Latest Odisha News

BREAKING NEWS

ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ନେଇ କଡ଼ା ଆଭିମୁଖ୍ୟ; ସ୍କୁଲରେ ଅନୁପସ୍ଥିତ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜକୁ ୬ ଦିନ ହେଲା ପ୍ରାଥମିକ ବିଦ୍ୟାଳୟରେ ପଡ଼ିଛି ତାଲା। ଲକ୍ଷ ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍। ସାରା ରାଜ୍ୟର ପ୍ରାୟ ୧ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ତିନି ଦଫା ଦାବି ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ରୋକିବାକୁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ବିଇଓ (BEO)ଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।

ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ଦୈନିକ ଉପସ୍ଥାନ ନେବାକୁ ପ୍ରତ୍ୟେକ ବିଇଓଙ୍କୁ ଚିଠି ଲେଖାଯାଇଛି। ସ୍କୁଲରେ ଉପସ୍ଥିତ ଓ ଅନୁପସ୍ଥିତ ଶିକ୍ଷକଙ୍କ ସଂପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଚିଠିରେ ଆନ୍ଦୋଳନରତ ଶିକ୍ଷକଙ୍କୁ ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ନିର୍ଦ୍ଦେଶାଳୟକୁ ଦୈନିକ ରିପୋର୍ଟ ଦେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ ଅଫିସ୍‌ରେ ମଧ୍ୟ ତଥ୍ୟ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ବ୍ୟତିକ୍ରମ ଦେଖାଦେଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏନେଇ ସରକାରଙ୍କ ପକ୍ଷରୁ ଏକ ସବକମିଟି ଗଠନ କରାଯାଇଛି । କମିଟି ଶିକ୍ଷକଙ୍କ ତିନିଟି ଦାବି ଉପରେ ତର୍ଜମା କରିବ। କମିଟି ରିପୋର୍ଟ ଦେବା ପରେ ଶିକ୍ଷକଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତି ନିଆଯିବ। ତେବେ ସରକାରଙ୍କ ଚିଠିକୁ ଡରି ନଯାଇ ଜିଦରେ ଅଟଳ ରହିଛନ୍ତି ଶିକ୍ଷକ । କହିଛନ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ତେବେ ଏଭଳି ସ୍ଥିତି ପାଇଁ ଉଦବେଗ ପ୍ରକାଶ କରିବା ସହ ଚେତାବନୀ ଦେଇଛି ଅଭିଭାବକ ମହାସଂଘ।

Comments are closed.