ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଅବର୍ଣ୍ଣନୀୟ ତଥା ଅନୀର୍ବଚନ । ଭକ୍ତଜନଙ୍କ ହୃଦୟରେ ସଦା ସର୍ବଦା ବିରାଜ କରୁଥିବା ସେହି ଲୀଳାମୟଙ୍କ ଅପାର କରୁଣାରୁ ଅଗଣିତ ଶ୍ରଦ୍ଦାଳୁ ତାଙ୍କର ଦିବ୍ୟ ଅନୁଭୂତି ପାଇପାରିଛନ୍ତି । ଶ୍ରୀକ୍ଷେତ୍ରରେ ବିରାଜିତ ସେହି ପ୍ରେମମୟ ଦାରୁବ୍ରହ୍ମଙ୍କୁ ବିଶ୍ୱର ଅନେକ ଧର୍ମଗୁରୁ ଓ ମହାପୁରୁଷମାନେ ମଧ୍ୟ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ଭାବଜଗତରେ ମହାପ୍ରଭୁ ଶୂନ୍ୟବ୍ରହ୍ମ । ବୌଦ୍ଧମାନଙ୍କ ଲାଗି ସେ ବୁଦ୍ଧଦେବ, ଜୈନଙ୍କ ଲାଗି ସେ ରୁଷଭ ତଥା ସନ୍ଥ ତୁଳସୀଦାସଙ୍କ ଲାଗି ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ଗଣପତି ଭଟ୍ଟଙ୍କ ଲାଗି ସେ ଗଜାନନ । ଭକ୍ତର ଭକ୍ତିରେ ଭଗବାନ ବେଳେ ବେଳେ ରତ୍ନସିଂହାସନ ଛାଡ଼ି ଓହ୍ଲାଇ ଆସନ୍ତି ଭକ୍ତକୁ ସାହାଯ୍ୟ ସହଯୋଗ କରିବାକୁ । ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ଶ୍ରୀବଳଭଦ୍ର କିପରି ଯୁଦ୍ଧଭୂମିରେ ତାଙ୍କୁ ସହଯୋଗ କରିଥିଲେ ତାହାର ଏକ ସୁନ୍ଦର କଥାବସ୍ତୁ ରହିଛି । ତେବେ ମହାପ୍ରଭୁ ଯୁଦ୍ଧଭୂମିକୁ ଯିବା ବାଟରେ ମାଣିକ ଗଉଡୁଣୀଠୁ କିପରି ତୃଷାର୍ତ୍ତରେ ଦହି ପିଇଛନ୍ତି ତାହାର ସୁନ୍ଦର ବର୍ଣ୍ଣନା ସେହି ପୌରାଣିକ କଥାବସ୍ତୁରେ ରହିଛି ।
ଗଜପତି ରାଜା ପୁରୁଷୋତ୍ତମ ଦେବ କାଞ୍ôଚର ରାଜକନ୍ୟା ପଦ୍ମାବତୀଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ । ପୁରୀ ରାଜା ରଥଯାତ୍ରାରେ ଛେରା ପହଁରା କରୁଥିବାରୁ କାଞ୍ôଚରାଜା ବିବାହ କରିବାକୁ ଅମଙ୍ଗ ହେଲେ, ଏବଂ ଯୁଦ୍ଧର ପ୍ରସ୍ତାବ ଦେଲେ । ପ୍ରଥମେ ପୁରୀ ରାଜା ଯୁଦ୍ଧରେ ପରାସ୍ତ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜପତିଙ୍କୁ ପୁନର୍ବାର ଯୁଦ୍ଧ କରି ବିଜୟୀ ହେବାର ଆଶୀର୍ବାଦ କଲେ । ଅବଶ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱୟଂ ଏହି ଯୁଦ୍ଧରେ ଲଢି ପୁରୀ ରାଜାଙ୍କୁ ବିଜୟୀ କରିବାକୁ ସ୍ୱପ୍ନରେ ପ୍ରତିଶ୍ରୁତି ଦେଇଥିଲେ । ଯୁଦ୍ଧର ଘନଘଟାରେ ଉକ୍ରଳର ଗଜପତି ରାଜା ସହସ୍ରାଧିକ ସୈନ୍ୟ-ସାମନ୍ତଙ୍କ ସହିତ କାଞ୍ôଚ ଯିବାକୁ ପ୍ରସ୍ତୁତ ହେଲେ । ବୈଶାଖ ମାସର ଝାଞ୍ôଜର ପ୍ରକୋପ ବଢି ଚାଲିଥାଏ ।
