ରାଂଚୀ: ସବୁ ଜୁନିୟର ମହିଳା ହକିରେ ଓଡିଶା ଟିମ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଓଡିଶା ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚରେ ମହାରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଏକତରଫା ୮-୧ ଗୋଲରେ ପରାସ୍ତ କରିଛି । ପ୍ରିୟଙ୍କା ମିଞ୍ଜ ଚମତ୍କାର ପ୍ରଦର୍ଶନ କରି ଓଡିଶା ପକ୍ଷରୁ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ । ମ୍ୟାଚର ୮ମ, ୨୬ତମ, ୪୧ତମ ଓ ୫୪ତମ ମିନିଟରେ ସେ ଗୋଲ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କା ଏକ୍କା ୨ଟି ଗୋଲ ଏବଂ ସୁଇଟି କୁଜୁର ଓ କିରନ ଏକ୍କା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।
ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶାର ପ୍ରଭାବ ଦେଖିବାକୁ ମିଳିଥିଲା । ଓଡିଶା ସେମିଫାଇନାଲରେ ମଧ୍ୟପ୍ରଦେଶକୁ ଭେଟିବ । ଅନ୍ୟ ଏକ କ୍ୱାର୍ଟରରେ ମଧ୍ୟପ୍ରଦେଶ ୫-୧ ଗୋଲରେ ମିଜୋରମକୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି । ଅନ୍ୟ ୨ଟି କ୍ୱାର୍ଟର ଫାଇନାଲରେ ଉତରପ୍ରଦେଶ ୨-୧ ଗୋଲରେ ହରିୟାଣାକୁ ଏବଂ ଝାରଖଣ୍ଡ ୨-୦ ଗୋଲରେ ପଞ୍ଜାବକୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛନ୍ତି । ୟୁପି ଓ ଝାରଖଣ୍ଡ ମଧ୍ୟରେ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ ଖେଳାଯିବ ।