Latest Odisha News

BREAKING NEWS

ଆସନ୍ତା ୨୨ରେ ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା

ଭୁବନେଶ୍ଵର: ଆସନ୍ତାକାଲି ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବ । ଭୁବନେଶ୍ୱର ଓୟୁଏଟି ବିଶ୍ୱବିଦ୍ୟାଳୟ ପରିସରରେ ଥିବା “କୃଷି ଶିକ୍ଷା ସଦନ” ଠାରେ ସଂଧ୍ୟା ୫ଟାରେ ଅନୁଷ୍ଠିତ ହେବ ଏହି ଶ୍ରଦ୍ଧାଞ୍ଜଳୀ ସଭା । ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ତେବେ ସଭାରେ ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ, ଆପ୍ ଦଳର ବରିଷ୍ଠ ଓ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ, ଧାର୍ମିକ ସଂଗଠନ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାମ୍ବାଦିକ, ଡାକ୍ତର, ଅଧିବକ୍ତାମାନଙ୍କୁ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ସ୍ମୃତିଚାରଣ କରିବାକୁ ନିମନ୍ତ୍ରଣ କରାଯାଇଛି ।

ସୂଚନା ଅନୁସାରେ, ବିଶିଷ୍ଟ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଗତ ୧୭ ତାରିଖ ଦିନ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ଦେହାନ୍ତ ହୋଇଥିଲା । ଦେବେନ୍ଦ୍ର ଦେବଗଡ଼ ଲୋକସଭା କ୍ଷେତ୍ରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ଓ ୧୯୯୯ରେ ସେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ୧୯୯୮ରେ ସେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ହୋଇଥିଲେ । ୧୯୯୯ରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ସହ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଳଚେର ବିଜେପି ମଣ୍ଡଳ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୮ରୁ ୧୯୯୦ ଓ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦୁଇଥର ସେ ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୫ରେ ସେ ତୃତୀୟ ଥର ପାଇଁ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ୨୦୦୧ରୁ ୨୦୦୨ ପର୍ଯ୍ୟନ୍ତ ସେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଥିଲେ ।

ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଏହି ସଭାରେ ସମସ୍ତ କାର୍ଯ୍ୟକର୍ତା ତଥା ଶୁଭେଚ୍ଛୁମାନେ ଉପସ୍ଥିତ ରହି ସ୍ୱର୍ଗତଃ ଡା.ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଅନୁରୋଧ କରିଛନ୍ତି ।

Comments are closed.