Latest Odisha News

ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍‌: ମାଡିବସିଲା ଏସ୍‌ଟିଏଫ, ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ନୂଆପଡ଼ା: ବନ୍ୟପ୍ରାଣୀ ଶିକାର ଓ ଏହାର ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ନୂଆପଡ଼ା ଜିଲ୍ଲାରେ ଗତ ଦୁଇ ତିନି ବର୍ଷ ମଧ୍ୟରେ ପ୍ରତ୍ୟେକ ଦୁଇ ତିନି ମାସରେ ବ୍ୟବସାୟୀ ମାନେ ଗିରଫ ହୋଇ କୋର୍ଟ ଚାଲାଣ ହେଉଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଦୁଇ ମାସ ତଳେ ଖଡ଼ିଆଳ ସହରରେ ବାଘ ଛାଲ ବିକ୍ରି ଡିଲ ସମୟରେ ଏସ୍‌ଟିଏଫ ଟିମ୍ ହାତରେ ବ୍ୟବସାୟୀ ମାନେ ଧରାପଡ଼ିଥିବା ବେଳେ, ଗତ ରବିବାର ବିଳମ୍ବିତ ରାତିରେ ସିନାପାଲି ରେଞ୍ଜ କୁରୁଲୁଭଟା ଗ୍ରାମ ନିକଟରେ ବାଘ ଛାଲ ଡ଼ିଲ ସମୟରେ ବନବିଭାଗ ଚଢାଉ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଡିଏଫଓ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ ମହମ୍ମଦ ମୁଷ୍ଟାଫା ସାଲିହାଙ୍କ ନେତୃତ୍ଵରେ ସିନାପାଲି ବନବିଭାଗ ଓ ଛତିଶଗଡ ସିତାନଦି ରିଜର୍ଭ ଫରେଷ୍ଟ ବିଭାଗ ତରଫରୁ କେନ୍ଦୁମୁଣ୍ଡା ପଞ୍ଚାୟତର କୁରୁଲୁଭଟା ଗାଁରେ ଚଢାଉ କରିଥିଲେ। ଚଢାଉ ସମୟରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ଏକ କଲରାପତରିଆ ବାଘ ଛାଲ ସହ ସେମାନଙ୍କ ଠାରୁ ତିନି ଗୋଟି ମୋବାଇଲ୍ ଜବତ କରି ତଦନ୍ତ ଚାଲିଥିଲା।

ଏଥିରେ ଅନ୍ୟମାନଙ୍କ ସଂପୃକ୍ତି ଥିବା ସନ୍ଦେହ କରି ସେମାନଙ୍କ ନାମ ଗୋପନ ରଖାଯାଇଛି। ସମସ୍ତ ଅଭିଯୁକ୍ତ ସିନାପାଲି ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ଖଡ଼ିଆଳ ଡିଏଫଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.