ପୁରୀ: “ଶାଳୀନତାପୂର୍ଣ୍ଣ ପୋଷାକ” କ’ଣ ? ଗତ କିଛି ଦିନ ହେବ ଶାଳୀନତାପୂର୍ଣ୍ଣ ପୋଷାକ ଉପରେ ବେଶ୍ ଚର୍ଚ୍ଚା ଚାଲିଥିଲା। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ କେଉଁ ପୋଷାକ ପିନ୍ଧିବେ ସେନେଇ ଆଲୋଚନା ଜୋର ଧରିଥିଲା। ତେବେ ଆଜି ଏହି ଦୂର ହେଲା ଦ୍ୱନ୍ଦ। କାରଣ ଭକ୍ତଙ୍କ ଲାଗି ସ୍ଥିର ହୋଇଛି ଡ୍ରେସ କୋଡ଼। ଏ ସମ୍ପର୍କରେ ଚିଠି ଲେଖି ଅଗବତ କରାଇଛି ଶ୍ରୀମନ୍ଦିର ପ୍ରଶାସନ।
ଶ୍ରୀମନ୍ଦିରକୁ ଗଲେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ। ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି। ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନତା। ମହିଳା ଭକ୍ତମାନେ ଶାଢ଼ୀ, ଶାଲୱାର୍ କମିଜ୍ ପିନ୍ଧିବେ। ପୁରୁଷ ଭକ୍ତମାନେ ପ୍ୟାଣ୍ଟସାର୍ଟ, ଧୋତି ଆଦି ପରିଧାନ କରିପାରିବେ। ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଏହା କୌଣସି ଡ୍ରେସ୍ କୋଡ୍ ନୁହେଁ କିନ୍ତୁ ବିବେକ ଅନୁସାରେ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ରକ୍ଷା ଲାଗି ଉଦ୍ଦିଷ୍ଟ।
ନୂଆ ବର୍ଷ ଅର୍ଥାତ୍ ଜାନୁୟାରୀ ୧ ତାରିଖରୁ ଏହି ‘ଶାଳୀନତାପୂର୍ଣ୍ଣ’ ପୋଷାକ ପିନ୍ଧିବାକୁ ପ୍ରଶାସନ ଭକ୍ତଙ୍କୁ ଅନୁରୋଧ କରିଛି। ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜିଠାରୁ ଭକ୍ତଙ୍କୁ ଏନେଇ ସଚେତନ କରାଯିବ। ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏନେଇ କଡା ଚେକିଂ କରାଯିବ। ଭକ୍ତଙ୍କ ପୋଷାକ ଉପରେ ଧ୍ୟାନ ଦିଆଯିବ। ଯଦି କୌଣସି ଭକ୍ତ ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧନ୍ତି ତେବେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଉପସ୍ଥିତ ରହୁଥିବା ପ୍ରତିହାରୀ ସେବକ ଏବଂ ଜଗନ୍ନାଥ ମନ୍ଦିର ପୋଲିସ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ। ନୀତି ସବ୍ କମିଟି ଏ ବାବଦରେ ନିଷ୍ପତ୍ତି ନେବା ପରେ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅଣ୍ଟା ଭିଡ଼ିଛି।
ଆଜି ସମସ୍ତ ନିଯୋଗ ଏବଂ ପୁରୀ ସହରର ହୋଟେଲ୍, ଲଜିଂ, ଗେଷ୍ଟ ହାଉସ୍ ଠାରୁ ସହଯୋଗ ମଗାଯାଇଛି। ଏହି ପୋଷାକ କିଭଳି ହେବ ତାହା ମଧ୍ୟ ପ୍ରଶାସନ ପକ୍ଷରୁ ଲେଖା ଯାଇଥିବା ଚିଠି ଯୋଗେ ଜଣାଇ ଦିଆଯାଇଛି। ଏକ ଆଧ୍ୟାତ୍ମିକ ପରିବେଶ ରକ୍ଷା, ଭକ୍ତଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି ନକରିବା ଲାଗି ଏପରି ପୋଷାକ ପିନ୍ଧିବାକୁ ଅନୁରୋଧ କରାଯାଇଛି।
Comments are closed.