିକ ପ୍ରଭାବିତ

ଭୁବନେଶ୍ବର : ବାତ୍ୟା ୟାସ ଚାଲିଯାଇଛି । ହେଲେ ଅନେକ କ୍ଷୟକ୍ଷତି ଘଟାଇଛି । ଖାସକରି ଭଦ୍ରକ ଓ ବାଲେଶ୍ବରେ ଘଟାଇଛି ବ୍ୟାପକ କ୍ଷୟକ୍ଷତି । ବାତ୍ୟା ପରେ ଏବେ ତ୍ବରିତ ବେଗରେ ଚାଲିଛି ପୁନରୁଦ୍ଧାର କର୍ଯ୍ୟ । ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ରୁ ୮୦ ପ୍ରତିଶତ ସ୍ବାଭାବିକ ହୋଇଛି ବୋଲି । ତେବେ ଜଳମଗ୍ନ ଅଞ୍ଚଳରେ ଅଟକି ରହିଛି କାମ । ପାନୀୟ ଜଳ ପାଇଁ ଡିଜି ସେଟ୍‌, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ।

ବାତ୍ୟାରେ ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ରାଜ୍ୟର ୨୦୦ଟି ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିଲା । ମୟୁରଭଂଜର କୁସୁମୀ ବ୍ଲକ୍‌ରେ ୫୧୫ ମି.ମି ବର୍ଷା ହୋଇଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ବେ ବନ୍ୟା ଆଶଙ୍କା କମ ରହିଛି । କିନ୍ତୁ ବୈତରଣୀ ନଦୀର ତଳ ଭାଗରେ ବନ୍ୟାର ସମ୍ଭାବନା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।

ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍‌ ଶୀଘ୍ର ଶେଷ ହେବ ବୋଲି କହିଛି ଶକ୍ତି ବିଭାଗ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯାଇଛି । ସେହିପରି ବାତ୍ୟାରେ ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍‌ସେଟ୍‌ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି ।

କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଅଂଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି ବୋଲି ଜଳସଂପଦ ବିଭାଗ ସୂଚନା ଦେଇଛି । ସମସ୍ତ କୋଭିଡ ହସ୍‌ପିଟାଲରେ ଭିତ୍ତିଭୂମି ଠିକ୍‌ ରହିଛି । ଗଛ ପଡି ଅବରୋଧ ହୋଇଥିବା ସମସ୍ତ ରାସ୍ତାକୁ ଅବରୋଧମୁକ୍ତ କରାଯାଇଛି ବୋଲି କହିଛି ପୂର୍ତ୍ତ ବିଭାଗ । ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ରାସ୍ତାକୁ ଅବରୋଧମୁକ୍ତ କରାଯିବ । ବୈଠକରେ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଥିଲେ । ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.