Latest Odisha News

BREAKING NEWS

ବୁମରାହଙ୍କୁ ନେବା ପାଇଁ ରାଜି ହୋଇ ନ ଥିଲେ ଅଗରକର

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଘୋଷିତ ଚୂଡାନ୍ତ ଟିମରୁ ଯଶପ୍ରୀତ ବୁମରାହ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ଦିଆଯାଇଛି । ବୁମରାହ ବାଦ ପଡିବା ପଛରେ ଅଜିତ ଅଗରକର ମୂଖ୍ୟ ଭୂମିକା ନେଇଥିବା ଏବେ ଜଣାପଡିଛି । ଯାହାକୁ ନେଇ ପ୍ରଶଂସକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ବୁମରାହଙ୍କୁ ଏନସିଏ ଫିଟ ଘୋଷିତ କରିଥିଲେ । ତେବେ ତାଙ୍କୁ କାହିଁକି ଦଳରୁ ବାଦ ଦିଆଗଲା ତାହା ଏବେ ଚର୍ଚ୍ଚାର କାରଣ ସାଜିଛି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ବୁମରାହ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ଏନସିଏରେ ସେ ୬ ସପ୍ତାହ ରିହ୍ୟାବ କରିଥିଲେ ।

ଏନସିଏ ମୂଖ୍ୟ ନିତିନ ପଟେଲଙ୍କ ଦ୍ୱାରା ପଠାଯାଇଥିବା ରିପୋର୍ଟରେ ନିତିନଙ୍କୁ ଚିକିତ୍ସୀକୀୟ ରୂପରେ ଫିଟ ଘୋଷିତ କରାଯାଇଥିଲା । ସେ ଚାମ୍ପିୟନ୍ସ ଟ୍ରଫି ଖେଳିବେ ବୋଲି ପ୍ରଶଂସକମାନେ ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲେ । ଏହା ପରେ ଏନସିଏ ବୁମରାହଙ୍କ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବା ଦାୟିତ୍ୱ ଚୟନ କମିଟିଙ୍କ ଉପରେ ନ୍ୟସ୍ତ କରିଥିଲେ । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଏହା ପରେ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ସହ ଆଲୋଚନା କରିଥିଲେ । ଚାମ୍ପିୟନ୍ସ ଟ୍ରଫି ପରି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଚୟନ କମିଟି କୌଣସି ରିସ୍କ ନେବାକୁ ଚାହୁଁ ନ ଥିଲେ । ଅଧାରୁ ଯଦି ବୁମରାହ ଅନଫିଟ ହେବେ ତାହାହେଲେ ଟିମର ପ୍ରଦର୍ଶନ ପ୍ରଭାବିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା ।

ଶେଷରେ ବୁମରାହଙ୍କ ବଦଳରେ ଯୁବ ଏବଂ ଫିଟ ହର୍ଷିତଙ୍କୁ ସାମିଲ କରାଯାଇଥିଲା । ମୂଖ୍ୟ କଥା ହେଲା ଏନସିଏ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ବୁମରାହ ସମ୍ପୂର୍ଣ୍ଣ ଭାବେ ବୋଲିଂ କରିପାରିବେ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରି ନ ଥିଲେ । ୨୦୨୨ରେ ବୁମରାହଙ୍କ ପିଠିରେ ଅସ୍ତ୍ରୋପଚାର କରାଯାଇଥିଲା । ସେ ପ୍ରାୟ ୧୦ ମାସ ପରେ ଫିଟ ହୋଇ ଟିମ ଇଣ୍ଡିଆରେ ସାମିଲ ହୋଇଥିଲେ । ଏବେ ବୁମରାହ ଆଗାମୀ ଆଇପିଏଲରେ ଖେଳିବେ ବୋଲି ଅନୁମାନ କରାଯାଉଛି ।

Comments are closed.