Latest Odisha News

ସୂଚ୍ୟଗ୍ରେ ମେଦିନୀ

ସୂଚ୍ୟଗ୍ରେ ମେଦିନୀ

ହୃଷୀକେଶ ମହାରଣା

ରାତି ଆସି ୧୧ ଟା ହେଲାଣି, ଅନିରୁଦ୍ଧ ଏଯାଏଁ କାମରୁ ଫେରିନି । ଘରେ ଏକୁଟିଆ ରତନୀ କଣ କରୁଥିବ କେଜାଣି । ଅନିରୁଦ୍ଧ ନଫେରିବା ଯାଏ ତୁଣ୍ଡରେ ଦାନା ଦିଏ ନାହିଁ । ହାତୁଡି ପିଟିପିଟି ହାତରୁ ପରସ୍ତେ ଚମଡା ଉଠିଗଲାଣି । ସାଇକେଲ ହେଣ୍ଡେଲ ଧରିବାକୁ ବଳ ପାଉନାହିଁ । ତରବର ହୋଇ ପେଡାଲ ମାରିଲା ଅନିରୁଦ୍ଧ ।

ଘରେ ଦୁଆରେ ପହଞ୍ଚି ହାତମୁହଁ ଧୋଇବା ବେଳକୁ ମନେପଡିଲା, ଘରୁ ବାହାରିବା ବେଳେ ରତନୀ କହିଥିଲା ଚାଉଳ କୁଞ୍ଚାଏ ଘରେ ନାହିଁ, ବେଳାବେଳି କାମରୁ ଫେରି ଚାଉଳ କିଛି ସାଙ୍ଗରେ ଆଣିଥିବ । ଏତେବେଳେ ଆଉ କୋଉ ଦୋକାନୀ କବାଟ ମେଲେଇ ଚାହିଁଥିବ ଚାଉଳ ବିକିବାକୁ ଯେ । ଛାଡ, ଦେଖିବା କଣ ହେଉଛି । ଅନିରୁଦ୍ଧ ଧୈର୍ଯ୍ୟ ଧରି ଘର ଭିତରେ ପଶିଲା । ରତନୀ ପଡିଶାଘରୁ ଚାଉଳ କିଛି ଉଧାର ଆଣି ରନ୍ଧାବଢ଼ା ସାରିଦେଇଥିଲା । ରତନୀ ଜାଣେ ଅନିରୁଦ୍ଧ ସବୁଦିନେ ଏମିତି । କାମ କରୁଥିଲା ବେଳେ ସ୍ତ୍ରୀ ପିଲାଙ୍କୁ ଭୁଲିଯାଏ ସେ ।

