Latest Odisha News

BREAKING NEWS

ଫୁଲୁଛି ସୁବର୍ଣ୍ଣରେଖା; ଲୋକେ ଭୟଭୀତ

ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢ଼ିବା ଯୋଗୁ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ବାଲେଶ୍ୱର ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇପଡିଛି। ତଳିଆ ଅଞ୍ଚଳ ଗୁଡ଼ିକ ଏକପ୍ରକାର ବୁଡ଼ି ଯାଇଛି।

ସରକାରୀ ସୂଚନା ଅନୁଯାୟୀ, ରାଜଘାଟରେ ବିପଦ ସ୍ତର ୧୦.୩୬ ମିଟର। କିନ୍ତୁ, ଗୁରୁବାର ସକାଳ ୬ଟାରେ ଜଳସ୍ତର ୧୧.୭୯ ମିଟର ରେକର୍ଡ କରାଯାଇଥିଲା, ଯାହା ବିପଦ ସଙ୍କେତଠାରୁ ପ୍ରାୟ ୧.୪୩ ମିଟର ଉପରେ ଥିଲା। ବନ୍ୟାଜଳ ଭୋଗରାଇ ବ୍ଲକର ୨୦ଟି ପଞ୍ଚାୟତକୁ ବୁଡ଼ାଇ ଦେଇଥିବା ବେଳେ ଜିଲ୍ଲାର ୧୩୦ରୁ ଅଧିକ ଗ୍ରାମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

ଅଧିକାରୀମାନେ ଆକଳନ କରିଛନ୍ତି ଯେ ଏହି ଗ୍ରାମଗୁଡ଼ିକର ପ୍ରାୟ ୪୫,୦୦୦ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅନେକ ଗ୍ରାମରେ ବନ୍ୟାଜଳ ବନ୍ଧ ଭାଙ୍ଗି ରାସ୍ତା ଏବଂ ଆବାସିକ ଅଞ୍ଚଳରେ ପ୍ରବାହିତ ହେଉଛି। ହଠାତ୍ ବନ୍ୟା ଯୋଗୁଁ ଲୋକମାନେ ନାହଁନଥିବା ସମସ୍ୟା ଭୋଗୁଛନ୍ତି। ଅତ୍ୟାବଶ୍ୟକୀୟ ସେବା ପାଇବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷରେ ଭୋଗରାଇର ସର୍ବାଧିକ କ୍ଷତିଗ୍ରସ୍ତ ପଞ୍ଚାୟତଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ ଦଳକୁ ନିୟୋଜିତ କରାଯାଇଛି।

ଜିଲ୍ଲା ପ୍ରଶାସନ କହିଛି ଯେ ପରିସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖାଯାଇଛି। ଯଦି ଜଳସ୍ତର ଆହୁରି ବୃଦ୍ଧି ପାଏ, ତେବେ ଦୁର୍ବଳ, ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବା ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଯଦି ଝାଡ଼ଖଣ୍ଡ ଏବଂ ଉପର ଅଞ୍ଚଳରେ ବର୍ଷା ଜାରି ରହେ ତେବେ ଆଗାମୀ ଦିନରେ ବାଲିଆପାଳ ଏବଂ ଭୋଗରାଇ ବ୍ଲକର ଅଧିକ ଅଞ୍ଚଳ ବନ୍ୟାର ପ୍ରଭାବରେ ଆସିପାରେ ବୋଲି ଅଧିକାରୀମାନେ ଆଶଙ୍କା କରିଛନ୍ତି।

 

Leave A Reply

Your email address will not be published.