କଠୋର ଅଧ୍ୟବସାୟ , ଦୃଢ ଆତ୍ମ ପ୍ରତ୍ୟୟ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଦୃଢ ଇଚ୍ଛା ଶକ୍ତି ନେଇ କଠିନ ପରିଶ୍ରମ କରିବା ସହିତ ସତ୍ ମାର୍ଗରେ ଚାଲି ନିଜର ଲକ୍ଷ୍ୟ ସାଧନ ସମାଜରେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଥିବା ମଣିଷକୁ ଈଶ୍ବର ସବୁମତେ ସାହାଯ୍ୟ କରିଥାନ୍ତି, ଏଇ ଉକ୍ତି ର ସତ୍ୟତା କେତେ ! ତା’ର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମହିଳା ଉଦ୍ୟୋଗୀ ପଦ୍ମଶ୍ରୀ କଳ୍ପନା ସରୋଜ।
ଆମେ ଆଜିର ଏଇ ପୁରୁଷ ପ୍ରଧାନ ସମାଜରେ ମହିଳାମାନେ ଅବଳା , ଦୁର୍ବଳା କି ଲାଞ୍ଛିତା, ନିର୍ଯ୍ୟାତିତା ବୋଲି ହୁରି ପକାଉଥିଲା ବେଳେ ସେ ନିଜକୁ ନିଜେ ପ୍ରମାଣିତ କରି ଦେଖାଇ ଦେଇଛନ୍ତି ଯେ ଦୃଢ ଇଚ୍ଛାଶକ୍ତି ଏବଂ ଗଭୀର ଆତ୍ମପ୍ରତ୍ୟୟ ଥିଲେ ଜଣେ ଦରିଦ୍ର ଦଳିତ ପରିବାରର ସ୍ୱଳ୍ପ ଶିକ୍ଷିତା, ନିର୍ଯ୍ଯାତିତା ମହିଳା ମଧ୍ୟ ବିଶ୍ଵର ଜଣେ ନାମୀ ଦାମୀ ଶିଳ୍ପୋଦ୍ୟୋଗୀ ହୋଇ ନିଜର, ନିଜ ପରିବାରର ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି କରିପାରେ । ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ନିଜ ଦେଶର ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଜନକ ପଦ୍ମଶ୍ରୀ ସମ୍ମାନ ପାଇବା ସହିତ ଦେଶ ବିଦେଶରେ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବରେ ସମ୍ମାନିତ ହୋଇ ନିଜ ଦେଶର ଗୌରବ ବଢାଇ ପାରେ । ତାଙ୍କର ନିଜର କାହାଣୀ ଆଜି ସାମାଜିକ ଗଣମାଧ୍ୟମ ମାନଙ୍କରେ ବେଶ୍ ପ୍ରଶଂସିତ ହେଉଛି ଏବଂ ଅନେକଙ୍କ ପାଇଁ ଆଶାର କିରଣ ପାଲଟିଛି । ସେଥିପାଇଁ ପ୍ରତିଥର ସେ ସମ୍ମାନିତ ହେଲା ବେଳେ ନିଜର ଅତୀତର ପୃଷ୍ଠା ଟିକିନିଖି ବୟାନ କରିଥାନ୍ତି ଶ୍ରୋତାଙ୍କ ସମ୍ମୁଖରେ, କେବଳ ଏଇ ଉଦ୍ଦେଶ୍ୟ ନେଇ ଯେ ସମସ୍ତେ ଅନୁପ୍ରେରିତ ହୁଅନ୍ତୁ ତାଙ୍କ ଜୀବନର କଠିନ ସମୟର ବୃତ୍ତାନ୍ତ ଶୁଣି। ସେ ଚାହାଁନ୍ତି ଆଜି କେହି ଜଣେ ହେଲେ ମଧ୍ୟ ଦୁଃସମୟରେ ଧୈର୍ଯ୍ୟ ସାହସ ନ ହରାଇ ପରିସ୍ଥିତି ର ମୁକାବିଲା କରନ୍ତୁ ଏବଂ ତାଙ୍କ ଭଳି ସଫଳତା ପାଆନ୍ତୁ । ବଡ କଷ୍ଟ ଦାୟକ ଥିଲା ତାଙ୍କର ଅତୀତ ଯାହା ଏବେ ବି ଶୁଣିଲେ ଲୋଭ ଟାଙ୍କୁରି ଉଠେ ।