ରତନୀ ଉଚ୍ଚଶିକ୍ଷିତ ନହେଲେ ବି ମାଟ୍ରିକ ଯାଏ ପଢିଛି । ଅକ୍ଷର ଚିହ୍ନିଜାଣେ । ଗାଁର ଅନ୍ୟ ସ୍ତ୍ରୀଲୋକଙ୍କ ପରି ଆଙ୍ଗୁଠି ଚିହ୍ନ ନଦେଇ କଲମ ଧରି ନିଜ ଦସ୍ତଖତ କରିପାରେ । ସେଇଥିପାଇଁ ଗାଁ ପିଲାଗୁଡାକ ସକାଳ ହେଲେ ତା ଦାଣ୍ଡରେ ଆସି ସପପାରି ବସନ୍ତି । ରତନୀ ଖଡିଧରି ଅ ଆ ଲେଖି ଧରେଇଦିଏ । ପିଲାମାନେ ବସି ମଡଉଥାନ୍ତି । ରତନୀ ଇଆଡ଼େ ଚୁଲି ଫୁଙ୍କୁଥାଏ, ଭାତ ଗାଳୁଥାଏ । ସିଆଡେ ଯାଇ ଆଉ ଦିଟା ଅକ୍ଷର ଲେଖି ଦେଇ ଆସୁଥାଏ । ରତନୀର  କିଛି ନିର୍ଦିଷ୍ଟ ଦରମା ନଥାଏ । ପିଲାମାନେ ନିଜ ଅଭିଭାବକଙ୍କ ସାମର୍ଥ୍ୟ ଅନୁସାରେ ମନ୍ଦିର ହୁଣ୍ଡିରେ ପଇସା ପକେଇଲା ଭଳି ନିଜ ଖୁସିରେ ଯାହା ଦି ପଇସା ଦେଇଯାନ୍ତି । ଇଏ ରତନୀର ଉପୁରି ରୋଜଗାର । ୟା ବାଦେ ରତନୀ ଖବରକାଗଜରେ ଠୁଙ୍ଗା ତିଆରି କରିପାରେ, ଉଲ୍ ଆଣି ସିଉଟର୍ ବୁଣିପାରେ , ବାଡ଼ିରେ ଲଙ୍କା , କାକୁଡି ଲଗେଇ ଦି ପଇସା ହାତପଇଠ କରେ । ହାଟ ସଉଦା ଚଳାଏ । ଅନିରୁଦ୍ଧ ଦିନରାତି କାମକରେ ସିନା ଘରବାଲାକୁ ସବୁଦିନେ ପଇସା ମାଗିବାକୁ ତାକୁ ସଂକୋଚ ଲାଗେ । ପାଞ୍ଚ ସାତ ଦିନରେ ଯାହା କିଛି ପଇସା ଆଣେ ରତନୀ ତାକୁ ଖର୍ଚ୍ଚ ନକରି କାଠ ବାକ୍ସରେ ସଞ୍ଚୟ କରେ । ରତନୀର ଭାରି ଇଚ୍ଛା ନିଜର ଘରଖଣ୍ଡେ କରନ୍ତା । କେତେଦିନ ଆଉ ପରଘରେ ମୁଣ୍ଡଗୁଞ୍ଜି ପଡିରହିଥିବ । ଚାଳଘର ବକଟେ ହଉପଛେ ନିଜର ଥିଲେ ତା ପିଲାମାନେ ସେଇଠି ଭବିଷ୍ୟତ ଗଢିବେ, ମଣିଷହେବେ । ଏଇ ତାର ଇଚ୍ଛା ।

କେତେ ସ୍ୱପ୍ନ ନେଇ ରତନୀ ଶାଶୂଘରକୁ ଆସିଥିଲା । ଶାଶୂ ଶ୍ୱଶୁର ନଣନ୍ଦଙ୍କ ମେଳରେ ଦିନ ପାଣିପରି ବହି ଯାଉଥିଲା । ସେଦିନ ରଜ ସଂକ୍ରାନ୍ତି ହୋଇଥାଏ । ପଡିଶାଘରୁ କେହିଜଣେ ସ୍ତ୍ରୀ ଲୋକ ଆସି ଶାଶୂଙ୍କ ସହ କଥା ହେଉଥାଏ । ରତନୀ ସେତେବେଳେ ନୂଆ ବୋହୂଟିଏ । କବାଟ ପାଖରୁ କଙ୍କଡା ପରି ମୁଣ୍ଡଟି କାଢି ପଦାକୁ ଚାହିଁଥାଏ । ସ୍ତ୍ରୀ ଲୋକଟି ଶାଶୂ ଆଗରେ କହୁଥାଏ – ଜାଣିଛ ଅପା ଅନିରୁଦ୍ଧକୁ ତମେ ସିନା ପୁଅକରି ଆଣିଲ । ତେଣେ ତମ ବିରୁଦ୍ଧରେ ଷଡ଼ଯନ୍ତ୍ର ହେଲାଣି । ତା ବାପା ଜମିସବୁ ସାନପୁଅ ନାଆଁରେ କରିସାରିଲାଣି । ତମେ ମରିଗଲା ପରେ ଅନିରୁଦ୍ଧ ତମ ଜମିବାଡ଼ି ସବୁ ନେଇ ତା ନିଜ ଘରକୁ ଚାଲିଯିବ । ତମ ଝିଅମାନେ ଅଭିଆଡୀ ରହିବେ । ତମ ମୁହଁରେ ନିଆଁ ଦବାକୁ କେହି ନଥିବେ । ତମେ ବୁଢ଼ାବୁଢ଼ୀ ଦିଟା ଶେଷକୁ ଡହଳବିକଳ ହୋଇ ମରିବ।

