ମୁମ୍ବାଇ: ସୁଭାଷ ଘାଇ ବଲିଉଡ୍ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ମଧ୍ୟରୁ ଜଣେ। ପ୍ରାୟ ୩୦ ବର୍ଷ ପୂର୍ବେ ସୁଭାଷ ଘାଇ ସଞ୍ଜୟ ଦତ୍ତଙ୍କ କଲ୍ଟ କ୍ଲାସିକ୍ ଫିଲ୍ମ “ଖଲନାୟକ”ର ନିର୍ଦ୍ଦେଶନା ଦେଇଥିଲେ। ଏବେ ୩୦ ବର୍ଷ ପରେ ସଞ୍ଜୟ ଦତ୍ତ “ଖଲନାୟକ ରିଟର୍ଣ୍ଣସ୍” ନେଇ ଘୋଷଣା କରିଛନ୍ତି। ଏହାର ଏକ ଟିଜର ମଧ୍ୟ ରିଲିଜ୍ କରିଥିଲେ।
ଏହି ଟିଜରରେ ସଞ୍ଜୟ ଦତ୍ତ ଏକ ଭୟଙ୍କର ଲୁକ୍ ରେ ଦେଖାଦେଇଥିଲେ। ଫ୍ୟାନ୍ସ ଭାବିଥିଲେ ଯେ ସୁଭାଷ ଘାଇ ସେକେଣ୍ଡ ପାର୍ଟର ନିର୍ଦ୍ଦେଶନା ଦେଉଛନ୍ତି। କିନ୍ତୁ ସୁଭାଷ ଘାଇ ନିଜେ ସ୍ପଷ୍ଟ କରିଛନ୍ତି ଯେ ସେ ଏହାର ନିର୍ଦ୍ଦେଶନା ଦେଉନାହାଁନ୍ତି।
ସୁଭାଷ ଘାଇ କହିଛନ୍ତି ଯେ ସେ “ଖଲନାୟକ ରିଟର୍ଣ୍ଣସ୍” ନିର୍ଦ୍ଦେଶନା ଦେଉନଥିଲେ ମଧ୍ୟ ସେ ଏଥିରେ ସାମିଲ ରହିବେ। “ସଞ୍ଜୁ ବହୁ ବର୍ଷ ଧରି ଖଲନାୟକର ସିକ୍ୱେଲ୍ ତିଆରି କରିବାକୁ ଆଗ୍ରହୀ। ଜେଲରେ ଥିବା ସମୟରେ ମଧ୍ୟ ସେ ମୋତେ ଲେଖିଥିଲେ, ଅଙ୍କଲ ମୁଁ ଏହି ସିନେମା ତିଆରି କରିବାକୁ ଚାହୁଁଛି।’ ତେଣୁ ମୁଁ ତାଙ୍କୁ କନସେପ୍ଟ ଏବଂ କାହାଣୀ ପଠାଇଥିଲି।”
ସେ ଆହୁରି କହିଛନ୍ତି, “ମୁଁ ଏହାକୁ ପୁନଃନିର୍ମାଣ କରିବାକୁ ଚାହୁଁ ନଥିଲି। ମୋତେ ୮୦ ବର୍ଷ ବୟସ। ‘ଯଦି ତୁମେ ଏହାକୁ ନିର୍ମାଣ କରିବାକୁ ଏତେ ବ୍ୟାକୁଳ, ତେବେ ତୁମେ ନିଜେ ଏହାକୁ କାହିଁକି ପ୍ରଯୋଜନା କରୁନାହଁ? ମୁଁ ତୁମର କ୍ରିଏଟିଭ ପ୍ରଯୋଜକ ହୋଇପାରିବି।’ ମୁଁ ଭାବୁଛି ସଞ୍ଜୁ ଏହି ସିନେମା ପାଇଁ ସର୍ବୋତ୍ତମ ନିର୍ଦ୍ଦେଶକ ବାଛିବେ। ଖୁବ୍ ଶୀଘ୍ର ଏନେଇ ଏକ ଘୋଷଣା କରାଯିବ।” ସଞ୍ଜୁ ମୋ ପୁଅ ପରି। “ମୁଁ ଶାହରୁଖ ଖାନଙ୍କ ‘ଓମ୍ ଶାନ୍ତି ଓମ୍’ରେ ଏକ କ୍ୟାମିଓ କରିଥିଲି ତେଣୁ ମୁଁ ଏହି ସିନେମାରେ ମଧ୍ୟ ଏହା କରିପାରିବି।”