କଳ୍ପନାଙ୍କ ଜନ୍ମ ହୋଇଥିଲା ଊଣେଇଶହ ଏକଷଠୀ ମସିହାରେ ମହାରାଷ୍ଟ୍ରର ଅକୋଲା ତାଲୁକର ରପରଖେଡା ଗାଆଁ ରେ ଏକ ଦଳିତ (ମାହାର) ପରିବାରରେ। ତାଙ୍କର ବାପା ମହାଦେବ ଥିଲେ ଜଣେ ପୋଲିସ୍ କନେଷ୍ଟବଳ । ତିନି ଭଉଣୀ ଆଉ ଦୁଇ ଭାଇଙ୍କ ମଧ୍ୟରେ କଳ୍ପନା ଥିଲେ ସବୁଠାରୁ ବଡ। ପାଠ ପଢିବା ପାଇଁ ଥିଲା ତାଙ୍କର ପ୍ରବଳ ଆଗ୍ରହ କିନ୍ତୁ ଅଭାବୀ ପରିବାରର ଆର୍ଥିକ ପରିସ୍ଥିତି ସହିତ ବିଦ୍ୟାଳୟରେ ତାଙ୍କ ସହିତ ଘଟୁଥିବା ଜାତିଗତ ଉପେକ୍ଷା ତାଙ୍କୁ ଅଷ୍ଟମ ଶ୍ରେଣୀରୁ ପଢା ବନ୍ଦ କରି ଘରେ ବସିବାକୁ ବାଧ୍ୟ କରିଥିଲା। ସେଇ ବାରବର୍ଷର ଛୋଟ ଝିଅଟିକୁ ବାପା ମହାଦେବ ନିଜ ଜାତିର ପ୍ରଚଳିତ ପ୍ରଥା ଅନୁଯାୟୀ ବାହାଘର କରି ଶାଶୁଘରକୁ ପଠାଇ ଦେଇଥିଲେ। ସଂସାର ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ସେଇ ଛୋଟ ଝିଅଟି ସଂସାରର ସବୁ ଜଞ୍ଜାଳ ତୁଲାଇବାକୁ ସକ୍ଷମ ହୋଇ ନପାରି ଅକଥନୀୟ ନିର୍ଯ୍ୟାତନାର ଶିକାର ହେଲା ଶାଶୁଘରେ ।
ଛଅ ମାସ ପରେ ହଠାତ ଦିନେ ଶାଶୁଘରେ ବାପାଙ୍କ ଉପସ୍ଥିତିରେ ମାଡ ଖାଉଥିବା ଝିଅ ର ଦୁଃଖ ଦେଖି ବାପାଙ୍କର ପଶ୍ଚାତାପର ସୀମା ରହିନଥିଲା ଏବଂ ସେଇଦିନ ହିଁ ସେ ଝିଅକୁ ସାଥିରେ ଧରି ନେଇ ଆସିଥିଲେ ନିଜ ଘରକୁ ଆଉ କେବେ ବି ସେଇ ନର୍କକୁ ଝିଅକୁ ନ ପଠାଇବାର ପ୍ରତିଜ୍ଞା କରିଥିଲେ ।
ବାପଘରକୁ ସିନା ଫେରି ଆସିଥିଲେ କଳ୍ପନା ,ହେଲେ ଗାଆଁ ଗଣ୍ଡା, ସାହି ପଡିଶାଙ୍କର କଠୋର ନିନ୍ଦା ଏବଂ ତାତ୍ସଲ୍ୟ ଶୁଣିବାକୁ ପଡିଥିଲା ତାଙ୍କୁ ।“ ଝିଅ ର ସବାରୀ ଥରେ ବାପଘର ଚୌକାଠ ଡେଇଁଲେ ତା’ କୋକେଇ କେବଳ ଆସେ ବାପଘରକୁ “ ଏଇ ମନସ୍ତତ୍ତ୍ୱ ରଖିଥିବା ଲୋକମାନେ ଅହରହ କୁତ୍ସିତ ଟିପ୍ପଣୀମାନ ଦେଉଥିଲେ ତାଙ୍କର ସାରା ପରିବାରକୁ । ଫଳରେ ଝିଅକୁ ଆଉଥରେ ସ୍କୁଲ୍ ପଠାଇବାକୁ ଚାହୁଁଥିଲେ ମଧ୍ୟ ପଠାଇ ପାରିଲେନି ମହାଦେବ। କଳ୍ପନା ଚାହୁଁ ନଥିଲେ ବାପାଙ୍କ ଉପରେ ବୋଝ ହୋଇ ରହିବା ପାଇଁ, ତେଣୁ ସେ ପୋଲିସ୍ ରେ ଲେଡି କନେଷ୍ଟବଳ, ନର୍ସିଂ, ମିଲିଟାରୀ ନର୍ସିଂ ଇତ୍ୟାଦି ବିଭିନ୍ନ ପ୍ରକାର ର ସରକାରୀ ଚାକିରି ପାଇଁ ଦରଖାସ୍ତ କଲେ ହେଲେ ଦୁର୍ଭାଗ୍ୟ କୁ କୌଣସିଟିରେ ମଧ୍ୟ ସଫଳ ହେଲେ ନାହିଁ । ତାଙ୍କର ଶିକ୍ଷାଦୀକ୍ଷା ମଧ୍ୟ ସେମିତି ଅଧିକ ନଥିଲା ଆଉ କିଛି କାମ କରିବା ପାଇଁ । ଅଗତ୍ୟା ଘରେ ରହି ନିଜ ଭିତରେ ନିଜେ ହାରି ଯାଉଥିଲେ ସେ।
ଏପଟେ ଶାଶୁଘରର ନିର୍ଯ୍ୟାତନା, ସେପଟେ ବାପଘରେ ବାର ଲୋକଙ୍କ ତାତ୍ସଲ୍ୟ, ବାପା ମାଆଙ୍କର ନିନ୍ଦା, ପରିବାରର ଅସହାୟତା ,ସବୁ ଦେଖି ଦେଖି ସହି ସହି ଦୁଃଖରେ ଭାଙ୍ଗିପଡୁଥିଲେ କଳ୍ପନା। ଶେଷରେ ତାଙ୍କର ମୃତ୍ୟୁ ହିଁ ସବୁ ସମସ୍ୟାର ସମାଧାନ ବୋଲି ସ୍ଥିର କରି ଦିନେ ବିଷ ପାନ କରି ନିଜକୁ ନିଃଶେଷ କରିବା ପାଇଁ ବସିଲେ ସେ। ହେଲେ ପରିବାରର ଲୋକମାନେ ଜାଣିପାରି ତାଙ୍କୁ ମେଡିକାଲ ନେଇ ବଞ୍ଚେଇ ଦେଲେ। ଆହୁରି ଦୁଃଖରେ ଭାଙ୍ଗି ପଡିଲେ କଳ୍ପନା । ଗାଆଁ ସାରା କୁହାକୁହି ହେଉଥିଲେ, ମୁର୍ଖ ଝିଅଟା କେତେ ବଡ ଭୁଲ୍ କରୁଥିଲା ଦେଖ ! ଯଦି କିଛି ଅଘଟଣ ଘଟିଥାନ୍ତା ତେବେ ସାରା ସଂସାର କହିଥାନ୍ତା ମହାଦେବର ଝିଅ କିଛି ଭୁଲ୍ କାମ କରିଥିଲା,ସେଥିପାଇଁ ଆତ୍ମହତ୍ୟା କଲା । ମହାଦେବ ଏ ନିନ୍ଦା ଶୁଣି ବଞ୍ଚିଥାନ୍ତାଟି। ବାପାଙ୍କ କଥା ଭାବି ଶିହରି ଉଠିଥିଲେ କଳ୍ପନା। ଭାବିଲେ ଈଶ୍ବର ବୋଧହୁଏ କିଛି ଅଲଗା ବିଚାର ରଖିଛନ୍ତି ମୋ’ପାଇଁ । ବୋଧହୁଏ ତାଙ୍କର ଇଚ୍ଛା ମୁଁ ଜୀବିତ ରହେ । ତେବେ ତାହା ହି ହେଉ। ଏବେ ମୁଁ ନିଶ୍ଚୟ ବଞ୍ଚିବି ଏବଂ ନିଜକୁ ପ୍ରତିପାଦିତ କରିବି ଏଇ ଦୁନିଆଁ ଆଗରେ। ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନର ଦ୍ୱିତୀୟ ଅଧ୍ୟାୟ ।
କଳ୍ପନା ମାଆଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ଗାଆଁ ରେ ନରଖି ମୁମ୍ବାଇରେ ରହୁଥିବା ତାଙ୍କର ମାମୁଁଙ୍କ ପାଖକୁ ପଠାଇଦେବା ଲାଗି । ମାମୁଁ ଘରକୁ ଗଲେ ଝିଅର ମନ କୁ ହୁଏତ ଶାନ୍ତି ମିଳିବ ଭାବି ମାଆ କଳ୍ପନାଙ୍କୁ ମୁମ୍ବାଇ ପଠାଇଦେଲେ । ମାମୁଁ ଘରେ ରହି ସିଲେଇ ଶିଖିଲେ କଳ୍ପନା । ସେଇ ସମୟରେ ଆଉ ଗୋଟାଏ ଦୁର୍ଘଟଣା ଘଟିଲା, କୌଣସି ବିବାଦୀୟ ପରିସ୍ଥିତିରେ ପଡି ମହାଦେବଙ୍କର ଚାକିରୀ ଚାଲିଗଲା । ଏବେ କଳ୍ପନା ଘରର ବଡଝିଅ ଭାବରେ ତାଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଲେ। ଦୈନିକ ଦୁଇଟଙ୍କା ମଜୁରୀରେ ଗୋଟିଏ ପୋଷାକ ତିଆରି କମ୍ପାନୀରେ ଦିନ ମଜୁରିଆ ହିସାବରେ କାମ କଲେ ସେ। ପରିବାର ପୋଷଣର ନିଶା ଘାରିଥିଲା ତାଙ୍କୁ। ମାସକୁ ଚାଳିଶି ଟଙ୍କା ଭଡାରେ ଖୋଲି ଟିଏ ନେଇ ନିଜର ବାପା ମାଆ ଭାଇ ଭଉଣୀଙ୍କୁ ଗାଆଁରୁ ଆଣି ରଖିଲେ ସେଇଠି। ସେଠାରେ ଧୀରେ ଧୀରେ ଟିକିଏ ପରିଚିତ ହେଲାପରେ ପୁରୁଣା ସିଲେଇ ମେସିନଟିଏ କିଣି କମ୍ପାନୀ ସମୟ ବାଦ୍ ବଳକା ସମୟରେ ସେ ଘରେ ବ୍ଲାଉଜ୍ ପିଛା ଦଶଟଙ୍କା ମଜୁରୀ ନେଇ କାମ କଲେ। ସୁଖ ସାଉଣ୍ଟିବା ଲାଗି ଚେଷ୍ଟା କରୁଥିଲା ବେଳେ ଆହୁରି ଗୋଟିଏ ଦୁର୍ଘଟଣା ଘଟିଥିଲା ତାଙ୍କ ପରିବାରରେ। ସେଇ ସମୟରେ ତାଙ୍କ ସାନ ଭଉଣୀଟି ସାଙ୍ଘାତିକ ବେମାର ପଡିଲା। ଅର୍ଥାଭାବରୁ ତା’ର ଉପଯୁକ୍ତ ଚିକିତ୍ସା ହୋଇ ପାରିଲାନି, ବିଚାରୀଟି ସେଇ ରୋଗରେ ପଡି ପଡି ମରିଗଲା। ତା’ କଥା ଏବେ ବି କଳ୍ପନାଙ୍କ ଆଖିରେ ଲୁହ ଆଣିଦିଏ । ବେଳେ ବେଳେ ତାଙ୍କୁ ଶୁଭିଯାଏ ସାନ ଭଉଣୀ ର ସେ କରୁଣ ସ୍ୱର “ ମୁଁ ମରିବାକୁ ଚାହେଁନା ଦିଦି, ମତେ ବଞ୍ଚେଇ ଦେ।” ତାଙ୍କ ଛାତି ଫାଟି ଗଲା ଭଳି ଲାଗେ। ଭଉଣୀ ର ଅକାଳ ମୃତ୍ୟୁ ହିଁ ଶିଖେଇଥିଲା ତାଙ୍କୁ ମଣିଷ ଭଳି ବଞ୍ଚିବାକୁ ହେଲେ ଅର୍ଥ ଦରକାର ,ପଇସା ରୋଜଗାର କରିବାକୁ ହେବ ନିଜକୁ , ନିଜର ପରିବାରକୁ ବଞ୍ଚାଇବା ପାଇଁ।