ଶାଶୂ ଦିନଯାକ ନିରବ ରହି ସେଇ କଥାସବୁ ଭାବିଲେ; ମୁଣ୍ଡ ଭିତରେ ଘାଣ୍ଟି ଚକଟି ହୋଇ କଥାଟା ତା ପରଦିନ ଉଗ୍ର ରୂପ ନେଲା । ଆରମ୍ଭ ହେଲା କଳି ଝଗଡ଼ା । ଶାଶୂଙ୍କ ଯୁକ୍ତି ଥିଲା, ଅନିରୁଦ୍ଧ ଯଦି ତା ପୈତୃକ ସମ୍ପତ୍ତିରୁ ଭାଗ ନପାଏ ତେବେ ପୋଷ୍ୟପୁତ୍ର ଭାବରେ ସମ୍ପତ୍ତିରୁ ବଞ୍ଚିତ ହେବ । ଅନିରୁଦ୍ଧ କିନ୍ତୁ ଜନ୍ମଦାତା ପିତାଙ୍କ ସହ କଳିକରି ସାନଭାଇ ସହ ଭାଗ ବସାଇବାକୁ ଚାହୁଁନଥିଲେ।
ଏଇ ସାମାନ୍ୟ କଳି କ୍ରମେ ତୀବ୍ର ରୂପ ନେଲା ।

ଶେଷରେ ଅନିରୁଦ୍ଧ ଆଉ ରତନୀଙ୍କୁ ସୂଚ୍ୟଗ୍ରେ ମେଦିନୀ ଦିଆଯିବ ନାହିଁ ବୋଲି ଶାଶୂ ଦୃଢୋକ୍ତି ଘୋଷଣା କଲେ । ଅନିରୁଦ୍ଧ ଏବେ ବେସାହାରା ପାଲଟିଗଲା । ଜନ୍ମକଲା ବାପ ମାଆ ପରଘରକୁ ପୁଅକରି ପଠାଇଛନ୍ତି ତାଙ୍କ ପାଖରେ ଜମି ପାଇଁ କଳିକରିବା ଅସମ୍ଭବ । ଯିଏ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ସେମାନେ ଯେତେବେଳେ ତଡି ଦେଉଛନ୍ତି; ଜୋର୍ ଜବରଦସ୍ତ ରହିବା ସମ୍ଭବ ନୁହେଁ । ଜିଦଖୋର ଅନିରୁଦ୍ଧ ଦୁଇ ପିତାଙ୍କ ସମ୍ପତ୍ତିକୁ ଉପେକ୍ଷା କରି ନିଜ ବଳରେ ନିଜେ ଚଳିବାର ମନୋବୃତ୍ତି ନେଇ ଘର ଛାଡ଼ିଲେ । ରତନୀକୁ ସାଙ୍ଗରେ ଧରି ପାଖ ଗାଆଁରେ ଭଡ଼ା ନେଇ ରହିବାକୁ ଉଚିତ ମଣିଲେ ।

ଭଡାନେଇ ବାହାରେ ରହୁଥିଲେ ବି ଅନିରୁଦ୍ଧ ତା କର୍ତ୍ତବ୍ୟରେ କେବେ ହେଳା କରିନାହିଁ । ଜନ୍ମ କରିନଥିଲେ ବି ପୁଅପରି ପାଳିଛନ୍ତି, ବାହାଘର କରାଇଛନ୍ତି ଯେତେବେଳେ ପୁଅ ହିସାବରେ ସେମାନଙ୍କର ଦାୟିତ୍ଵ ବହନ କରିବା ଅନିରୁଦ୍ଧର କର୍ତ୍ତବ୍ୟ । ସାମାନ୍ୟ ବଚସାରୁ ତୁମୁଳକାଣ୍ଡ ଘଟିଗଲା ସିନା; ତା ବୋଲି ଭଉଣୀମାନଙ୍କ ବାହାଘର ନକଲେ ଲୋକେ କ’ଣ କହିବେ । ଅନିରୁଦ୍ଧ ତା’ର ବାହୁବଳ ଲଗାଇ ଯାହା ରୋଜଗାର କରୁଥିଲା ଭଉଣୀମାନଙ୍କ ବାହାଘରରେ ସବୁ ଖର୍ଚ୍ଚ ହୋଇଗଲା । ରତନୀ ଘରଛାଡି ଆସିବା ଦିନୁ ସୁଖ କ’ଣ ଜାଣେ ନାହିଁ । ଥିଲେ ଖାଏ ନଥିଲେ ଉପାସ ରହେ । ଅନିରୁଦ୍ଧ ସକାଳ ନଅଟାରୁ କାମକୁ ବାହାରିଥାଏ ଫେରିବାର ସମୟ ନିର୍ଦ୍ଦିଷ୍ଟ ନଥାଏ । ରୋଷେଇ ସାରି ରତନୀ ଚାହିଁଥାଏ ଅନିରୁଦ୍ଧର ଫେରିବାବାଟକୁ । ଚାହିଁ ଚାହିଁ ନିଦ ହୋଇଯାଏ । ଅନିରୁଦ୍ଧ ଫେରେ ରାତି ଏଗାରଟା ବାରଟାରେ । ହାତରେ ବାଢିଆଣି ଖାଏ । ସଉପ ପାରି ଶୋଇଯାଏ । ରତନୀର ନିଦ ଭାଙ୍ଗିଲେ ଖାଏ ନଥିଲେ ନାଇଁ ।

