Latest Odisha News

BREAKING NEWS

ହାଇସ୍କୁଲ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ

ନୂଆପଡା: ହାଇସ୍କୁଲ ପ୍ରତିଷ୍ଠା ଦାବି ନେଇ ବୋଡେନ ବ୍ଲକ ଡୁର୍କାମୁଣ୍ଡାରେ ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ। ଗ୍ରାମବାସୀଙ୍କ ସହ ସମୂହ ଛାତ୍ରଛାତ୍ରୀ ଡୁର୍କାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ମାରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସକାଳୁ ଡୁର୍କାମୁଣ୍ଡା ଗ୍ରାମବାସୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗାଁର ଶତାଧିକ ମହିଳା ଓ ପୁରୁଷଙ୍କ ସହ ସମୂହ ଛାତ୍ରଛାତ୍ରୀ ବୋଡେନ ଖଡ଼ିଆଳ ମୁଖ୍ୟ ରାସ୍ତାରେ ବସି ରାଜ୍ୟ ସରକାରଙ୍କ ସହ ଜିଲ୍ଲା ଶିକ୍ଷା ବିଭାଗ ବିରୁଦ୍ଧରେ ନାରାବାଜି ଦେଇ ଆନ୍ଦୋଳନରେ ବସିଛନ୍ତି।

ଆନ୍ଦୋଳନକାରୀଙ୍କ କେବଳ ଗୋଟିଏ ଦାବି ଗାଁରେ ହାଇସ୍କୁଲ ପ୍ରତିଷ୍ଠା। ସୂଚନା ଅନୁସାରେ ଡୁର୍କାମୁଣ୍ଡା ଗାଁରେ ୨୦୧୧ ମସିହାରୁ ହାଇସ୍କୁଲ ପ୍ରତିଷ୍ଠା ନେଇ ସ୍ଥିର ହୋଇଥିଲା। ହେଲେ ଜିଲ୍ଲା ଶିକ୍ଷା ବିଭାଗ ବିଭିନ୍ନ ଆଳ ଦେଖାଇ ହାଇସ୍କୁଲ ପ୍ରତିଷ୍ଠା କରିନଥିଲେ। ଗତ ୨୦୧୯-୨୦ ରେ ଡୁର୍କାମୁଣ୍ଡାରେ ହାଇସ୍କୁଲ ପ୍ରତିଷ୍ଠା ହେବା ନେଇ ସବୁ ସ୍ଥିର ହୋଇଥିଲେ ହେଁ କୋଭିଡ କଟକଣା ପାଇଁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ତତ୍କାଳୀନ ବୋଡେନ ବିଇଓଙ୍କ ପାତରଅନ୍ତର ନୀତି ଯୋଗୁଁ ତାହା ଡୁର୍କାମୁଣ୍ଡାରୁ ସ୍ଥାନାନ୍ତରିତ ହୋଇ ବୁଢ଼ାପଡା ଗାଁରେ ପ୍ରତିଷ୍ଠା ହୋଇଛି। ତତ୍କାଳୀନ ବିଇଓଙ୍କ ଡୁର୍କାମୁଣ୍ଡା ଗାଁ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ହାଇସ୍କୁଲ ପାଇବାରୁ ବଞ୍ଚିତ ହୋଇଥିବା ଡୁର୍କାମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଡୁର୍କାମୁଣ୍ଡା ଗାଁ ଠାରୁ ସବୁ ଦିଗକୁ ଆଠରୁ ୧୦ କିମି ଦୂରରେ ହାଇସ୍କୁଲମାନ ଅବସ୍ଥିତ। ଏଣୁ ଗରିବ ଖଟିଖିଆ ଲୋକଙ୍କ ପକ୍ଷରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବାରେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। କାଁ ଭାଁ ଜଣେ ଦୁଇ ଜଣ ଛାତ୍ରଛାତ୍ରୀ ବିଭିନ୍ନ ହାଇସ୍କୁଲ ଦୈନନ୍ଦିନ ଯାଉଥିବା ବେଳେ ଅନ୍ୟ ସବୁ ହାଇସ୍କୁଲ ପଢ଼ୁଥିବା ଛାତ୍ରଛାତ୍ରୀ ଘରେ ବସି ରହୁଛନ୍ତି। ଏବାବଦରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ତେଣୁ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି।

ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଗାଁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ରଖିବା ସହ ରାଜ ରାସ୍ତାରେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି। ଆନ୍ଦୋଳନ ସ୍ଥଳକୁ ବୋଡେନ ବ୍ଲକ ସହ ଶିକ୍ଷା ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ନିଷ୍କର୍ଷ ମିଳିପାରିନାହିଁ। ସେପଟେ ଏବାବଦରେ ଆନ୍ଦୋଳନ ସ୍ଥଳରେ ବୋଡେନ ଏବିଇଓଙ୍କୁ ପଚାରିବାରୁ ପ୍ରଶାସନ ଅବଗତ ଅଛି ବୋଲି କହିଛନ୍ତି। ସେହିପରି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଏହି ଗାଁକୁ ଆସି ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଦିଆୟାଇଛି। ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ଶିକ୍ଷା ଅଧିକାରୀ।

Leave A Reply

Your email address will not be published.