ସେ ଦିନକୁ ଷୋହଳରୁ ଅଠର ଘଣ୍ଟା ପରିଶ୍ରମ କଲେ । ନିଜର ଆୟ ବଢାଇବା ପାଇଁ ରାସ୍ତା ଖୋଜିଲେ । ଏଇ ସମୟରେ ତାଙ୍କ ଆଖିରେ ପଡିଲା ସରକାରଙ୍କ ଲଘୁ ଉଦ୍ୟୋଗ ଯୋଜନା ରେ ମିଳୁଥିବା ବିଭିନ୍ନ ପ୍ରକାର ୠଣ । ନିଜେ ବ୍ୟାଙ୍କ୍ କୁ ଦୌଡା ଦୌଡି କରି “ ମଜହାତ୍ମା୍ୟୋତି ଭାଇ ଫୁଲେ ଗରିବ କଲ୍ୟାଣ ଯୋଜନା” ରେ ପଚାଶ ହଜାର ଟଙ୍କାର ଋଣଟି କରି ସେଥିରେ ନିଜର ସିଲେଇ କାରଖାନା ଟିଏ ( ବୁଟିକ୍) ଆରମ୍ଭ କଲେ।ତାଙ୍କ ଭଳି ଦୁଃଖ ରେ ଥିବା ସ୍ୱଳ୍ପ ଶିକ୍ଷିତ ଏବଂ ନିଜ ପରିଶ୍ରମ ରେ ସ୍ଵାବଲମ୍ବୀ ହେବାକୁ ଇଚ୍ଛା କରୁଥିବା ଅନେକ ମଣିଷ ମାନଙ୍କୁ ଦେଖୁଥିଲେ ସେ।ସେ ଚାହୁଁ ନଥିଲେ ଆଉ ଜଣେ କେହି ବି ତାଙ୍କ ଭଳି ଦୁର୍ଦ୍ଦଶା ଭୋଗରୁ।ସେଇ ମାନଙ୍କୁ ସାଙ୍ଗରେ ନେଇ ସେ ଗଢିଲେ “ ସୁଶିକ୍ଷିତ ରୋଜଗାରୀ ସଙ୍ଗଠନ”। ତନ୍ମଧ୍ୟରୁ କିଛି ଲୋକଙ୍କୁ ନେଇ ନିଜର ବୁଟିକ୍ ସହିତ ଶସ୍ତା କାଠର ଗୃହୋପକରଣ ତିଆରି କାରଖାନା ଟିଏ ଖୋଲିଲେ। ଦୁଇଟି ଯାକ କାରଖାନା ଭଲରେ ଚାଲିଲା । ଧୀରେ ଧୀରେ ସେ ଅନ୍ୟ ମାନଙ୍କୁ କାମ ଯୋଗାଇ ଦେବା ପାଇଁ ବ୍ୟାଙ୍କ୍ ସହିତ ଯୋଗାଯୋଗ କରିବା ଆରମ୍ଭ କଲେ ଏବଂ ଅନେକ ବେକାର ଙ୍କୁ ରୋଜଗାର ର ମାଧ୍ୟମ ଯୋଗାଇଦେଲେ। କ୍ରମେ କ୍ରମେ ତାଙ୍କର ସାହାଯ୍ୟ ସହଯୋଗ ର ପ୍ରଶସ୍ତି ଚାରିଆଡେ ବ୍ୟାପିବାରେ ଲାଗିଲା । ସିଏ ଯେ ଜଣେ ପାରିବାରିକ ଲୋକ, ଅନେକେ ଏଇ କଥା ବିଶ୍ୱାସ କରିବାକୁ ଲାଗିଲେ। ନିଜର ଭଲ ମନ୍ଦ, ସୁବିଧା ଅସୁବିଧାରେ ଦୌଡିଲେ କଳ୍ପନା ଙ୍କ ନିକଟକୁ। ସମସ୍ତଙ୍କୁ ନିଜର ସାଧ୍ୟମତେ ସହଯୋଗ କରୁଥିଲେ କଳ୍ପନା । ଲୋକଙ୍କ ଭରସା ବଢୁଥିଲା ତାଙ୍କ ଉପରେ। ଉଣେଇଶହ ଚଉରାଅଶୀ ମସିହା ରେ କିଛି ଲୋକ ତାଙ୍କ ଖବରଦେଲେ ଯେ ଜଣେ ଜମି ମାଲିକ ନିହାତି ଅସୁବିଧା ରେ ପଡି ତାଙ୍କର ଜମି ଖଣ୍ଡିଏ ଶାଗମାଛ ଦରରେ ବିକ୍ରି କରିବେ , ଆପଣ ସେଇଟିକୁ କିଣି ଦେଲେ କାରଖାନା ପାଇଁ ଭଲ ଜମିଟିଏ ମିଳି ଯାଆନ୍ତା। ନିଜର ଜାଗା ଖଣ୍ଡିଏ ହେବ ,ଭାବି ରାଜି ହୋଇଗଲେ କଳ୍ପନା ।
