Latest Odisha News

BREAKING NEWS

ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ମାମଲା: ମାଡ଼ମାରି ଗର୍ଭନଷ୍ଟ କରିବା ଅଭିଯୋଗ ଆଣିଲେ ମହିଳା

ରାଉରକେଲା: ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ଜଣେ ମହିଳାଙ୍କ ଗର୍ଭନଷ୍ଟ କରିଦେଇଥିବା ଅଭିଯୋଗରେ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି ।

“ସୁନ୍ଦରଗଡ଼ ସବ୍ ଡ଼ିଭିଜନାଲ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟଙ୍କ (ଏସଡ଼ିଜେଏମ) ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛୁ,” ଏହା କହିଛନ୍ତି ହେମଗିରି ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ।

ଅଦାଲତ ପ୍ରିୟା ଦେ ନାମକ ଜଣେ ମହିଳାଙ୍କ ଏତଲାକୁ ଆଧାର କରି ହେମଗିରି ଥାନା ପୋଲିସ ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଏସପି ସୌମ୍ୟାଙ୍କ ବିରୋଧରେ ଦଫା ୧୬୬, ୧୬୭, ୨୯୪, ୩୧୩, ୩୨୩, ୩୪୧, ୩୪୨, ୪୨୭, ୪୫୭, ୫୦୩, ୫୦୪ ଏବଂ ୫୦୬ରେ ପୋଲିସ ମାମଲା ରୁଜୁ କରିଛି ।

ମିଳିଥିବା ସୂଚନାନୁଯାୟୀ, ଜୁଲାଇ ୪ ତାରିଖ ଦିନ ଶ୍ରୀମତୀ ମିଶ୍ର ହେମଗିରି ଥାନା ଅନ୍ତର୍ଗତ କନିକା ଗ୍ରାମର ପ୍ରିୟା ଦେଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜୁଲାଇ ୩ ତାରିଖ ଦିନ ରାତିରେ କନିକା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ସ୍ଥାନୀୟ ଜନସାଧାରଣ ଥାନାରେ ଜିମା ଦେଇଥିଲେ । ପରେ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ମାତ୍ର ଦୁର୍ଭାଗ୍ୟଜନକ ଭାବେ ସେହି ରାତିରେ ହିଁ ଡ଼ାକ୍ତରାଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଜନସାଧାରଣ ଜୁଲାଇ ୪ରେ ରାସ୍ତା ଅବରୋଧ କରିବା ସହିତ ଥାନା ଉପରେ ଆକ୍ରମଣ କରିଥିଲେ । ଏପରିକି ଥାନାରେ ପଶି ପୋଲିସ କର୍ମଚାରୀମାନଙ୍କୁ ଆକ୍ରମଣ କରିବା ସହିତ ଥାନା ଉପରକୁ ଟେକାପଥର ମାରି ଆସବାବପତ୍ର ସହିତ ଥାନା ଗାଡ଼ିକୁ କ୍ଷତିଗ୍ରସ୍ତ କରିଦେଇଥିଲେ ।

କନିକା ଗ୍ରାମର ବାସିନ୍ଦା ଏହି ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ସେ ଜୁଲାଇ ୫ ତାରିଖରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଅନୁଯାୟୀ, ଏସପି ମିଶ୍ର କନିକା ଗ୍ରାମରେ କିଛି ପୋଲିସ କର୍ମଚାରୀଙ୍କ ସହିତ ବଳ ପୂର୍ବକ ତାଙ୍କ ଘରକୁ ପ୍ରବେଶ କରି ତାଙ୍କ ସ୍ୱାମୀଙ୍କୁ ଖାନତଲାସି କରିଥିଲେ । ତାଙ୍କ ସ୍ୱାମୀଙ୍କୁ ନପାଇ ଠେଲିଦେଇ ତାଙ୍କ ପେଟତଳିକୁ ଆଘାତ କରିଥିଲେ, ଏହାଫଳରେ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା ।

ଏସମ୍ପର୍କରେ ଏସପି ସୌମ୍ୟା ମିଶ୍ରଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.