Latest Odisha News

BREAKING NEWS

ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକ ହେବେ ସଶକ୍ତ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ିଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ  

ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବସାଇଟ୍ ଉନ୍ମୋଚିତ

ଭୁବନେଶ୍ବର: ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ପରାମର୍ଶ ଲୋଡ଼ିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ଅର୍ଥ କମିଶନ ର ୱେବସାଇଟ୍ (https://sfc.odisha.gov.in) ଉନ୍ମୋଚନ କରିଛନ୍ତି। ଏହି ୱେବସାଇଟ୍ ନିର୍ବାଚିତ ପ୍ରତିନିଧି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସଂଗଠନ, ସାମାଜିକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କଠାରୁ ପରାମର୍ଶ / ମତାମତ ଆହ୍ଵାନ କରିବା ପାଇଁ ବିକଶିତ କରାଯାଇଛି । ଏହି ୱେବସାଇଟ୍ ରେ ଜନସାଧାରଣଙ୍କ ସୂଚନା ପାଇଁ ପୂର୍ବ ଏବଂ ବର୍ତ୍ତମାନର ରାଜ୍ୟ ଅର୍ଥ କମିଶନ, ଅଧ୍ୟୟନ ରିପୋର୍ଟ, ପୂର୍ବ ରାଜ୍ୟ ଅର୍ଥ କମିଶନର ରିପୋର୍ଟ ଆଦିର ବିବରଣୀ ମଧ୍ୟ ରହିଛି।

ଏହି ବୈଠକରେ ଷଷ୍ଠ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଷଷ୍ଠ ରାଜ୍ୟ ଅର୍ଥ କମିଶନର ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକ, କମିଶନର ସଦସ୍ୟ ସଚିବ ଡକ୍ଟର ସତ୍ୟ ପ୍ରିୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟପାଳ, ଭାରତୀୟ ସମ୍ବିଧାନର ଧାରା 243-I ଏବଂ ଧାରା 243-Y ଅନୁଯାୟୀ, ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଠନ କରିଛନ୍ତି। ଯାହା ୧ ଏପ୍ରିଲ, ୨୦୨୬ ଠାରୁ ୫ ବର୍ଷ ପାଇଁ ରାଜ୍ୟ ସରକାରଙ୍କଠାରୁ ସ୍ଥାନୀୟ ନିକାୟ ସଂସ୍ଥା (ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ)ଗୁଡିକୁ ସମ୍ବଳ ହସ୍ତାନ୍ତର ପାଇଁ ସୁପାରିଶ କରିବେ।

 

Comments are closed.