ମାଗି ଯାଚି ଧାର ଉଧାର କରି ଜମି କିଣା ହୋଇଗଲା ହେଲେ ତା’ର ଅଧିକାର ନେବାକୁ ନାକରେ ପାଣି ପିଇବାକୁ ପଡିଥିଲା ତାଙ୍କୁ। କାରଣ ସେଇଟି ଥିଲା ଗୋଟିଏ ବିବାଦିତ ପ୍ଲଟ୍ ଏବଂ ବହୁ ଆଶାୟୀ ଥିଲେ ସେଇ ପ୍ରମୁଖ ସ୍ଥାନରେ ଥିବା ପ୍ଲଟ୍ ଟି ହାତେଇବାର ଲାଗି। ସେମାନଙ୍କ ମଧ୍ୟରେ ଅନେକ ବାହୁବଳୀ ଥିଲେ ।ସେମାନେ ବିଭିନ୍ନ ପ୍ରକାର ଧମକ ଚମକ ଦେଲେ କଳ୍ପନା ଙ୍କୁ ପ୍ଲଟଟି ଛାଡି ଦେବା ପାଇଁ, ହେଲେ ଜୀବନର ସବୁ ପୁଞ୍ଜି ବିନିଯୋଗ କରି ସେଇ ପ୍ଲଟ୍ ଟି କିଣିଥିବା କଳ୍ପନା ମୋଟେ ରାଜି ହେଲେ ନାହିଁ ପ୍ଲଟ୍ ଟି ଛାଡି ଦେବା ପାଇଁ ।ଶେଷରେ ପରିସ୍ଥିତି ଏମିତି ହେଲା ଯେ ସେଇ ବାହୁବଳୀ ମାନେ କଳ୍ପନା ଙ୍କ ନାଆଁ ରେ ସୁପାରି ଦେଇଦେଲେ,ଅର୍ଥାତ୍ ଭଡାଟିଆ ଗୁଣ୍ଡା ଲଗାଇଥିଲେ କଳ୍ପନାଙ୍କୁ ହତ୍ୟା କରିବା ପାଇଁ । କଳ୍ପନାଙ୍କ ଶୁଭାକାଂକ୍ଷୀ ମାନେ ଉପଦେଶ ଦେଲେ “ ଛାଡି ଦିଅ ସେ ଜମି ,ପ୍ରାଣ ନେଇ ଗାଆଁ କୁ ଫେରିଯାଅ, ନହେଲେ ମରିବ ତାଙ୍କ ହାତରେ” । ମରଣ କୁ ବହୁତ ପାଖକୁ ଦେଖିଥିବା କଳ୍ପନା ଙ୍କୁ ମୃତ୍ୟୁ ର ଭୟ ନଥିଲା। ନିଜ ପରିବାରକୁ ଭଲ ଜୀବନଟିଏ ଦେବା ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା, ସେ ଭାବିଲେ “ ମୃତ୍ୟୁ କୁ ଡରିଲେ ତାଙ୍କୁ ଗାଆଁ କୁ ଫେରିଯିବାକୁ ପଡିବ , ସେଠାରେ ମଧ୍ୟ ଜୀବନ ମୃତ୍ୟୁ ସହିତ ସମାନ ହେବ , ତେଣୁ ଏଇଠି ଲଢିକି ମରିବି ପଛେ ଡରିବି ନାହିଁ “। ସେଇ ଜିଦ୍ ରେ ଅଟଳ ରହି ସେ ସିଧା ଯାଇ ଭେଟିଲେ ସେଠାର ପୋଲିସ୍ କମିଶନର୍ ଙ୍କୁ। କମିଶନର୍ ମହୋଦୟ ଜଣେ ବିଚାରବନ୍ତ ବ୍ୟକ୍ତି ଥିଲେ, ସେ କଳ୍ପନାଙ୍କର ସବୁ କଥା ଶୁଣି ତାଙ୍କର ସୁରକ୍ଷା ପାଇଁ ଦୁଇ ଜଣ ସବ୍ଇନିସ୍ପେକ୍ଟର ଯୋଗାଇ ଦେବେ ବୋଲି କହିଲେ। କିନ୍ତୁ କଳ୍ପନା କହିଲେ “ ସାର୍ ଯଦି ମୋତେ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତ, ମୋତେ ବନ୍ଧୁକ ଟିଏ ରଖିବାକୁ ଲାଇସେନ୍ସ୍ ଦିଅନ୍ତୁ, ମୋ’ ହାତରେ ବନ୍ଧୁକ ଆଉ ତା’ ଭିତରେ ଛଅଟି ଗୁଳି ଥିବା ଯାଏଁ ଏମିତି କୋଉ ମାଆର ପୁଅ ନାହିଁ ଯେ ମୋ’ ଦେହରେ ହାତ ଦେଇ ପାରିବ “। ସାଧାରଣ ମହିଳା ଟିଏ ମୁହଁ ରୁ ଏଇ କଥା ଶୁଣି ଚକିତ ହୋଇଥିଲେ ପୋଲିସ୍ କମିଶନର୍ ଏବଂ ତାଙ୍କର ଦୃଢ ଆତ୍ମଵିଶ୍ଵାସ ରେ ପ୍ରୀତ ହୋଇ ତାଙ୍କୁ ସେଇ ଦିନ ହିଁ ବନ୍ଧୁକ ରଖିବାକୁ ଲାଇସେନ୍ସଟିଏ ପ୍ରଦାନ କରିଥିଲେ । ଲଢେଇ ଜାରି ରହିଲା, ଶେଷରେ ଜମି କିଣିବାର ଛଅ ବର୍ଷ ପରେ ଊଣେଇଶହ ନବେ ମସିହାରେ ସେଇ ଜମିର ଅଧିକାର ମିଳିଲା ତାଙ୍କୁ। ସେଇଠୁ ଆରମ୍ଭ ହୋଇଥିଲା କଳ୍ପନାଙ୍କର ରିଏଲ୍ ଇଷ୍ଟେଟ୍ ବିଜିନେସ୍। ଜଣେ ମହିଳା ବିଲଡର୍ ଭାବରେ ପରିଚିତ ହେଲେ କଳ୍ପନା ।
