Latest Odisha News

ପଦ୍ମପୁର ଜିଲ୍ଲା ମାନ୍ୟତା ଦିଗରେ ଅଗ୍ରସର, ଅନ୍ୟ ଅଞ୍ଚଳକୁ ଜିଲ୍ଲା ଘୋଷଣା କରିବାକୁ ତେଜିଲା ଦାବି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ବିଭିନ୍ନ ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦାବିରେ ଦୀର୍ଘ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ପୁଞ୍ଜି କରି ରାଜନୈତିକ ଦଳଗୁଡ଼ିକ ସମର୍ଥନ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ବରଗଡ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ବିବେଚନା କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିବାର ମାତ୍ର ଗୋଟିଏ ଦିନ ପରେ ବିଭିନ୍ନ ସଙ୍ଗଠନ ନିଜ ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦାବିରେ ବଲାଙ୍ଗୀର କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ସେହିପରି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଥିବା ବେଳେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୭ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ପଦ୍ମପୁର ଓ କଣ୍ଟାବାଞ୍ଜି ବ୍ୟତୀତ ଓଡ଼ିଶାର ଅନ୍ୟ ୨୩ଟି ଅଞ୍ଚଳ ପାଇଁ ଜିଲ୍ଲା ମାନ୍ୟତା ଦାବି ଉଠିଛି। ଭୁବନେଶ୍ୱର, ଧର୍ମଗଡ଼, ଆଠଗଡ଼, ନୀଳଗିରି ଓ ଗୁଣୁପୁର ସମେତ ୨୫ଟି ସ୍ଥାନରୁ ଜିଲ୍ଲା ମାନ୍ୟତା ପାଇଁ ପ୍ରସ୍ତାବ ଆସିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି।

ଚଳିତ ବର୍ଷ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ବର୍ଷ ଶେଷ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ। ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ୩ଟି ସମ୍ଭାବ୍ୟ ସ୍ଥାନର ଅନୁଧ୍ୟାନ ପାଇଁ ଉତ୍ତରାଞ୍ଚଳ ରେଞ୍ଜର ଆରଡିସିଙ୍କୁ ପଦ୍ମପୁର ପଠାଇ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂର୍ଣ୍ଣ ହେବାକୁ ଯାଉଛି ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି।

ପଡୋଶୀ ଛତିଶଗଡ଼ରେ ବିଜେପିର ପ୍ରଭାବ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତିତ ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ଦାବି କରିଛି। ସେହିପରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାରେ ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ।

ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଛତିଶଗଡ଼ରେ ଅପ୍ରତ୍ୟାଶିତ ନିର୍ବାଚନୀ ଝଟକା ଯୋଗୁଁ, ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ନବୀନ ପଟ୍ଟନାୟକ ପଦ୍ମପୁରକୁ ଆରଡିସି ପଠାଇଥିଲେ। ଜିଲ୍ଲା ମାନ୍ୟତାର ପ୍ରତିଶ୍ରୁତି ଦେଇ ପଦ୍ମପୁରବାସୀଙ୍କ ଭୋଟ୍ ନେଇଥିଲେ ମୁଖ୍ୟମନ୍ତ୍ରୀ। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଜେଡିର ନୂଆ ରଣନୀତି। ମୁଁ ଦାବି କରୁଛି ଯେ ସେ ଡିସେମ୍ବର ସୁଦ୍ଧା ଏହି ଅଞ୍ଚଳକୁ ଏକ ଜିଲ୍ଲା ଭାବେ ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ୨୪ ବର୍ଷ ବିତିଗଲାଣି, ରାଜ୍ୟରେ ଗୋଟିଏ ବି ଜିଲ୍ଲା ସୃଷ୍ଟି ହୋଇନାହିଁ। ସରକାର ପ୍ରସ୍ତାବ ଅନୁଯାୟୀ ଅନ୍ୟୁନ ୧୨ଟି ସ୍ଥାନକୁ ଜିଲ୍ଲା ମାନ୍ୟତା ପ୍ରଦାନ କରନ୍ତୁ।

ଲୋକଙ୍କ ଆଶା ଓ ପ୍ରତିଶ୍ରୁତି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଶାସକ ବିଜେଡି ନିଜ କାମକୁ ରକ୍ଷା କରିଛି। ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, “ଜନତାଙ୍କ ଆଶା ଓ ପ୍ରତିଶ୍ରୁତି ପୂରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେହି ଆଙ୍ଗୁଳି ଉଠାଇବାକୁ ସାହସ କରୁନାହାନ୍ତି। ସେ ସବୁବେଳେ ଲୋକଙ୍କ ମଙ୍ଗଳ ପାଇଁ ଚିନ୍ତା କରିଆସୁଛନ୍ତି।”

Comments are closed.