Latest Odisha News

BREAKING NEWS

ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି, ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଜେପି କୃଷକ ମୋର୍ଚ୍ଚା। ଏନେଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା। ରାଜ୍ୟରେ ଦୀର୍ଘ ୨୩ ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ, ଚାଷୀ ବିରୋଧୀ ବିଜୁ ଜନତା ଦଳ ସରକାର ଚାଷୀଙ୍କୁ ଅବହେଳା କରୁଛି। ଓଡ଼ିଶାର ୭୩ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି କିନ୍ତୁ ରାଜ୍ୟ ସରକାର ଚାଷ ଓ ଚାଷୀ ପାଇଁ କୌଣସି ଅଗ୍ରାଧିକାର, ପ୍ରାଥମିକତା ନାହିଁ। ଚାଷୀଙ୍କ ଉନ୍ନତି କିମ୍ବା ସୁରକ୍ଷା ଦେଲା ଭଳି କୌଣସି ଯୋଜନା ରାଜ୍ୟ ସରକାର କରିନାହାଁନ୍ତି।

ଅନାବୃଷ୍ଟି ଯୋଗୁଁ ମରୁଡ଼ି ଭଳି ବିପତ୍ତିର ସମ୍ମୁଖୀନ ହେଉଛନ୍ତି ଓଡ଼ିଶାର ଚାଷୀ। ଫସଲ ହାନୀ ପାଇଁ ଋଣ ନସୁଝି ପାରିବା କାରଣରୁ ଆତ୍ମହତ୍ୟା କରୁଛନ୍ତି ଚାଷୀ। ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି। ରାଜ୍ୟର ଅନେକ ସ୍ଥାନରେ ମାସକ ଆଗରୁ ଧାନ ଅମଳ ହେବା ସତ୍ତ୍ବେ ସରକାର ମଣ୍ଡି ଖୋଲିଥିବାରୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ। ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବିନୋଚନ ପାଇଁ ଭାରତୀୟ ଜନତା ପାର୍ଟି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କୁ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଛନ୍ତି ।

ସେହିପରି ରାଜ୍ୟ ସରକାର ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଓ ଦୁର୍ନୀତି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଧାନ କୁଇଂଟାଲ ପିଛା ୫ ରୁ ୧୦କିଗ୍ରା କଟନିଛଟନି କରାଯାଉଛି । ରାଜ୍ୟ ସରକାର ତୁରନ୍ତ ଧାନ ଦୁର୍ନୀତି ବନ୍ଦ କରି ଧାନମଣ୍ଡିକୁ ମିଲରଙ୍କ ଦାଦାଗିରିକୁ ମୁକ୍ତ କରାଯାଉ, ଧାନମଣ୍ଡି ସବୁଦିନ ଖୋଲାଯାଉ ଓ ରାଜ୍ୟରେ ଧାନ କାରବାରରେ ବିଗତ ଦିନରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି।
ରାଜ୍ୟ ସରକାର ଓଡ଼ିଶାରେ ଥିବା କୃଷି ଭିତିକ ଶିଳ୍ପ ଯଥା-ଚିନିକଳ, ସୂତାକଳ ଓ ଝୋଟକଳ ଖୋଲନ୍ତୁ ଓ ଖାଦ୍ୟପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା କରନ୍ତୁ।

ରାଜ୍ୟ ସରକାରଙ୍କ ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୁଆଡେ ଗଲା ? ୧୧୨ଟି ଶୀତଳ ଭଣ୍ଡାରରୁ ମାତ୍ର ୮ଟି କାର୍ଯ୍ୟକ୍ଷମ ଅଛି। ରାଜ୍ୟ ସରକାର କେନ୍ଦ୍ରକୁ ସମସ୍ତ କୃଷକଙ୍କ ନାମ ତାଲିକା ଦେଉନଥିବାରୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ୩୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଓ ବୀମା କମ୍ପାନିମାନଙ୍କ ସହ ମିଶି ଅନୈତିକ ଭାବେ ଚାଷୀଙ୍କ ଟଙ୍କା ହଡ଼ପ କରୁଛନ୍ତି। ଯେଉଁଥିପାଇଁ ଫସଲ ବୀମା ଟଙ୍କା ପାଉନାହାନ୍ତି ଓଡ଼ିଶା ଚାଷୀ। ଏହି ସବୁ ସମସ୍ୟାର ସମାଧାନ ଏବଂ କୃଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଛି ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ। ଏ ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ।

Comments are closed.