ବାହାଘରକୁ ୭ ବର୍ଷ ପୂରିଲାଣି । ବଡପୁଅ ମାଇନର୍ ପଡ଼ିଲାଣି, ସାନଟି ଏବେ ଖଡ଼ି ମଡଉଚି । ବଡ଼ ଭାଇର ସିଲଟ ନେଇ ବଗ, ଢ଼ିଙ୍କି, ମାଛ କେତେ କଣ ଗାରେଇ ପକଉଚି । ରତନୀ ସେଇ ଛୁଆ ଦିଟାଙ୍କ ମୁହଁକୁ ଚାହିଁ ବଞ୍ଚିଛି ସିନା ।

ଅନିରୁଦ୍ଧ ଖାଲି ଖଟିଜାଣେ । ସମାଜ ସହ ତାଳଦେଇ ଚାଲିବା ଶିଖିନି । ଖୁବ୍ ଜିଦଖୋର, ବଦରାଗି । ପିଲାଟିଦିନରୁ ଖଟୁଛି, ପଇସାଟାଏ ସଞ୍ଚୟ ନାହିଁ ।  ଖାଲି ଖଟିଜାଣିଲା ସିନା‌ ଖାଇଜାଣିଲାନି। ଶରୀର ଦିନକୁ ଦିନ କ୍ଷୀଣକଲା । ଏବେ ଟିକିଏ ବେଶୀ ଖଟଣି ପଡ଼ିଲେ ଅଣ୍ଟା ବିନ୍ଧା ହେଉଥାଏ । ରାତି ଯାକ ମଶିଣା ଉପରେ ପଡ଼ି ବୋପାଲୋ ମାଆଲୋ କହି ଗଡୁଥାଏ । ରତନୀର ପ୍ରାଣ ଛଟପଟ ହୁଏ । ସୋରିଷ ତେଲ ଟିକିଏ ଫୁଟେଇ ଘଷି ଦେଉଥାଏ । ମନରେ ରାଗ । ଗରଗର ହୋଇ କହୁଥାଏ – ଯୋଉ ବୋପା ମାଆଙ୍କୁ ସର୍ବସ୍ୱ ଦାନ କରିଦେଇ ଆସିଲ, ତାଙ୍କରି ପାଖକୁ ଯାଅ ଚିତ୍କାର କରିବ । ଆମ ମାଆ ଛୁଆଙ୍କୁ ତ ଦିନେ ହେଲେ ପଚାରିଲନାଇଁ । ଆମକୁ ପରକରି ଭଉଣୀମାନଙ୍କୁ ମୁଣ୍ଡେଇଥିଲ । ଏବେ ଯାଅ ସେଇମାନଙ୍କ ପାଖକୁ । ସେଇ ତମକୁ ପୋଷିବ । ରତନୀ ରାଗରେ ଏସବୁ କହୁଥାଏ ସିନା, ଅନିରୁଦ୍ଧର ଦେହ ମନର ଯନ୍ତ୍ରଣାକୁ ସେ ଭୋଗୁଥାଏ । ଅନୁଭବ କରୁଥାଏ ।

