ଭୁବନେଶ୍ୱର: କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସୋମବାର ସରପଞ୍ଚଙ୍କ ଆନ୍ଦୋଳନକୁ ନିଜର ଦଳୀୟ ସମର୍ଥନ ଜଣାଇବା ସହ ଓଡ଼ିଶା ସରକାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କ୍ଷୁର୍ଣ୍ଣ କରୁଥିବାରୁ କଡ଼ା ସମାଲୋଚନା କରିଛନ୍ତି। ଏପରି କାମ କେବଳ ଜନ ବିରୋଧୀ ନୁହଁ ବରଂ ସମ୍ବିଧାନ ବିରୋଧୀ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ କହିଛନ୍ତି।
ବିଜୟ ପଟ୍ଟନାୟକ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟମାନଙ୍କୁ ଭେଟିଥିଲେ, ଯେଉଁମାନେ ଆବଶ୍ୟକ ଦରମା ସମେତ ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ଭତ୍ତା ଓ ପେନସନ, କାମ କରିବାର ସ୍ୱାଧୀନତା, ନିଜ କ୍ଷମତାକୁ ସ୍ୱାଧୀନ ଭାବେ ପ୍ରୟୋଗ କରିବା ଏବଂ ଅଧିକାରୀଙ୍କ ହସ୍ତକ୍ଷେପ ବନ୍ଦ କରିବା ଆଦିକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି।
କଂଗ୍ରେସ ନେତା ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ସହ ଦଳ ପକ୍ଷରୁ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଚାୟତ ସଦସ୍ୟମାନଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ ନିନ୍ଦା କରି ସେ କହିଛନ୍ତି ଯେ, ବିଜେଡି ଶାସନରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି।
କଂଗ୍ରେସ ଶାସନ କାଳରେ ସମ୍ବିଧାନର 73ତମ ସଂଶୋଧନ କରାଯାଇ ସ୍ୱୟଂଶାସିତ ସଂସ୍ଥା ଭାବେ କାମ କରିବା ପାଇଁ ଆବଶ୍ୟକ କ୍ଷମତା ଓ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତୃଣମୂଳ ସ୍ତରରୁ ପ୍ରଶାସନକୁ ବିକେନ୍ଦ୍ରୀକରଣ କରାଯାଇ ଅର୍ଥ, କାମ ଓ କର୍ମୀଙ୍କ ଜରିଆରେ ପଞ୍ଚାୟତକୁ ନିଆଯାଇଥିଲା। କିନ୍ତୁ ବିଜେଡି ସରକାର ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସମସ୍ତ କ୍ଷମତାକୁ ନିଜ ଭିତରେ କେନ୍ଦ୍ରୀଭୂତ କରିଦେଇଛି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।
ବର୍ତ୍ତମାନର ସରକାର ସଚିବ, ଏସପି, ଜିଲ୍ଲାପାଳ, ବିଡିଓ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଜରିଆରେ ରାଜ୍ୟ ପ୍ରଶାସନ ଚଳାଇବାକୁ ଚାହୁଁଥିବା ଅଭିଯୋଗ କରି କଂଗ୍ରେସ ନେତା କହିଛନ୍ତି ଯେ, ନୂଆ ଫର୍ମୁଲା କେବଳ ଜନବିରୋଧୀ ନୁହେଁ, ସମ୍ବିଧାନ ବିରୋଧୀ ମଧ୍ୟ।
ସରକାରଙ୍କ ଏଭଳି କାର୍ଯ୍ୟଶୈଳୀ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଦର୍ଶାଇ ସେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସରକାରରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି।
Comments are closed.