ଚିଲିକା କୂଳରେ ମାଣିକ ନାମକ ଗଉଡୁଣୀଟିଏ ବସି ଦହି ବିକୁଥାଏ । ସେହିବାଟ ଦେଇ ଯାଉଥିବା ପଥଚାରୀଙ୍କୁ ଦହି ବିକି ଏକ ରକମ ଚଳି ଯାଉଥାଏ । କିଛି ସମୟ ପରେ ଧଳା ଘୋଡ଼ା ଓ କଳା ଘୋଡ଼ାରେ ଦୁଇଜଣ ରାଜପୁତ୍ର ପରି ଦିଶୁଥିବା ଯୁବକ ଦ୍ୱୟ ମାଣିକ ଗଉଡୁଣୀ ନିକଟରେ ଅଟକିଲେ । ଘୋଡ଼ା ରଖି ଦୁଇଜଣ ମାଣିକ ନିକଟକୁ ଦହି ପିଇବାକୁ ଗଲେ । ବୈଶାଖର ମୁଣ୍ଡଫଟା ଖରାରେ ତୃଷାର୍ତ୍ତ ଥିବା ଜଣାଇ ମାଣିକକୁ ଦହି ମାଗିଲେ । ଦୁଇଜଣଙ୍କୁ ଦହି ଦେବାବେଳେ ମାଣିକ ତାଙ୍କ ଦୁହିଁଙ୍କ ମୁହଁକୁ ଅପଲକ ନୟନରେ ଚାହିଁ ରହିଥାଏ । ମାଣିକ ଦହି ଦେଇ ଚାଲିଥାଏ ତ ଯୁବକ ଦୁହେଁ ଶୋଷରେ ଘୋଳଦହି ପିଇ ଚାଲିଥାନ୍ତି । ଦହି ପିଇଲା ପରେ କଳା ରଙ୍ଗର ଯୁବକଟି ମାଣିକକୁ କହିଲେ, ତୋ ଦହି ପ୍ରକୃତରେ ଅମୃତପରି ଥିଲା, ଏତେ ଖରାରେ ଆମେ ତମ ସୁସ୍ୱାଦୁ ଦହି ପିଇ ଟିକେ ସାଷ୍ଟାଙ୍ଗ ହେଲୁ । ଅନେକ ଦୂର ଯିବାକୁ ଅଛି । ଆମ ପାଖରେ କିଛି ବି ମୁଦ୍ରା କି କଉଡ଼ିଟେ ବି ନାହିଁ ତୁମ ଦହି ଦାମ ଦେବାକୁ । ଏଇ ରତ୍ନ ମୁଦ୍ରିକାଟି ନିଅ, ଆମ ରାଜା ପଛରେ ଆସୁଛନ୍ତି । ତାଙ୍କୁ କହିବ ଆମେ ଦୁଇଜଣ ଆଗେ ଆଗେ କାଞ୍ôଚ ଯାଉଛୁ । ତାଙ୍କୁ ଏହି ମୁଦିଟି ଦେଖାଇଦେଲେ ସେ ତୁମକୁ ତୁମ ଦହିର ମୂଲ୍ୟ ଦେଇଦେବେ । ଏତିକି କହି କଳାଘୋଡ଼ା ଓ ଧଳାଘୋଡ଼ାରେ ଯୁବକ ଦୁହେଁ ଚାଲିଗଲେ । କିଛି ସମୟ ପରେ ସେହି ପଥରେ ମନ୍ତ୍ରୀ, କଟୁଆଳ, ସୈନ୍ୟ-ସାମନ୍ତଙ୍କ ସହ ରାଜା ଆସିଲେ ।
ମାଣିକ ଗଉଡୁଣୀ ରାଜାଙ୍କୁ ଅଟକାଇ ସେହି ଦୁଇ ଯୁବକ କାଞ୍ôଚ ଅଭିମୁଖେ ଯିବାର ବୃତ୍ତାନ୍ତ କହିଲେ, ଏବଂ ଯୁବକ ଦୁହେଁ ଦେଇ ଯାଇଥିବା ରତ୍ନ ମୁଦ୍ରିକାଟିକୁ ରାଜାଙ୍କୁ ପ୍ରଦାନ କଲା । ରାଜା କିଛି ସମୟ ସେହି ମୁଦ୍ରିକାଟିକୁ ଦେଖି ତାହା ମହାପ୍ରଭୁଙ୍କ ରତ୍ନ ସିଂହାସନରେ ଥିବା ଶ୍ରୀଜଗନ୍ନାଥଙ୍କ ହିରା ଖଚିତ ମୁଦ୍ରିକାକୁ ଚିହ୍ନି ପାରିଲେ । ଗଉଡୁଣ ରାଜାଙ୍କୁ ବଲବଲ କରି ଚାହିଁ ରହିଥାଏ । ରାଜା ଆଶ୍ଚର୍ଯ୍ୟ ତଥା ଗଦ୍ଗଦ୍ ହୋଇ ଗଉଡୁଣୀକୁ କହିଲେ, ଆଲୋ ମାଣିକ ! ଯେଉଁ ଦୁଇଜଣ ଯୁବକଙ୍କୁ ତୁ ତୋ ନିଜ ହାତରେ ଦହି ପିଆଇଲୁ ସେ ଆଉ କେହି ନୁହଁନ୍ତି ଲୋ, ସେ ଦୁହେଁ ସ୍ୱୟଂ ଆମ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ତାଙ୍କ ବଡ଼ଭାଇ ଶ୍ରୀବଳଭଦ୍ର । ତୁ ବଡ଼ ଭାଗ୍ୟବତୀ ମାଣିକ ।
ରାଜା ମାଣିକର ଗାଁର ନାମ ମାଣିକପାଟଣା ସେହିଦିନୁ ଘୋଷଣା କରିବା ସହିତ ୫ଟି ଗାଁର ଜମିଦାରୀ ମାଣିକ ଗଉଡୁଣୀକୁ ପ୍ରଦାନ କଲେ । ପ୍ରକୃତରେ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ସ୍ୱର୍ଗୀୟ, ଅନାବିଳ ଏବଂ ଏହି ମଧୁମୟ ସମ୍ପର୍କର ଅନୁଭବ କେବଳ ଅନୁଭୂତି ହାସଲ କରିଥିବା ଭକ୍ତଟିଏ ହିଁ ଜାଣିପାରେ । ଯୁଗେ ଯୁଗେ ଭକ୍ତର ଭକ୍ତି ଭାବରେ ହିଁ ବନ୍ଧା ସେହି ଭଗବାନ ପରମ ପ୍ରେମମୟ ପୁରୁଷୋତ୍ତମ ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ।
Comments are closed.