ସେଦିନ ସକାଳୁ ଅନିରୁଦ୍ଧ କାମକୁ ବାହାରିଲା ବେଳକୁ ରତନୀକୁ କହିଗଲା – ଦୂରବାଟ କାମକୁ ଯାଉଛି, ତିନି ଚାରିଦିନରେ ଫେରିଆସିବି। ମୋ ପାଇଁ ଅପେକ୍ଷା କରିବୁନି । ଭିତରୁ କବାଟ କିଳି ଶୋଇପଡିବୁ ।

ରତନୀ ପାଇଁ ଏସବୁ ନୂଆ ନଥିଲା । ଆଗରୁ ଏମିତି ଅନେକ ଥର ଅନିରୁଦ୍ଧ କାମକୁ ଯାଏ । ରତନୀ ଏକାରହେ । ରାତିସାରା ଡର ଲାଗୁଥିଲେ ବି ଛାତିକୁ ପଥର କରି ଶୋଇଥାଏ । ସାନ ପୁଅ ଜନ୍ମ ହେବାକୁ ଥାଏ; ସେତେବେଳେ ଏଇମିତି କାମକୁ ଚାଲିଗଲା ଅନିରୁଦ୍ଧ । ସଂଧ୍ୟା ବେଳକୁ ଗର୍ଭକଷ୍ଟ ଆରମ୍ଭ ହେଲା । ଛାଟିପିଟି ହୋଇ ଗଡିଲା ରତନୀ । ପାଖରେ କେହି ନାହିଁ । ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଫଟୋଟିକୁ ଚାହିଁ ରତନୀ ଶହେଥର ଭୁଇଁରେ ମୁଣ୍ଡ ପିଟୁଥାଏ । କଇଁ କଇଁ ହୋଇ କାନ୍ଦୁଥାଏ । ସ୍ତ୍ରୀ ଲୋକ କେହିଜଣେ ଆସି ତା ପାଖରେ ବସିଲା । ସେବା ସୁଶ୍ରୂସା କଲା । ପୁଅ ଜନ୍ମ ହେଲାପରେ ରତନୀ କୋଳକୁ ବଢେଇଦେଇ ଚାଲିଗଲା । ରତନୀ ଅଚେତ ହୋଇ ପଡିଥାଏ । ଚେତା ଫେରିଲା ବେଳକୁ ରତନୀ ଦେଖିଲା ଭିତରପଟୁ କବାଟ ଦିଆହୋଇଛି । ରତନୀ ବୁଝିପାରିଲାନି ସ୍ତ୍ରୀଲୋକଟି କିଏ ଆଉ ବନ୍ଦ କବାଟ ଭିତରେ ପଶିଲା କେମିତି; ଆଉ କବାଟ ନଖୋଲି ବାହାରିଗଲା କେମିତି । ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଫଟୋ ପାଖରେ ମୁଣ୍ଡିଆମାରି ଛୁଆଟାକୁ ତାଙ୍କରି ଆଶୀର୍ବାଦ ବୋଲି ଭାବି କୋଳକୁନେଲା ।

ଅନିରୁଦ୍ଧ କହିଯାଇଥିଲା ତିନି ଚାରିଦିନରେ ଫେରିଆସିବ ବୋଲି ଛଅଦିନ ହେଲାଣି ଫେରି ନାହିଁ । ମନକୁ ପାପ ଛୁଉଁଚି । ଏକୁଟିଆ ମାଇକିନିଆ ଲୋକଟା କାହାକୁ ଟିକେ ପଚାରି ବୁଝନ୍ତା । କେହି ତ ପାଖରେ ନାହିଁ । ତଥାପି ଧୈର୍ଯ୍ୟ ଧରି ଅପେକ୍ଷା କଲା । ଘରେ ଫୁଟା କଉଡିଟିଏ ନାହିଁ । ଧାର କରଜ କରି ଆଠଦିନ ଚାଲିଗଲା । ଛୁଆ ଦିଟା ଭୋକରେ ଡହଳ ବିକଳ ହେଲେଣି । ରତନୀ ଘରୁ ଦାଣ୍ଡଯାଏଁ ଖାଲି ପଇଁତରା ମାରୁଥାଏ । ହେଲେ ଅନିରୁଦ୍ଧ ଦେଖାନଥାଏ ।