ସଫଳତାର ପାହାଚ ପରେ ପାହାଚ ଉଠି ଚାଲିଲେ କଳ୍ପନା । ସମାଜ ସମ୍ମାନ ଦେଲା ତାଙ୍କୁ, ଅର୍ଥ, ପ୍ରତିପତ୍ତି ସବୁ ମିଳୁଥିଲା ତଥାପି ନିଜର କଠିନ ଅଧ୍ୟବସାୟ ରୁ ବିଚ୍ୟୁତ ହେଉ ନଥିଲେ ସେ। “କର୍ମ ହିଁ ଈଶ୍ବର “ ଏଇ ଧ୍ୟାନ ନେଇ ଆଗେଇ ଚାଲିଥିଲେ । ପୁଣି ଆସିଥିଲା ଜୀବନର ଆଉ ଗୋଟିଏ ମୋଡ । ଯେଉଁଠି ନିଜ ଭଳି ଆହୁରି ଅନେକ ଶ୍ରମିକମାନଙ୍କ ଜୀବନରକ୍ଷା ଲାଗି ଆହରି ଗୋଟିଏ ଲଢେଇ ଲଢିବାକୁ ପଡିଥିଲା କଳ୍ପନାଙ୍କୁ । ରାମ୍ ଜୀ ଭାଇ କମାନୀ ନାମରେ ଜଣେ ବିଶିଷ୍ଟ ଶିଳ୍ପପତିଙ୍କର କୁର୍ଲା ସହରରେ ତିନୋଟି କାରଖାନା ଥିଲା “ କମାନୀ ଟିଉବ୍, କମାନୀ ଇଞିନିୟରିଂ ଏବଂ କମାନୀ ମେଟାଲ୍ସ” । ସ୍ୱାଧୀନତା ପରବର୍ତ୍ତୀ ସମୟର ରାମ୍ ଜୀ ଭାଇ ଥିଲେ ନେହେରୁ ଏବଂ ଗାନ୍ଧୀଜୀ ଙ୍କର ଜଣେ ବଡ ଭକ୍ତ। କମ୍ପାନୀରେ କାମ କରୁଥିବା ଶ୍ରମିକମାନଙ୍କ ପ୍ରତି ସେ ଥିଲେ ଅତ୍ୟନ୍ତ ସମ୍ବେଦନଶୀଳ। ସେମାନଙ୍କ ସାହାଯ୍ୟ ସହଯୋଗରେ ଖୁବ୍ ଭଲରେ ଚାଲିଥିଲା ତାଙ୍କର ତିନୋଟି ଯାକ କାରଖାନା । ଊଣେଇଶହ ସତାଅଶି ମସିହା ରେ ରାମ୍ ଜୀ ଭାଇ କମାନୀ ଙ୍କ ମୃତ୍ୟୁ ପରେ ତାଙ୍କ ସନ୍ତାନ ମାନଙ୍କ ମଧ୍ୟରେ ମତାନ୍ତର ହେଲା । ସେଇମାନଙ୍କ ହାତରେ ଛାଡି ଦେଇଥିଲେ ସେ କମ୍ପାନୀ ର ପରିଚାଳନାର ଦାୟିତ୍ଵ । କୌଣସି କାରଣରୁ କମ୍ପାନୀ ଗୁଡିକ କ୍ଷତିଗ୍ରସ୍ତ ହେବାକୁ ଲାଗିଲା। ବ୍ୟାଙ୍କୠଣ ଶୁଝିବାକୁ ଅସମର୍ଥ ହେଲା। ଫଳରେ ଦେବାଳିଆ ଘୋଷଣା କରି “କମାନୀ ଇଞିନିୟରିଂ” ଏବଂ “କମାନୀ ମେଟାଲ୍ “ଦୁଇଟି ଯାକ କାରଖାନା କୁ ବ୍ୟାଙ୍କ୍ ନିଲାମ କରି ଦେଲା । ଶ୍ରମିକମାନଙ୍କ ଦାନାପାଣି ବୁଡି ଗଲା । ଭୋକ ଉପାସରେ ସଢିଲେ ଛତିଶି ହଜାର ଶ୍ରମିକମାନଙ୍କ ପରିବାର । ବାକୀ ରହିଥିଲା “ କମାନୀ ଟିଉବ୍ସ” ଯାହାକୁ ଶ୍ରମିକ ମାନେ ବଞ୍ଚାଇ ରଖିବାକୁ କୋର୍ଟରେ କେଶ୍ କଲେ । କେଶ୍ ଚାଲିଲା ବହୁତ ଦିନ ଯାଏଁ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ।
ସୁପ୍ରିମକୋର୍ଟଙ୍କ ଶେଷ ଆଦେଶ ଅନୁଯାୟୀ ଶ୍ରମିକମାନଙ୍କ ହାତରେ ଦିଆଗଲା କମ୍ପାନୀ ପରିଚାଳନାର ଦାୟିତ୍ଵ, ଋଣ ଶୁଝିବା ଲାଗି କିଛିଦିନ ମହଲତ ମଧ୍ୟ ଦେଇଥିଲେ । ସେତକ ମଧ୍ୟ ନିଜର ପରିଚାଳନାଗତ ଅସାମର୍ଥ୍ୟ ଯୋଗୁଁ ଫଯସରଫାଟି ାଉଥିଲା । କମ୍ପାନୀ କୁ ରକ୍ଷା କରିବା ପାଇଁ ସେମାନେ ଶରଣାଗତ ହେଲେ କଳ୍ପନା ଙ୍କ ପାଖରେ । ସେମାନଙ୍କର ଦୃଢ ବିଶ୍ୱାସ ଥିଲା ଯେ ଏକମାତ୍ର କଳ୍ପନା ହିଁ ସେମାନଙ୍କର ଏଇ ଘୋର ବିପତ୍ତି ସମୟରେ ତ୍ରାଣକର୍ତ୍ତା ହୋଇ ଉଦ୍ଧାର କରି ପାରିବେ କମ୍ପାନୀ କୁ। ଶ୍ରମିକମାନଙ୍କ ଅନୁରୋଧ ରକ୍ଷାକରି ପ୍ରଥମେ କଳ୍ପନା କିଛି ସମୟ ନେଲେ କମ୍ପାନୀର