ପୁରୀ: ଜ୍ୱରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅଣସର ଘରେ ଚାଲିଛି ଚିକିତ୍ସା । ରାଜବୈଦଙ୍କ ପରାମର୍ଶ ଅନୁଯାୟୀ ଫୁଲୁରୀ ତେଲ ଓ ଓଷଲାଗି ପରେ ବି ଠାକୁରଙ୍କ ଜର ଛାଡ଼ିନି । ଆଜି ମହାପ୍ରଭୁଙ୍କୁ ଦିଆଯବ ଦଶମୂଳ ମୋଦକ । ଶ୍ରୀମନ୍ଦିର ରାଜବୈଦଙ୍କ ଘରେ ଚାଲିଛି ଏହି ମୋଦକ ତିଆରି । ଆଜି ଦଶମୀ ତିଥିରେ ଏହି ଆୟୁର୍ବେଦ ମୋଦକ ଖାଇ ସୁସ୍ଥ ହେବେ ମହାପ୍ରଭୁ ।
ପରମ୍ପରା ଅନୁସାରେ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଘରୁ ଆସିଥାଏ ଏହି ଔଷଧ । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳ ପ୍ରସ୍ତୁତ ହୋଇଥାଏ । ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣ ଚୁଡା, ଲବଙ୍ଗ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଥାଏ । ଆଜି ଅପରାହ୍ନରେ ଏହା ଶ୍ରୀମନ୍ଦିରକୁ ଅଣାଯିବ । ମଧ୍ୟରାତିରେ ଦଶମୂଳ ମହୌଷଧୀ ଲାଗି କରାଯିବ । ଏହା ସହିତ ଅଣସର ଦଶମୀ ଅବସରରେ ଶ୍ରୀମନ୍ଦିରରେ ଚକାବିଜେ ନୀତି ଅନୁଷ୍ଠିତ ହେବ ।
ଦଇତାପତି ସେବକମାନେ ଶ୍ରୀଜିଉଙ୍କୁ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉଟିକେ ସୁସ୍ଥ ଅନୁଭବ କରିବେ।
ଏପଟେ ଆଜି ବସୁଛି ଶେଷ ରଥଯାତ୍ରା ସମନ୍ଵୟ କମିଟି ବୈଠକ । ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଆଜି ଚୂଡାନ୍ତ ଆଲୋଚନା କରାଯିବ। ଏହି ବୈଠକରେ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯକ୍ରମ ରହିଛି ।
Comments are closed.