ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ। ଆତଙ୍କୀ ଗଡ଼କୁ ସମୂଳେ ଧ୍ବଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍। ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଇସ୍ରାଏଲର ଲଗାତାର ପ୍ରୟାସ ଜାରି ରହିଛି। ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼ ହୋଇଛି। ଅନ୍ୟପଟେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରାଏଲ ଏହି ପଦକ୍ଷେପ ନେଇଛି। ଅର୍ଥାତ୍ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଇସ୍ରାଏଲ ପ୍ରାଥମିକତା ଦେବା ସହ ଇସ୍ରାଏଲର ସୈନ୍ୟ ଅଭିଯାନ ଜାରି ରଖିଛି।
ଏପଟେ ସମୁଦ୍ର ବାଟରେ ହମାସ ଆତଙ୍କୀଙ୍କ ଇସ୍ରାଏଲ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି। ଇସ୍ରାଏଲ ଆଡକୁ ରକେଟ ମାଡ଼ କରୁଛନ୍ତି ହମାସ ଗନ୍ ମ୍ୟାନ୍। ଇସ୍ରାଏଲ ଗାଜାକୁ ସଂପୂର୍ଣ୍ଣ ଘେରାବନ୍ଦୀ କରିଛି। ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ଉପରେ ଇସ୍ରାଏଲ ଗୁରୁତ୍ୱ ଦେଉଛି। ତେଣୁ ଗାଜା ସୀମାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ହୋଇଛନ୍ତି ଇସ୍ରାଏଲ ସେନା। ଅନ୍ୟପଟେ ଗାଜାକୁ ଖାଦ୍ୟ, ପାଣି, ବିଜୁଳି, ତେଲ ଆଦି ଯୋଗାଣ ବନ୍ଦ କରିଛି ଇସ୍ରାଏଲ।
ହମାସ ପକ୍ଷରୁ ଦାବି କରାଯାଇଛି, ଗାଜା ପଟ୍ଟିରେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସେପଟେ ଇସ୍ରାଏଲ ସରକାର ପକ୍ଷରୁ କୁହାଯାଇଛି, ଗାଜା ପଟ୍ଟିରେ ହମାସର ଶାସନ ରହିବ ନାହିଁ। ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏହାର ୧୭ ତମ ଦିନରେ ପହଞ୍ଚିଛି। ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗାଜାରେ ମୃତ୍ୟୁ ସଂଖ୍ୟା ୪,୭୪୧ରେ ପହଞ୍ଚିଥିବା ବେଳେ ଅବରୋଧିତ ଅଞ୍ଚଳରେ ପାଖାପାଖି ୧୬,୦୦୦ ଲୋକ ଆହତ ହୋଇଛନ୍ତି। ଅନ୍ୟପଟେ ଯୁଦ୍ଧ ଗ୍ରସ୍ତ ଗାଜା ପଟ୍ଟିରେ ଥିବା ଲୋକଙ୍କୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ୨ କୋଟି ପାଉଣ୍ଡ ଘୋଷଣା କରିଛନ୍ତି ।
Comments are closed.