ଇତିହାସକୁ ପୁଙ୍ଖାନୁପୁଙ୍ଖ ଇହରେ ଜାଣିବା ପାଇଁ। ତା’ପରେ ପ୍ରେସିଡ଼େଣ୍ଟ୍ ପଦ ଅଧିଗ୍ରହଣ କରି କମାନୀ ଟିଉବ୍ କମ୍ପାନୀକୁ ପୁନରୁଦ୍ଧାର କରିବାର ଦାୟିତ୍ବ ନେଲେ । ଦିନରାତି ଏକାକାର କରି ସେ ତନ୍ନ ତନ୍ନ କରି ସମୀକ୍ଷା କଲେ କମ୍ପାନୀର ଅତୀତ ଆଉ ବର୍ତ୍ତମାନ ସ୍ଥିତିକୁ। କମ୍ପାନୀର ଅର୍ଥନୈତିକ ଉପଦେଷ୍ଟା ଥିଲା ଆଇ ଡି ବି ଆଇ ବ୍ୟାଙ୍କ୍ । କମ୍ପାନୀ ଉପରେ ବିଭିନ୍ନ ବ୍ୟାଙ୍କର ବକେୟା ଦେୟ ଥିଲା ଏକ ଶତ ଷୋହଳ କୋଟି ଟଙ୍କା । ସେଇ ବକେୟା ଦେୟ ବାବଦରେ ଅନୁସନ୍ଧାନ କରିବାକୁ ସେ ବ୍ୟାଙ୍କ୍ ରୁ ବ୍ୟାଙ୍କ୍ ଘୁରିବୁଲିଲେ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ର ବିଭିନ୍ନ ନୀତି ନିୟମ ମାନ ତର୍ଜମା କଲେ । ଆଶାର କିରଣଟିଏ ଉଙ୍କି ମାରିଲା ତାଙ୍କ ମନ ଭିତରେ । ଇଆଡେ ସିଆଡେ ବୁଲାବୁଲି ନକରି ସେ ସିଧା ସଳଖ ଯୋଗାଯୋଗ କଲେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ରେ । ତହିଁରେ ବ୍ୟାଙ୍କିଂ ଡିଭିଜନର ଦାୟିତ୍ଵ ରେ ଥିବା ପ୍ରମୁଖ ସଚିବ ଙ୍କ ସହିତ ଯୋଗାଯୋଗ କରି “ କମାନୀ ଟିଉବସ୍” କମ୍ପାନୀ ବାବଦରେ ସବିଶେଷ ଆଲୋଚନା କଲେ ଏବଂ କମ୍ପାନୀର ମୂଳ ଦେୟ ଉପରେ ପୁନଃପୌନିକ ସୁଧ ତଥା ଅତିରିକ୍ତ ପେନାଲିଟି ଗୁଡିକ ତନଖି କରି ସେଗୁଡିକୁ ମାଫ୍ କରିବା ଲାଗି ଅନୁରୋଧ ପ୍ରସ୍ତାବ ଟିଏ ଦେଲେ। କଳ୍ପନାଙ୍କର ବଳିଷ୍ଠ ତାତ୍ପର୍ଯ୍ୟପୂର୍ଣ୍ଣି ବିଶ୍ଳେଷଣ ଏବଂ କମ୍ପାନୀ ର ଶ୍ରମିକ ମାନଙ୍କ ପାଇଁ ଥିବା ସଦଭାବନା ଦେଖି ଖୁବ୍ ପ୍ରଭାବିତ ହୋଇଥିଲେ ପ୍ରମୁଖ ସଚିବ । ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେ ଏଇ ବିଷୟରେ ଅବଗତ କରାଇଥିଲେ ଏବଂ ବୋର୍ଡ ର ସମସ୍ତଙ୍କ ଅନୁମୋଦନ କ୍ରମେ କମ୍ପାନୀ ର ମୂଳ ଋଣ ଟଙ୍କା ଉପରେ ଅତିରିକ୍ତ ସୁଧ ତ ଛାଡ ହୋଇଥିଲା , ମୂଳ ଋଣର ମଧ୍ୟ ଏକ ଚତୁର୍ଥାଂଶ ମାଫ୍ କରି ଦେଇଥିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ । ଦୁଇ ହଜାର ସାତ ମସିହାରେ “କମାନୀ ଟିଉବ୍ ” ର ଚେୟାରମ୍ୟାନ୍ ଭାବେ ଦାୟିତ୍ଵ ନେଲେ କଳ୍ପନା । ସୁପ୍ରିମକୋର୍ଟଙ୍କ ଆଦେଶରେ କମ୍ପାନୀକୁ ମହଲତ ମିଳିଥିଲା ସାତ ବର୍ଷ ଅବଧି ମଧ୍ୟରେ ସେଇ କ୍ଷତିକୁ ଭରଣା କରିବା ଲାଗି। କଳ୍ପନାଙ୍କର ବିଚକ୍ଷଣ ବୁଦ୍ଧିମତ୍ତା ଏବଂ ବିଜ୍ଞ ସୁପରିଚାଳନାରେ “କମାନୀ ଟିଉବ୍ସ” ଦୁଇ ହଜାର ଏଗାର ମସିହାରେ ମାତ୍ର ତିନୋଟି ବର୍ଷ ପରେ ଖାଲି ସେଇ କ୍ଷତି କୁ ଭରଣା କରି ଦେଇନଥିଲା ବରଂ ପର ବର୍ଷ କମ୍ପାନୀ ପାଇଁ ଲାଭ କରିଥିଲା ଆଠକୋଟି ଟଙ୍କା ।
