Latest Odisha News

BREAKING NEWS

“Modi ‘Vishnu avatar’”: ‘ମୋଦିଙ୍କ ପାଦ ଧୋଇ ପିଇବାକୁ ଚାହେଁ ପାଣି…”, ପୋଡକାଷ୍ଟରେ କିଛି ଏମିତି କହିଦେଲେ ଅଭିନେତା, ପଡିଗଲା ଚହଳ…

ନୂଆଦିଲ୍ଲୀ: “ବିଷ୍ଣୁଙ୍କ ଅବତାର ପ୍ରଧାନମନ୍ତ୍ରୀ ମୋଦି”

“ଦେଶ ଚଳାଉଛନ୍ତି ଏହି ପଞ୍ଚୁ ପାଣ୍ଡବ…”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ଅଭିନେତା । କହିଦେଲେ କିଛି ଏମିତି ପଡିଗଲା ଚାରିଆଡେ ଚହଳ…ବଲିଉଡ୍ ଓ ଟେଲିଭିଜନର ବରିଷ୍ଠ ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଥିବା ଏକ ବୟାନକୁ ନେଇ ଏବେ ଇଣ୍ଟରନେଟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ପଡକାଷ୍ଟରେ ସେ ପ୍ରଧାନମନ୍ତ୍ରୀଙ୍କୁ “ବିଷ୍ଣୁଙ୍କ ଅବତାର” ବୋଲି କହିବା ସହ ସୁଯୋଗ ମିଳିଲେ ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହୁଁଥିବା କହିଛନ୍ତି। ଏହି ମନ୍ତବ୍ୟ ପରେ ଅଭିନେତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡିଥିବା ବେଳେ ବିବାଦ ସୃଷ୍ଟି ହୋଇଛି ।

ପୋଡକାଷ୍ଟରେ ସୁଦେଶ କହିଥିଲେ, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେବେ ଭେଟିନାହିଁ, କିନ୍ତୁ ଯଦି କେବେ ମୋଦିଜୀଙ୍କ ସହ ଦେଖା କରିବାର ସୁଯୋଗ ମିଳେ, ମୁଁ ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ। ଯେପରି ଆମେ ଭଗବାନଙ୍କୁ ଦେଖିନାହୁଁ, ତଥାପି ପୂଜା କରୁଛୁ, ସେହିଭଳି ମୁଁ ମୋଦିଜୀଙ୍କୁ ସମ୍ମାନ କରେ”, ବୋଲି ସେ ମତ ରଖିଛନ୍ତି ।

ଖାଲି ସେତିକି ନୁହେଁ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ସହ ତୁଳନା କରିଛନ୍ତି । ସୁଦେଶ ଦାବି କରିଛନ୍ତି,  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ‘ରାମରାଜ୍ୟ’ ସ୍ଥାପିତ ହୋଇଛି। ସେ କହିଛନ୍ତି, କିଛି ଜିନିଷକୁ କେବଳ ଅନୁଭବ କରାଯାଇପାରେ, ବୁଝାଇ ହୁଏନାହିଁ। ମୋ ପାଇଁ ସେ ଭଗବାନ ବିଷ୍ଣୁଙ୍କ ଅବତାର। ପ୍ରଧାନମନ୍ତ୍ରୀ ମୋଦି କୌଣସି ସାଧାରଣ ମଣିଷ ନୁହଁନ୍ତି” ବୋଲି ସେ ଯୁକ୍ତି ବାଢିଛନ୍ତି ।

ଏଥିସହିତ ମୋଦିଙ୍କ ବିରୋଧରେ ହେଉଥିବା ସମାଲୋଚନାର କଡା ଜବାବ ଦେଇ ସେ କହିଛନ୍ତି, “ନରେନ୍ଦ୍ର ମୋଦି ଆପଣଙ୍କର କ’ଣ କ୍ଷତି କରିଛନ୍ତି? ସେ ଚା ବିକ୍ରିରୁ ଆରମ୍ଭ କରି ଭାରତକୁ ସାରା ବିଶ୍ୱରେ ପରିଚିତ କରାଇଛନ୍ତି। କିଛି ଲୋକ ତାଙ୍କ ସଫଳତାକୁ ସହ୍ୟ କରିପାରୁନାହାନ୍ତି”, ବୋଲି ସେ ଦାବି କରିଛନ୍ତି । ଆହୁରି ମଧ୍ୟ ସେ ମହାଭାରତର ପାଣ୍ଡବଙ୍କ ସହ ତୁଳନା କରି କହିଛନ୍ତି ଯେ, ବର୍ତ୍ତମାନ ଭାରତର ମଧ୍ୟ ପାଞ୍ଚ ଜଣ ‘ପାଣ୍ଡବ’ ଅଛନ୍ତି। ସେଥିରେ ପ୍ରଥମ ନାମ ନରେନ୍ଦ୍ର ମୋଦି, ଦ୍ୱିତୀୟ ଅମିତ ଶାହ, ତୃତୀୟ ଅଜିତ ଡୋଭାଲ ଓ ଚତୁର୍ଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୋଲି କହିଛନ୍ତି । ତଥାପି ପଞ୍ଚମ ନାମ ସେ ପରେ କହିବେ ବୋଲି କହିଥିଲେ।

ଅପରପକ୍ଷେ ଯୁବଗୋଷ୍ଠୀଙ୍କ ସଂଗଠନ କକ୍ରୋଚ ଜନତା ପାର୍ଟି(ସିଜେପି)କୁ କଡା ସମାଲୋଚନା କରିଛନ୍ତି ସୁଦେଶ । ସୁଦେଶ ସିଜେପିକୁ କଟାକ୍ଷ କରି କହିଛନ୍ତି, “ମୁଁ ଏଜିପି, ସିଜିପି… କାହାକୁ ଜାଣେନି। ମୁଁ କେବଳ ଏତିକି ଜାଣେ, ସେମାନେ ଦେଶକୁ ପଛକୁ ଟାଣୁଛନ୍ତି। “ଏମାନଙ୍କର କୌଣସି ସ୍ତର କିମ୍ବା ମୂଲ୍ୟ ନାହିଁ। ଦେଶ ପାଇଁ କିଛି କରିବା ବଦଳରେ ବିକାଶକୁ ଅଟକାଉଛନ୍ତି” ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ସୁଦେଶ ବେରୀଙ୍କ ଏହି ମନ୍ତବ୍ୟ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଛି । ଅନେକ ତାଙ୍କୁ ‘ଅନ୍ଧଭକ୍ତ’ ବୋଲି କହିଛନ୍ତି ।

ତେବେ ସୁଦେଶ ବେରୀ ‘ଖତରୋଁ କେ ଖିଲାଡ଼ି’, ଜେ.ପି. ଦତ୍ତଙ୍କ ‘ବର୍ଡର’ ଚଳଚ୍ଚିତ୍ର ଏବଂ ‘ହିଟଲର ଦିଦି’, ‘କଶିଶ’, ‘ଅଗଲେ ଜନମ ମୋହେ ବିଟିୟା ହି କିଜୋ’ ଭଳି ଅନେକ ଟେଲିଭିଜନ ଧାରାବାହିକରେ ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଜାତୀୟ ଓ ସାମାଜିକ ପ୍ରସଙ୍ଗରେ ନିଜ ମତ ରଖିବା ପାଇଁ ମଧ୍ୟ ଜଣାଶୁଣା।

Leave A Reply

Your email address will not be published.