ଭୁବନେଶ୍ୱର: ଅନୁସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାରରେ ପୁରସ୍କୃତ ହେଲେ ଶୁଭଶ୍ରୀ ମହାରଣା। ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ‘ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବଗାଳ୍ପିକା ସୁଶ୍ରୀ ଶୁଭଶ୍ରୀ ମହାରଣାଙ୍କୁ ‘ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ ପ୍ରଦାନ କରାଯାଇଥିଲା । ଲେଖିକାଙ୍କୁ ୨୧ ହଜାର ଟଙ୍କା ସହିତ ଅଙ୍ଗବସ୍ତ୍ର ଓ ପ୍ରଶସ୍ତିପତ୍ର ଦେଇ ଅତିଥିମାନେ ସମ୍ମାନିତ କରିଥିଲେ ।
ଏଥିସହିତ ଏଥିରେ ଅନେକ ଅତିଥି ଯୋଗଦେଇ ଓଡ଼ିଆ ସାହିତ୍ୟର ବିକାଶ ନିମନ୍ତେ ସବୁ ବର୍ଗର ସହଯୋଗ କାମନା କରିଥିଲେ । ପୁରସ୍କାର ଲେଖକଙ୍କୁ ଅଧିକ ସୃଜନଶୀଳ ହେବା ନିମନ୍ତେ ପ୍ରୋତ୍ସାହନ ଦେଇପାରେ । କିନ୍ତୁ ଏହା ସୃଜନଶୀଳତାର ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ । ଜଣେ ଲେଖକ ପୁରସ୍କାର ଅପେକ୍ଷା ପାଠକର ପ୍ରଶଂସାକୁ ଅପେକ୍ଷା କରିବା ଶ୍ରେୟସ୍କର ବୋଲି ଏଠାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଥାଶିଳ୍ପୀ ସରୋଜିନୀ ସାହୁ, ବିୟତ୍ପ୍ରଜ୍ଞା ତି୍ରପାଠୀ ଓ ପରେଶ ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇ ଯୁବଲେଖିକାଙ୍କ ସାରସ୍ୱତ ଯାତ୍ରାର ସଫଳତା ଅଧିକ ହେବ ବୋଲି ଆଶା ପ୍ରକଟ କରିଥିଲେ । ପୁରସ୍କାରର ସଂସ୍ଥାପକ ଅଶୋକ ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ସୁଶ୍ରୀ ମହାରଣା ମଧ୍ୟ ପୁରସ୍କାର ପ୍ରାପ୍ତିର ଉତ୍ତର ରଖିଥିଲେ । କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ୍ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସଦସ୍ୟା ମୌସୁମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |