Latest Odisha News

ଏସସିଏସଟିଆରଟିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

କବିତା ମାଧ୍ୟମରେ ଆଦିବାସୀ ଜୀବନ, ସଂସ୍କୃତି ଓ ପରମ୍ପରାର ପ୍ରତିଛବି

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜନଜାତି କବିମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍ଘାଟକ ଏବଂ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।

ଆଦିମ କାଳରୁ ରଚିତ ଜନଜାତି ସାହିତ୍ୟର ପ୍ରକୃତି ସହ ସାମଞ୍ଜସ୍ୟ ରଖିବା ସହ ବିଭିନ୍ନ ଜନ ଜାତୀୟ କବିତାରେ ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ପ୍ରକୃତି ଆଦି ବିଷୟରେ ଅତି ନିଖୁଣ ଭାବେ ବର୍ଣ୍ଣନା ହୋଇଥିବା ଦେଖିବାକୁ ମିଳେ । ତେଣୁ ବର୍ତ୍ତମାନ ସମୟରେ ଆଦିବାସୀ ସାହିତ୍ୟକୁ ଆହୁରି ଆଗକୁ ନେବାର ସମୟ ଆସିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ସମ୍ମିଳନୀରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମରେନ୍ଦ୍ର ଭୁତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ସହକାରୀ ନିର୍ଦ୍ଦେଶକ ମଧୁସ୍ମିତା ସାହୁ ଏବଂ ପ୍ରତିଷ୍ଠାନର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Comments are closed.