ଭୂବନେଶ୍ଵର: ଗିରଫ ହେଲେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଗିରଫ କରିଛି । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସର ୧୦ଟି ଟିମ୍ ଗତକାଲି ଶ୍ରୀ ପାଟ୍ଟଯୋଶୀଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ନଗଦ ୧୭ ଲକ୍ଷ ଟଙ୍କା ସହିତ ୧୧ଟି ଦାମୀ ପ୍ଲଟ୍ର ରେକର୍ଡପତ୍ର ଜବତ କରାଯାଇଥିଲା।
ପ୍ରାଥମିକ ଆକଳନ ଅନୁସାରେ ତାଙ୍କ ନିକଟରୁ ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଭୁବନେଶ୍ଵରରେ ୪ଟି ବହୁ ମୁଲ୍ୟର ଫ୍ଲାଟ୍, ବ୍ରହ୍ମପୁରରେ ୨ଟି ବହୁ ତଳ ବିଶିଷ୍ଟ କୋଠା, ୧୧ଟି ଦାମୀ ପ୍ଲଟ୍ ଠାବ ହୋଇଛି। ସେହିପରି ୧୫୦ଗ୍ରାମର ସୁନା ଅଳଙ୍କାର, ନଗଦ ୧୭ଲକ୍ଷ ଟଙ୍କା, ଗୋଟିଏ କାର ଓ ୩ଟି ବାଇକ୍ ଜବତ କରାଯାଇଛି। ଏହାଛଡ଼ା ୨୦ଟି ବ୍ୟାଙ୍କ ଆକାଉଣ୍ଟ, ପୋଷ୍ଟାଲ ଡିପୋଜିଟ୍ ଆଦି ଠାବ କରାଯାଇଛି। ବ୍ୟାଙ୍କରେ ୭୬.୧୫ଲକ୍ଷ ଟଙ୍କା ଜମା ଥିବା ଜଣାପଡ଼ିଛି।
ଏଥିସହ ଶ୍ରୀ ପାଟ୍ଟଯୋଶୀଙ୍କ ଏସ୍ବିଆଇ ବ୍ୟାଙ୍କ୍ରେ ନିଜ ପତ୍ନୀଙ୍କ ନାମରେ ଏକ ଲକର୍ ରଖାଯାଇଛି। ଏଥିସହିତ ପତ୍ନୀଙ୍କ ନାଁରେ ଭୁବନେଶ୍ୱର ଡେଲ୍ଟାରେ ୪-ବିଏଚ୍କେ ଫ୍ଲାଟ୍ କିଣିବାକୁ ଏକ କମ୍ପାନିକୁ ଅଗ୍ରୀମ ୫୬.୪୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ଏଯାଏଁ ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୩କୋଟିରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ତଦନ୍ତ ଏବେବି ଜାରି ରହିଛି ।
Comments are closed.