Latest Odisha News

ଗିରଫ ହେଲେ ୱାଟକୋ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ

ଭୁବନେଶ୍ଵର: ଗିରଫ ହେଲେ ଭୁବନେଶ୍ବର ଜଳଯୋଗାଣ ଓ ସ୍ବେରେଜ୍ ବୋର୍ଡ (ୱାଟକୋ)ର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଶ୍ରୀ ସାହୁଙ୍କ ବାସଭବନ ସମେତ ୭ଟି ଠିକଣାରେ ଏକସଙ୍ଗେ ଚଢ଼ଉ କରିଥିଲା। ଭୁବନେଶ୍ବର ସ୍ପେଶାଲ ଜଜ୍ (ଭିଜିଲାନ୍ସ) ଅଦାଲତଙ୍କ ଅନୁମତିକ୍ରମେ ଆଇଗିଣିଆସ୍ଥିତ ତାଙ୍କ ବାସଭବନ ସମେତ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ସକାଳୁ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୭ ଜଣ ଡିଏସପି, ୯ ଜଣ ଇନସ୍ପେକ୍ଟର, ୧୦ ଜଣ ଏଏସ୍ଆଇ ଓ ଅନ୍ୟ ସହ କର୍ମଚାରୀ ସାମିଲ ଥିଲେ ।

ତେବେ ଚଢ଼ଉ ବେଳେ ଶ୍ରୀ ସାହୁଙ୍କ କୋଠା, ପ୍ଲଟ, ଦୋକାନ ଘର, ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଦେଖି ଭିଜିଲାନ୍ସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶ୍ରୀ ସାହୁଙ୍କର ଜଟଣୀ କଲେଜ ରୋଡ଼ରେ ଗୋଟିଏ ୨ ମହଲା କୋଠା, ଜଟଣୀ ସର୍ଦାର ପଟେଲ ରୋଡ଼ରେ ଏକ ୨ ମହଲା କୋଠା, ଆଉ ଏକ ନିର୍ମାଣାଧୀନ ୩ ମହଲା କୋଠା, ଜଟଣୀ ବନଦୁର୍ଗା ମାର୍କେଟ କମ୍ପ୍ଲେକ୍ସରେ ୨ଟି ଦୋକାନ ଘର, ଭୁବନେଶ୍ବର ଓ ଜଟଣୀରେ ୨ଟି ମୂଲ୍ୟବାନ ପ୍ଲଟ, ନଗଦ ୧ ଲକ୍ଷ ୫୭ ହଜାର ୨୦ ଟଙ୍କା, ୨୫୦ ଗ୍ରାମ ଓଜନର ସୁନା ଅଳଙ୍କାର, ୫୬ ଲକ୍ଷ ୧୯ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୩ଟି ମୋଟରସାଇକଲ ଓ ୧୨ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ଆସବାବପତ୍ର ଠାବ କରାଯାଇଛି।

 

Comments are closed.