Latest Odisha News

BREAKING NEWS

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ, ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି । ୨୦୨୩ମସିହା ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି।

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ସମସ୍ତଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇଥିଲେ ରାଜ୍ୟପାଳ । ରାଜ୍ୟ ଆରକ୍ଷୀ ବାହିନୀର ୪ ଜଣଙ୍କୁ ମାଓ ବିରୋଧ ଅଭିଯାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ସାହସିକତା ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ଦୁଇଜଣ ଆରକ୍ଷୀ ଅଧିକାରୀଙ୍କୁ ତାଙ୍କର ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି। ଏଥିସହ ୧୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୭ ହଜାର ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି।ରାଜ୍ୟ ଆରକ୍ଷୀ ବାହିନୀର ୨୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି ।


ରାଜ୍ୟ ଅଗ୍ନିଶମ ସେବା ବର୍ଗର ଜଣଙ୍କୁ ୨୦୨୩ ସ୍ଵାଧୀନତା ଦିବସ ପାଇଁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସାହସିକତା ପଦକ ପ୍ରଦାନ କରାଯାଇଥିବାବେଳେ ଦୁଇଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ବର୍ଗରେ ୩ ଜଣଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ଅଗ୍ନିଶମ ଓ ଜରୁରୀକାଳୀନ ସେବା ବର୍ଗର ଦୁଇଜଣ ଅଧିକାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ନିମନ୍ତେ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା କାରାଗାର ସଂଗଠନରେ କାର୍ଯ୍ୟରତ ୫ ଜଣ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠ ଓ ବୃତ୍ତିଗତ ନୈପୁଣ୍ୟ ପାଇଁ ୨୦୨୩ ସ୍ଵାଧୀନତା ଦିବସ ପାଇଁ ପ୍ରଶଂସନୀୟ ସଂସ୍କାର ସେବା ପଦକ, ୭୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି।
ଏହି ଅବସରରେ ୨୦୨୪ ସାଧାରଣତନ୍ତ୍ର ଦିବସ ପାଇଁ ପଦକ ତାଲିକା ଘୋଷଣା କରାଯାଇଥିଲା । ଏଥିରେ ସାହସିକତା, ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ ସେବା ପାଇଁ ୩୩ ଜଣଙ୍କ ନାମ ଘୋଷଣା ହୋଇଛି ।ଏହି ପଦକ ପ୍ରଦାନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥ୍ୟ ଭାବେ ଉପସ୍ଥିତ ରହି ସମସ୍ତଙ୍କୁ ପଦକ, ମାନପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.