ସାରା ବିଶ୍ବ ସ୍ତବ୍ଧ ହୋଇ ଯାଇଥିଲା ସେ ସମୟରେ କଳ୍ପନା ଙ୍କର ସେଇ ଯାଦୁଗରୀ ଉଦ୍ୟୋଗ ପରିଚାଳନା ଦେଖି। ଗୋଟିଏ ମୃତପ୍ରାୟ ଶିଳ୍ପଦ୍ୟୋଗ କୁ ଜୀବନ୍ୟାସ ଦେଇଥିଲେ ଜଣେ ସାଧାରଣ ମହିଳା। ସାରା ବିଶ୍ବ ର ଶିଳ୍ପୋଦ୍ୟୋଗୀ ମାନେ ଚାହିଁ ବସିଥିଲେ ସେଇ ମହୀୟସୀ ମହିଳାଙ୍କ ମୁହଁ ରୁ ତାଙ୍କ ସଫଳତାର କାହାଣୀ ଶୁଣି ସେଥିରୁ ଶିକ୍ଷାଲାଭ କରିବା ପାଇଁ । ସେଇ ଯାଦୁଗରୀ ଦେଖି ଭାରତ ସରକାର ତାଙ୍କୁ ପୁରସ୍କୃତ କରିଥିଲେ ପଦ୍ମଶ୍ରୀ ସମ୍ମାନ ରେ ଉଦ୍ୟୋଗ ପରିଚାଳନାରେ ଶ୍ରେଷ୍ଠତା ଲାଗି । ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀଙ୍କ ହାତରୁ ସମ୍ମାନ ନେଲାବେଳେ ସେ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ଏବଂ ବୟାନ କରିଥିଲେ ନିଜର ଅତୀତ ଆଉ ଜୀବନ ସଂଗ୍ରାମ ର କାହାଣୀ । ସାରା ବିଶ୍ବ ସ୍ତବ୍ଧ ହୋଇ ଯାଇଥିଲା ସେ କାହାଣୀ ଶୁଣି। ସେ ଘୁରି ବୁଝିଥିଲେ ସାରା ବିଶ୍ବ ର ମହାଦେଶ ମାନଙ୍କରେ ଅତିଥି ହୋଇ ଆଉ ଶୁଣାଇଥିଲେ ତାଙ୍କର କଠୋର ଅଧ୍ୟବସାୟ ର ବିଜୟ ଗାଥା। ଦୁଇ ହଜାର ଊଣେଇଶି ମସିହାରେ ପୁନଶ୍ଚ ବିଶ୍ୱ ମହିଳା ଦିବସରେ ସମ୍ମାନିତ ହୋଇଥିଲେ ଦେଶର ରାଷ୍ଟ୍ରପତିଙ୍କ ଦ୍ଵାରା “ ନାରୀଶକ୍ତି “ ସମ୍ମାନରେ। ଏ ଯାବତ୍ ଦେଶ ବିଦେଶରେ ସେ ଅନେକ ସମ୍ମାନର ଅଧିକାରିଣୀ କିନ୍ତୁ ପ୍ରତ୍ୟେକ ଥର ସମ୍ମାନିତ ହେଲା ବେଳେ ସେ ଦୋହରାଇଥାଆନ୍ତି ତାଙ୍କର ଅତୀତକୁ ଅନ୍ୟମାନଙ୍କୁ ପ୍ରେରଣା ଦେବା ଲାଗି ।
ତାଙ୍କ ଭାଷାରେ “ ମତେ ଦେଖ ! ଦଳିତ ସମ୍ପ୍ରଦାୟର ଯେଉଁ ସ୍ୱଳ୍ପ ଶିକ୍ଷିତା ନିର୍ଯ୍ଯାତିତା ବାଲ୍ୟବଧୁଟି ଦିନେ ପେଟ ପୁରା ଖାଇବାକୁ ପାଉ ନଥିଲା ସିଏ ଆଜି ଦୁଇଶହ ଏଗାର ଅୟୁତ ଡଲାର୍ ର ମାଲିକାଣୀ, ଯେଉଁ ଅନାଦୃତା ଝିଅଟିର ଗାଆଁ କୁ ଯାତାୟାତ କରିବା ପାଇଁ ମାତ୍ର ଗୋଟିଏ ରାସ୍ତା ଥିଲା ଆଜି ମୁମ୍ବାଇ ନଗରୀରେ ତା’ରି କମ୍ପାନୀ ନାମରେ ଦୁଇଟି ମୁଖ୍ୟ ସହର” କୁର୍ଲା” ଏବଂ “ୱାଡା ” ରେ ଦୁଇଟି ମୁଖ୍ୟ ସଡକ ନାମିତ ,ଯେଉଁ ଝିଅକୁ ଦିନେ ନିଜ ଗାଆଁ ରେ ସ୍ଥାନ ମିଳୁନଥିଲା ଆଜି ସେ ଦେଶ ବିଦେଶରେ ଅନେକ ବହୁମୂଲ୍ଯ ପ୍ରାସାଦ ର ଅଧିକାରିଣୀ, ତାହା କେବଳ ସମ୍ଭବ ହୋଇ ପାରିଛି ମୋର ଦୃଢ ଇଚ୍ଛା ଶକ୍ତି, କଠୋର ଅଧ୍ୟବସାୟ, ନିର୍ଭୀକ ଆତ୍ମବିଶ୍ବାସ ଏବଂ ସଚ୍ଚୋଟ କର୍ତ୍ତବ୍ୟନିଷ୍ଠା ପାଇଁ” ।
ସତରେ , ନାରୀ ସମାଜ ପାଇଁ ପଦ୍ମଶ୍ରୀ କଳ୍ପନା ସରୋଜ ଏକ ଉଦାହରଣ ପାଲଟିଛନ୍ତି ନିଜର କର୍ତ୍ତବ୍ୟନିଷ୍ଠା ଓ ସତ୍ ସାହସ ପାଇଁ ।
Comments are closed.