ଭୁବନେଶ୍ୱର: ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଷ୍ଟାଣ୍ଡିଂ କମିଟି ମିଶନ ଶକ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ କୁହାଯାଇଛି ମିଶନ ଶକ୍ତି ଯୋଜନାରେ ରାଜ୍ୟ ସରକାର ଯେଉଁ ଋଣ ପ୍ରଦାନ କରୁଛନ୍ତି ଏସଏଚଜି ମହିଳା ମାନଙ୍କୁ ସେମାନେ ଋଣ ପରିଶୋଧ କରୁନାହାନ୍ତି ଏବଂ ଋଣ ଟଙ୍କା ସଠିକ ଭାବେ ବିନିଯୋଗ ହୋଇପାରୁନି।
ଅର୍ଥାତ୍ ରାଜ୍ୟ ତହବିଲରୁ ୨୦୦୧ରୁ ମିଶନ ଶକ୍ତି ଯୋଜନାରେ କୋଟି କୋଟି ଟଙ୍କା ଦୀର୍ଘ ବର୍ଷ ହେବ ଯେଉଁ ଋଣ ପ୍ରଦାନ କରାଯାଇଛି ତାର ଭରଣ କେମିତି ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାକୁ ନେଇ ବିରୋଧୀ ବିଜେପି ଶାସକ ଦଳକୁ ଘେରିବା ସହିତ ମିଶନ ଶକ୍ତି ଜରିଆରେ ରାଜ୍ୟ ସରକାର ଟଙ୍କା ବାଣ୍ଟି ଭୋଟ୍ ବ୍ୟାଙ୍କ ରାଜନୀତି ଛଡା ଆଉ କିଛି କରୁନାହାନ୍ତି ବୋଲି ଅଭିଯୋଗ କରିଛି।
ନିକଟରେ ମିଶନ ଶକ୍ତି ବିଭାଗ ଏକ ପ୍ରେସମିଟ୍ କରି ବଜେଟ ବାବଦରେ ସୂଚନା ଦେଇଥିଲେ। ଏହି ସମୟରେ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ରମ ଏବଂ ସଚିବ ସୁଜାତା କାର୍ତିକେୟନ ମଧ୍ୟ ଉପସ୍ଥିତ ଥିଲେ। ସାମ୍ବାଦିକମାନେ ମିଶନ ଶକ୍ତିରେ ଦିଆଯାଉଥିବା ଋଣ କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ବୋଲି ବିରୋଧୀ ଅଭିଯୋଗ କରୁଥିବା କଥା କହିଥିଲେ। ଏହି ସମୟରେ ସଚିବ ସୁଜାତା କାର୍ତିକେୟନ କିନ୍ତୁ କହିଥିଲେ, ଏହି ମିଶନ ଶକ୍ତି ଜରିଆରେ ଋଣ ପାଇ କୋଭିଡ୍ ବେଳେ ଘର ଚଳାଇଛନ୍ତି। ଯାହାକି ଏବେର ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ଯଦି ଅନୁଧ୍ୟାନ କରାଯିବ ତାହା ପ୍ରମାଣିତ କରୁଛି ଋଣ ଜରିଆରେ କେବଳ ଟଙ୍କା ଦିଆଯାଉଛି କିନ୍ତୁ ଏହାର ଲକ୍ଷ୍ୟ କେତେ ଦୂର ପୂରଣ ହେଉଛି ତାହା ବାସ୍ତବରେ ଅନୁଧ୍ୟାନ କରିବାର ଆବଶ୍ୟକ ରହିଛି।
ତେବେ ଷ୍ଟାଣ୍ଡିଂ କମିଟିର ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଏସଏଚଜି ସଦସ୍ୟାକୁ ବିଭିନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ତାଲିମ ଦିଆଯିବାର ଆବଶ୍ୟକତା ରହିଛି। ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ବଜାର ସୃଷ୍ଟି କରାଯିବା ଆବଶ୍ୟକ ରହିଛି।
ଅନ୍ୟପଟେ ଏହାକୁ ନେଇ ବୟାନବାଜି ମଧ୍ୟ ତେଜିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, କମିଟି ଦେଇଥିବା ରିପୋର୍ଟରେ ସତ୍ୟାସତ୍ୟ ରହିଛି । ସରକାରୀ କର୍ମଚାରୀଙ୍କ ସ୍ତରରେ ଯେଉଁ ଦୁର୍ନୀତି ଥିଲା, ତାକୁ ତଳ ସ୍ତରକୁ ନେଇ ଏସଏଚଜି ଗ୍ରୁପ୍ ଦ୍ୱାରା ଦୁର୍ନୀତି ହେଉଛି ।
ଜବାବରେ ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ଜୟନାରାୟଣ ଏସଏଚଜି ମା’ମାନଙ୍କୁ ଅପମାନଙ୍କୁ ଅପମାନିତ କରିଛନ୍ତି । ଏହା ସାରା ଓଡି଼ଶାର ମା’ମାନଙ୍କ ପ୍ରତି ଅପମାନ। ଆଉ ବିରୋଧୀ ଦଳ ନେତାଙ୍କ ମୁଣ୍ଡ ଦୋଷ ଅଛି କହି ପ୍ରକୃତ ପ୍ରସଙ୍ଗରୁ ଓହରିବାକୁ ଚେଷ୍ଟା କରିଛନ୍ତି ଏହି ବିଜେଡି ନେତ୍ରୀ।
Comments are closed.