Latest Odisha News

BREAKING NEWS

ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ପ୍ରସ୍ତୁତ, ପ୍ରଧାନଶିକ୍ଷକ କିନ୍ତୁ ପ୍ରସ୍ତୁତ ହୋଇପାରିଲେନି…

କଟକ: ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ ପ୍ରଧାନ ଶିକ୍ଷକ ଭୁଲିଯିବା ପରେ କଟକ ଜିଲ୍ଲାର ଏକ ସ୍କୁଲରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିବା ବେଳେ ନିଜ ଘରେ ପ୍ରଶ୍ନପତ୍ର ରଖିଥିବା ପ୍ରଧାନଶିକ୍ଷକ ପ୍ରଶ୍ନପତ୍ର ପଠାଇବାକୁ ଭୁଲି ଯାଇଥିଲେ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ମାହାଙ୍ଗାପଡା ସ୍ଥିତ ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ। ଆଜି ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷ୍ମାଣ୍ମାସିକ ପରୀକ୍ଷା ପ୍ରଥମ ଦିନ ଥିଲା। ପୂର୍ବାହ୍ନ 10ଟାରେ ପରୀକ୍ଷା ଆରମ୍ଭ ହେବାର ଥିଲା।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ଛାତ୍ରଛାତ୍ରୀ ସକାଳ ସାଢ଼େ 9ଟାରୁ ପରୀକ୍ଷା କେନ୍ଦ୍ରରେ ଭିଡ଼ ଜମାଇ ଥିଲେ। ତେବେ ପୂର୍ବାହ୍ନ 10ଟା 30 ମିନିଟ୍ ହୋଇଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ଦେଖା ମିଳିନଥିଲା। ଆଶ୍ଚର୍ଯ୍ୟର କଥା ହେଲା, ସେ ପ୍ରଶ୍ନପତ୍ର ଘରେ ରଖିଥିଲେ ଏବଂ ସ୍କୁଲକୁ ଆସୁ ନଥିଲେ।

ପରେ ସିଆରସିସିଙ୍କୁ ପ୍ରଶ୍ନପତ୍ର ଆଣିବା ପାଇଁ ପ୍ରଧାନ ଶିକ୍ଷକଙ୍କ ଘରକୁ ଯିବାକୁ ପଡ଼ିଥିଲା। ଫଳରେ ପରୀକ୍ଷା ଆରମ୍ଭ ହେବାରେ ଘୋର ବିଳମ୍ବ ହେବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଥମାର୍ଦ୍ଧରେ ଧାର୍ଯ୍ୟ ହୋଇଥିବା ସାହିତ୍ୟ ପରୀକ୍ଷା ଦେଇପାରିନଥିଲେ ଛାତ୍ରଛାତ୍ରୀ। ସେମାନେ କେବଳ ଦ୍ୱିତୀୟାର୍ଦ୍ଧରେ ଇଂରାଜୀ ପରୀକ୍ଷା ଦେଇଥିଲେ।

କେବଳ ତାଙ୍କର ଅବହେଳା ଯୋଗୁଁ ଆମେ ଆଜି ଆମ ଏମଆଇଏଲ ପରୀକ୍ଷା ଦେଇ ପାରିଲୁ ନାହିଁ। ଅପରାହ୍ନ ଗୋଟାଏ 30ରେ ଆମେ କେବଳ ଇଂରାଜୀ ବିଷୟରେ ପରୀକ୍ଷା ଦେଇପାରିଲୁ। ଆମେ ସାହିତ୍ୟ ପରୀକ୍ଷା ପାଇଁ ପାଠ ପଢିଥିଲୁ, ଆଉ ଏବେ ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ତାହା ବାତିଲ ହୋଇଯାଇଛି। ସେ କ୍ୱଚିତ୍ ସ୍କୁଲକୁ ଆସନ୍ତି ଏବଂ ସପ୍ତାହରେ ଥରେ କିମ୍ବା ମାସରେ ଥରେ କେବଳ ପରିଦର୍ଶନ କରନ୍ତି ବୋଲି ଜଣେ ଛାତ୍ର ଅଭିଯୋଗ କରିଛନ୍ତି।

ଏନେଇ ସିଆରସିସିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ।

Comments are closed.