Latest Odisha News

ମହାରାଜଙ୍କ ମାନହାନି କରିଥିବା ଜଣେ ସାମ୍ବାଦିକ 

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଛି ଚର୍ଚ୍ଚିତ ହିନ୍ଦି ଫିଲ୍ମ ‘ମହାରାଜ’ । ଫିଲ୍ମର ବିଷୟବସ୍ତୁ ଉନ୍ନବିଂଶ ଶତାବ୍ଦୀର ଏକ ଚର୍ଚ୍ଚିତ କୋର୍ଟ କେସ୍ ଓ ଜଣେ ନିର୍ଭୀକ ସାମ୍ବାଦିକଙ୍କ ଉପରେ ଆଧାରିତ । ସାମ୍ବାଦିକ ସୌରଭ ଶାହଙ୍କ ଉପନ୍ୟାସ ‘ମହାରାଜ’ର କଥାବସ୍ତୁ ଉପରେ ନିର୍ମିତ ହୋଇଛି ଫିଲ୍ମ। ଜଣେ ଧର୍ମଗୁରୁଙ୍କ ଯୈାନ କେଳେଙ୍କାରୀ ସଂପର୍କରେ ଜଣେ ସାମ୍ବାଦିକଙ୍କ ସ୍ୱର ଉତ୍ତୋଳନ ଓ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା ମହାରାଜ ଫିଲ୍ମରେ ଦେଖାଯାଇଛି ।

ମହାରାଜ ଫିଲ୍ମରେ ଯେଉଁ ନିର୍ଭୀକ ସାମ୍ବାଦିକଙ୍କ କଥା କୁହାଯାଉଛି, ସେ ହେଲେ କରସନଦାସ ମୁଲଜୀ। ପ୍ରାୟ ୧୫୦ ବର୍ଷ ପୂର୍ବେ ନାରୀ ନିର୍ଯାତନା ଏବଂ ରୁଢିବାଦୀ ଧାର୍ମିକ ପରମ୍ପରା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ସାମ୍ବାଦିକ କରସନଦାସ ମୁଲଜୀ। ପ୍ରଗତିଶୀଳ ଓ ମୁକ୍ତ ଚିନ୍ତାଧାରା ଯୋଗୁଁ କରସନଦାସ ମୁଲଜୀଙ୍କୁ ସେତେବେଳର ରକ୍ଷଣଶୀଳ ସମାଜରେ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।

କରସନଦାସ ମୁଲଜୀ ସାମ୍ବାଦିକତା କରୁଥିବା ବେଳେ ଯଦୁନାଥଜୀ ମହାରାଜ ନାମକ ଏକ ଧାର୍ମିକ ସଂଗଠନର ଗୁରୁଙ୍କ ବିରୋଧରେ ଆଣିଥିଲେ ଯୈାନ କେଳେଙ୍କାରୀ ପରି ସଂଗୀନ ଅଭିଯୋଗ । ଏନେଇ ସେ ନିଜ ପତ୍ରିକା ସତ୍ୟପ୍ରକାଶରେ ଲେଖା ଛାପିଥିଲେ । ଚରଣ ସେବା ନାମକ ଏକ ରୀତି ଆଳରେ ଯଦୁନାଥଜୀ ମହିଳା ଭକ୍ତଙ୍କୁ ଯୈାନ ଶୋଷଣ କରୁଥିବା ଅଭିଯୋଗ ଆଣିଥିଲେ କରସନଦାସ। ଯଦୁନାଥଜୀ ମହାରାଜଙ୍କ ବିରୋଧରେ କରସନଦାସଙ୍କ ଅଭିଯୋଗ ଚାଂଚଲ୍ୟ ସୃଷ୍ଟି କରିଥିଲା। ଯଦୁନାଥଜୀ ଥିଲେ ବେଶ୍ ପ୍ରଭାବଶାଳୀ । କରସନଦାସଙ୍କ ପରିବାର ଲୋକେ ବି ଯଦୁନାଥଜୀ ମହାରାଜଙ୍କୁ ମାନୁଥିଲେ । ଯଦୁନାଥଜୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣଥିବାରୁ କରସନଦାସଙ୍କୁ ଘରୁ ତଡି ଦେଇଥିଲେ ପରିବାର ଲୋକେ ।

ଯୌନ ଶୋଷଣ ଅଭିଯୋଗ ଓ ଏ ସଂପର୍କିତ ଲେଖା ଯୋଗୁଁ ୧୮୬୨ ମସିହାରେ କରସନଦାସ ମୁଲଜୀଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମୋକଦ୍ଦମା କରିଥିଲେ ଯଦୁନାଥଜୀ। ଦୀର୍ଘ ୨୪ ଦିନ ଧରି ଚାଲିଲା ମୋକଦ୍ଦମାର ଶୁଣାଣି । ଯଦୁନାଥଜୀ ମହାରାଜଙ୍କ ପ୍ରାଇଭେଟ ଡାକ୍ତରଙ୍କ ସାକ୍ଷ୍ୟରେ ବଦଳିଗଲା ମାମଲାର ମୋଡ । ଯଦୁନାଥଜୀ ଓ ତାଙ୍କର ସହଯୋଗୀଙ୍କ ବିଭିନ୍ନ ଯୈାନରୋଗର ଚିକିତ୍ସା କରିଛନ୍ତି ଡାକ୍ତରଜଣକ କୋର୍ଟଙ୍କୁ କହିଥିଲେ । ମହିଳା ଭକ୍ତଙ୍କ ସହ ଶାରୀରିକ ସଂପର୍କ ଯୋଗୁଁ ଯଦୁନାଥଜୀ ବିଭିନ୍ନ ଯୌନ ବିକାରର ଶୀକାର ହୋଇଥିଲେ ବୋଲି ତାଙ୍କ ପ୍ରାଇଭେଟ ଡାକ୍ତର ସ୍ୱୀକାର କରିଥିଲେ । ଶେଷରେ ଏହି ଚର୍ଚ୍ଚିତ ମାମଲାର ରାୟ କରସନଦାସଙ୍କ ସପକ୍ଷରେ ଯାଇଥିଲା । ସତ୍ୟପ୍ରକାଶରେ ସେ ଲେଖିଥିବା ସତର ବିଜୟ ହୋଇଥିଲା। ଯଦୁନାଥଜୀ ମହାରାଜଙ୍କ କଳା କାରନାମା ନିର୍ଭୀକ ଭାବେ ଲେଖନୀ ଜରିଆରେ ପଦାକୁ ଆଣିଥିବାରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ କରସନଦାସ। ଇଂରାଜୀ ପ୍ରେସ ତାଙ୍କୁ ପ୍ରଶଂସା କରି ଇଣ୍ଡିଆନ ଲୁଥର ଆଖ୍ୟା ଦେଇଥିଲା ।

Comments are closed.