Latest Odisha News

ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ ଉପରେ ଗୁରୁତ୍ୱ

ଯାଜପୁର: ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ୍ । ଯାଜପୁରରୁ କଟକ, ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସ୍ ଯାତ୍ରୀ ମାନଙ୍କ ଠାରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଯାତ୍ରୀ ଭଡ଼ା ଠାରୁ ଅତ୍ୟଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ପରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନଙ୍କ ନେତୃତ୍ବରେ ଯାଜପୁର ସଦର ଥାନା ଗଜିପାଢି ଛକ ନିକଟରେ ବସ୍ ଗୁଡ଼ିକର ଯାଞ୍ଚ କଡାକଡି କରାଯାଇଛି।

ରାଜ୍ୟ ସରକାରଙ୍କ ସଡକ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ଵାରା ସାଧାରଣ ବର୍ଗର ସରକାରୀ ଧାର୍ଯ୍ୟ ଭଡ଼ା କିଲୋମିଟର ପିଛା ୮୮ ପଇସା, ଦ୍ରୁତଗାମୀ ବସ୍ ଭଡା କିମି ପିଛା ୯୨ ପଇସା ରହିଛି । ତଦନୁସାରେ ସାଧାରଣ ବସରେ ଯାଜପୁରରୁ କଟକ ଭଡ଼ା ୬୬ ଟଙ୍କା ୯୯ ପଇସା ହେଉଥିବା ବେଳେ ଦ୍ରୁତଗାମୀ ବସ୍ ଭଡା ୬୯ ଟଙ୍କା ୯୨ ପଇସା ନେବା କଥା କିନ୍ତୁ ଏହି ବସ ଗୁଡ଼ିକ ୧୦୦ ରୁ ୧୧୦ ଟଙ୍କା ପର୍ଯ୍ୟନ୍ତ ମନଇଚ୍ଛା ଭଡ଼ା ଆଦାୟ କରୁଛନ୍ତି।

ସାଧାରଣ ଯାତ୍ରୀ ମାନଙ୍କଠାରୁ ଜୋର ଜୁଲମ୍ କରି ମନଇଚ୍ଛା ଭଡ଼ା ଆଦାୟ ସହ ଯାତ୍ରୀଙ୍କୁ ଟିକେଟ ଦିଆଯାଉ ନଥିବା ଅଭିଯୋଗ ହେଉଥିଲା। ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଯାଜପୁର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାଜପୁର ସଦର ଥାନା ଅନ୍ତର୍ଗତ ଗଜିପାଢ଼ି ଛକ ନିକଟରେ ଅଧିକାଂଶ ବସକୁ ଅଟକାଇ ଯାଞ୍ଚ କରି ଗାଡ଼ିର ଆବଶ୍ୟକୀୟ କାଗଜ ପତ୍ର ସହ ଯାତ୍ରୀମାନଙ୍କୁ ଭଡ଼ା ଓ ଟିକେଟ ସମ୍ପର୍କରେ ପଚରା ଉଚରା କରାଯାଇଥିଲା।

ଏହି ଅବସରରେ ଯାଜପୁର ଏମଭିଆଇ ଦୀପକ କୁମାର ସେଠୀଙ୍କ ସମେତ ଟିଆଇ ରଜତ ଶତପଥୀ, ଜୁନିଅର ଏମଭିଆଇ ଏନଫର୍ସମେଣ୍ଟ ପ୍ରଦୀପ କିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ୮ଟି ବସରୁ ପାଖାପାଖି ୭୦ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏଥିସହ ବସ ଗୁଡ଼ିକରେ ରେଟ ଚାର୍ଟ ମାରିବା ପାଇଁ ବସ ମାଲିକ ମାନଙ୍କୁ ପରାମର୍ଶ ଦେବା ସହ ଯାତ୍ରା ସମୟରେ କଣ୍ଡକ୍ଟର ଠାରୁ ଟିକେଟ ଗ୍ରହଣ କରିବାକୁ ଯାତ୍ରୀ ମାନଙ୍କୁ ନିବେଦନ କରିଥିଲେ।

Comments are closed.