ଦିନ ତିନିଟା ବେଳକୁ ରତନୀର ଘର ଆଗରେ ଗାଡ଼ି ଲାଗିଲା । ସାଇ ଲୋକ ଜମାହୋଇଗଲେ । ଗାଡ଼ି ଭିତରୁ ଦୁଇଜଣ ଲୋକ ଗୋଟିଏ ଷ୍ଟ୍ରେଚରରେ ଶବଟିଏ ଆଣି ରତନୀ ଘର ଆଗରେ ରଖିଦେଇଗଲେ । ରତନୀ କିଛି ବୁଝି ପାରୁନଥାଏ । ପାଖକୁ ଯାଇ ଦେଖିଲା ରକ୍ତ ଜୁଡୁବୁଡୁ ମୁହଁଟା ଠିକ୍ ଅନିରୁଦ୍ଧ ପରି ଦିଶୁଛି । ରତନୀର କୋହ ଫାଟିଗଲା । ଭେଁ ଭେଁ ହେଇ କାନ୍ଦି କାନ୍ଦି ଗଡିଗଲା । ଛୁଆ ଦିଟା କିଛି ବୁଝି ନପାରି ବୋଉ କାନ୍ଦିବାର ଦେଖି ରତନୀଠାରୁ ଆହୁରି ଜୋରରେ କାନ୍ଦିବାକୁ ଲାଗିଲେ ।

ଏତିକିବେଳେ ସେଇ ଗାଡ଼ି ଭିତରୁ ବାହାରିଲା ଅନିରୁଦ୍ଧ । ପିଲାମାନେ ବାପାଙ୍କୁ ଦେଖି କାନ୍ଦ ବନ୍ଦକରି ବାପା ପାଖକୁ ଚାଲିଗଲେ । ଅନିରୁଦ୍ଧର ମୁହଁ କାନ୍ଦକାନ୍ଦ ଦିଶୁଥାଏ ଆଖି ଲୁହରେ ଛଳଛଳ । ରତନୀ ପାଖକୁ ଯାଇ ଠିଆହେଲା ଅନିରୁଦ୍ଧ । ରତନୀ କାବା ହେଇ ଅନେଇଲା । ଆଖିରୁ ଲୁହ ପୋଛିଲା । ପରେ ଜାଣିଲା ମୃତ ଲୋକଟି ଅନିରୁଦ୍ଧ ନୁହେଁ, ତା’ର ସାନଭାଇ । ଗଛ କାଟିବାକୁ ଯାଇଥିବା ବେଳେ ତା ଉପରେ ଗଛ ପଡିଯିବାରୁ ମରିଯାଇଛି । ଅନିରୁଦ୍ଧ କାମରୁ ଫେରି ତାକୁ ନେଇ ଡାକ୍ତରଖାନା ଯାଇଥିଲା । ହେଲେ ଡାକ୍ତର ତାକୁ ବଞ୍ଚେଇ ପାରିଲେନି ।

ରତନୀ ଦେଖିଲା, ଧାର ଧାର ଲୁହ ଗଡ଼ିଯାଉଛି ଅନିରୁଦ୍ଧ ଆଖିରୁ । ଯେଉଁ ଭାଇର ସୁଖ ଦେଖିବାପାଇଁ ଅନିରୁଦ୍ଧ ନିଜ ପୈତୃକ ସଂପତ୍ତିରୁ ଭାଗ ନେବାକୁ ଚାହିଁ ନଥିଲା, ତାର ନିଶ୍ଚଳ ଦେହ ପଡିରହିଥିଲା ତଳେ! ଯେମିତି ସାନଭାଇ ନୁହେଁ, ପୂରାଟା ମେଦିନୀ ମରି ପଡିଛି ଅନିରୁଦ୍ଧ ସାମ୍ନାରେ!

ଅଜାଣତରେ ରତନୀର ଆଖିରୁ ଦୁଇ ଧାର ଲୁହ ଗଡିଆସିଲା ।

Comments are closed.