Latest Odisha News

ପୁନେରେ ବ୍ୟାଟିଂ-ବୋଲିଂ ଫ୍ଲପ୍, ୧୬ ରନରେ ହାରିଲେ ହାର୍ଦ୍ଦିକ ଆଣ୍ଡ କୋ

ପୁନେ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଭାରତୀୟ ଦଳକୁ ୧୬ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସ‌ୋସିଏସନ୍‌ ଷ୍ଟାଡିୟମ୍‌ରେ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୯୦ ରନ୍‌ କରିବାରେ ସକ୍ଷମ ହୋଇଛି। ଭ୍ରମଣକାରୀ ଦଳ ମ୍ୟାଚ ଜିତି ଦୁଇ ଦିନ ପୂର୍ବେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚର ବଦଲା ପୁଣେରେ ନେଇଛି।

ଏହା ସହିତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ହୋଇଛି। ବର୍ତ୍ତମାନ ଜାନୁଆରୀ ୭ ରେ ରାଜକୋଟ ମ୍ୟାଚ ଗୁରୁତ୍ୱ ରଖିବ। ଟିମ୍ ଇଣ୍ଡିଆର ବ୍ୟାଟିଂ ଓ ବୋଲିଂର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଏପରି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ଉଭୟ ଭାରତୀୟ ଓପନର ଇଶାନ କିଶନ ଏବଂ ଶୁବମାନ ଗିଲ ଭଲ ପ୍ରଦର୍ଶନ କରି ନଥିଲେ। ଈଶାନ କିଶନ୍‌(୨), ଶୁଭବନ ଗିଲ(୫), ରାହୁଲ ତ୍ରିପାଠୀ(୫), ହାର୍ଦ୍ଦିକ ପାଣ୍ଡ୍ୟା (୧୨) ଓ ଦିପକ ହୁଡା (୯) ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲେ। ହେଲେ ସୂର୍ଯ୍ୟକୁମାର ଯାଦବଙ୍କ ୩୬ଟି ବଲ ଖେଳି ୫୧ ରନ୍‌  ଏବଂ ଅକ୍ଷର ପଟେଲଙ୍କ ୬୫ ରନ୍‌ ଦଳକୁ ଗୋଟିଏ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ସହାୟକ ହୋଇଥିଲା।

ଭାରତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଶ୍ରୀଲଙ୍କା ଦଳ ୨୦ ଓଭରରେ ୬ ୱିକେଟ୍ ନେଇ ୨୦୬ ରନ୍ ସଂଗ୍ରହ କରିଥିଲା। ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୨୦୭ ରନ୍ ଆବଶ୍ୟକ ଥିଲା। ଶ୍ରୀଲଙ୍କା ଅଧିନାୟକ ଦାଶୁନ୍ ଶନାକା ୨୨ଟି ବଲରେ ଅପରାଜିତ ୫୬ ରନ କରିଥିଲେ। ଦାଶୁନ୍ ୨ଟି ଚୌକା ଓ ୬ ଛକା ମାରିଥିଲେ। ଶ୍ରୀଲଙ୍କାର ଚରିଥ ଆସଲଙ୍କା ୧୭ ବଲରେ ୫୨ ରନ କରିଥିଲେ।

 

Comments are closed.