ଭୁବନେଶ୍ୱର: ପରିବାରର କୌଣସି ସଦସ୍ୟ ଆରପାରିକୁ ଚାଲିଗଲେ କୋହ କଷ୍ଟରେ ଛାତି ଫାଟି ପଡେ । ଆତ୍ମୀୟ ସ୍ଵଜନଙ୍କ ପରଲୋକରେ ମ୍ରିୟମାଣ ହୋଇଯାଆନ୍ତି ବନ୍ଧୁ ପରିଜନ।
ଉମରକୋଟ ଅଞ୍ଚଳର ଯୁବ ଆଇନଜୀବୀ ରାମ ନାୟକଙ୍କ ଘରେ ମଧ୍ୟ ଆଜି ଶୋକକୁଳ ପରିବେଶ । ପରିବାରର ପ୍ରିୟ ସଦସ୍ୟଙ୍କୁ ହରାଇ ଭାଙ୍ଗି ପଡିଛି ସଂପୂର୍ଣ୍ଣ ପରିବାର। ମୃତ ଶରୀରର ରୀତିନୀତି ସହ ଅନ୍ତିମ ସଂସ୍କାର ମଧ୍ୟ କରି ସାରିଛନ୍ତି ରାମ। ତଥାପି ବୁଝୁନି ମନ। ଲାଗୁଛି ଯେମିତି ସିଏ ପୁଣି ଫେରି ଆସିବ । ଆଉ ମିଟୁ ମିଟୁ କହି ଘର ଲୋକଙ୍କୁ ଡାକିବ ।
ହଁ ଆଜ୍ଞା ରାମ ନାୟକଙ୍କ ପରିବାରର ଏହି ସଦସ୍ୟ ଜଣଙ୍କ କୌଣସି ମଣିଷ ନୁହେଁ ଗୋଟିଏ ଶୁଆ । ଯାହାର ନାମ ଥିଲା ଚୁମୁକି ଦୀର୍ଘ ୩୫ ବର୍ଷ ହେବ ଶୁଆଟି ରାମଙ୍କ ପରିବାର ସହ ରହି ଆସୁଥିବା ବେଳେ ଗୁରୁବାର ଦିନ ଏହା ପ୍ରାଣ ହରାଇଛି ।
ଏଥିରେ ମ୍ରିୟମାଣ ହୋଇଯାଇଛନ୍ତି ରାମଙ୍କ ପରିବାର ସଦସ୍ୟ । ଆଦରର ଚୁମୁକିକୁ ମନେ ପକାଇ କୋହ ଭରା କଣ୍ଠରେ ରାମ କହିଛନ୍ତି, “ସେ ଦିନ ଥିଲା ୨୯ ଅକ୍ଟୋବର ୧୯୮୪ ମସିହା, ବାପା ଦାମୋଦର ନାୟକ ୬ ଟଙ୍କା ୫୦ ପଇସା ଦେଇ କିଣି ଥିଲେ ଗୋଟିଏ ଛୋଟ ଛୁଆ ଶୁଆ । ଦୀର୍ଘ ୩୫ ବର୍ଷ ହେବ ସେ ପରିବାରର ଏକ ସଦସ୍ୟ ଭାବେ ରହି ଆସୁଥିଲା ଥିଲା । ଗୃହପାଳିତ ପକ୍ଷୀ ହୋଇଥିଲେ ମଧ୍ୟ ତାକୁ ଆମେ ପାରିବାରର ଏକ ସଦସ୍ୟ ବୋଲି ଭାବୁ ଥିବାରୁ ତାର ଅନ୍ତିମ ସଂସ୍କାର କରି ଘରର ସଦସ୍ୟ ଭଳି ଶେଷ ସମ୍ମାନ ଦେଇଛୁ “।
ଏବେ ଶୁଆର ଖାଲି ପଞ୍ଜୁରୀ କୁ ଦେଖି ଶୁଆକୁ ଝୁରୁଛନ୍ତି ସମସ୍ତେ ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ରାମଙ୍କ ବାପା ଦାମୋଦର ନାୟକ ୬ ଟଙ୍କା ୫୦ ପଇସା ଦେଇ ଶୁଆଟିକୁ କିଣି ଆଣିଥିଲେ । ଶୁଆ ଟିକୁ କିଣିବା ସମୟରେ ଶୁଆର ପକ୍ଷୀ ଉଠିନଥିଲା କି ଆଖି ଫିଟି ନଥିଲା । ସେହିଦିନ ଠାରୁ ଶୁଆ ଟି ରାମଙ୍କ ପରିବାରର ସଦସ୍ୟ ହୋଇ ରହିଥିଲା।
ସଂଯୋଗ ବଶତଃ ବାପା ଶୁଆଟିକୁ ଘରକୁ ଆଣିବା ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାନଭରଣ୍ଡିକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ । ମୁଁ ଓ ଭାଇ ନ ଶୁଆଟିକୁ କ୍ଷୀର ଖୁଆଇ ଏକ ଡବା ଭିତରେ ରଖି ଇନ୍ଦିରା ଗାନ୍ଧୀଙ୍କୁ ଦେଖିବା ପାଇଁ ଯାଇଥିଲୁ” ବୋଲି କୋହଭାର କଣ୍ଠରେ କହିଛନ୍ତି ରାମ ।
ଆହୁରୁ ମଧ୍ୟ ସେ କହିଛନ୍ତି ଯେ, ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ରର ଏକ ପ୍ରସିଦ୍ଧ ଲୋକପ୍ରିୟ ସଙ୍ଗୀତ “ଚୁମୁକି ତୁ ପାଣିରେ ବୁଡ଼ିବୁ ନାଇଟି” ଗୀତ ତାଙ୍କର ଖୁବ ପସନ୍ଦ ଥିବାରୁ ସେ ଶୁଆଟି ର ନାମ ଶ୍ରଦ୍ଧାରେ ଚୁମୁକି ରଖିଥିଲେ ।
ଚୁମୁକିର ମୃତ୍ୟୁ ପରେ ନାୟକ ପରିବାର ତରଫରୁ ବ୍ରାହ୍ମଣ ଭୋଜନ କରିବା ସହିତ ଶୁଦ୍ଧ କ୍ରିୟା କରିବେ ବୋଲି ରାମ ସୂଚନା ଦେଇଛନ୍ତି।
Comments are closed.