ସୋନପୁର: ଜିଲ୍ଲାପାଳ ବୁଲିଲେ ସାହିକୁ ସାହି । ବୁଲି ଦେଖିଲେ ରାସ୍ତାଘାଟ ଅବସ୍ଥା । ଡ୍ରେନର ଅବସ୍ଥା । ବର୍ଷାରେ ଡ୍ରେନ ପାଣି ଯେପରି ଲୋକଙ୍କ ଘରେ ନ ପଶିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ ବି କଲେ । ଆଜି ସକାଳୁ ସକାଳୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋନପୁର ସହରେ ।
ଆଜି ସକାଳୁ ସକାଳୁ ଅଚାନକ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରଏ ସୋନପୁର ପୌରପରିଷଦର ବିଭିନ୍ନ ୱାର୍ଡ ବୁଲି ଦେଖୁଥିଲେ । ବର୍ଷାକୁ ନଜରରେ ରଖି ଡ୍ରେନେଜ ସମସ୍ୟା ଦେଖିବାକୁ ବାହାରି ଥିଲେ । ଡ୍ରେନ ଗୁଡ଼ିକର ଅବସ୍ଥା କିପରି ଅଛି ତାହାର ତଦାରଖ ବି କରିଥିଲେ । ସହରର ବଡବଜାର, ଜୟଗୁରୁ ମାର୍କେଟ , ଗଙ୍ଗାଧର ମେହେର ଛକ ଓ ତଳି ଅଞ୍ଚଳ ତାରିଆ ପଡା ଆଦି ବୁଲି ଦେଖିଥିଲେ ।
ସାଙ୍ଗରେ ସୋନପୁର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଧରି ବୁଲିବା ସହ ବର୍ଷା ସମୟରେ ଯେମିତି ଲୋକଙ୍କ ଘରକୁ ଡ୍ରେନ ପାଣି ନପଶିବ ଓ ଲୋକ କିପରି ଆରାମରେ ରହିବେ ତାହାର ସୁବିଧା କରିବାକୁ ତାଗିଦ କରିଥିଲେ । ସହରର ସମସ୍ତ ଡ୍ରେନ ଅତି ଶୀଘ୍ର ସଫା କରିବାକୁ ମ୍ୟୁନୁସିପାଲଟି ଇଓଙ୍କୁ ପରାମର୍ଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ଏପରି ଅଚାନକ ଗସ୍ତ ଏବଂ ଡ୍ରେନ ବ୍ୟବସ୍ଥାର ସମୀକ୍ଷାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
Comments are closed.