Latest Odisha News

BREAKING NEWS

ନର୍ସଙ୍କ ଭୁଲ ଧରା ପଡି ନ ଥିଲେ ଗାଭାସ୍କର କ୍ରିକେଟର ବଦଳରେ ମାଛ ଧରୁଥାନ୍ତେ

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ତଥା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ଆଜି ଜନ୍ମଦିନ । ଆସନ୍ତୁ ଜାଣିବା କିପରି ନର୍ସଙ୍କ ଭୁଲ ଯୋଗୁ ଏହି ମହାନ ବ୍ୟାଟ୍ସମ୍ୟାନ କ୍ରିକେଟର ହେବା ବଦଳରେ ମାଛ ଧରୁଥାନ୍ତି । ଗାଭାସ୍କର ତାଙ୍କ ଅଟୋବାୟୋଗ୍ରାଫି ସନୀ ଡେଜରେ ଏହି ରୋଚକ ତଥ୍ୟ ପ୍ରଦାନ କରିଛନ୍ତି । ଗାଭାସ୍କର ଜନ୍ମ ହେବା ବେଳେ ତାଙ୍କ କକା ନାରାୟଣ ମାସୁରକର ତାଙ୍କୁ ଭଲ ଭାବେ ନଜର କରିଥିଲେ । ସେ କୌଣସି କାରଣରୁ ବାହାରକୁ ଯାଇଥିଲେ । ଯେତେବେଳେ ପୂର୍ନବାରେ ଡାକ୍ତରଖାନାକୁ ଫେରିଲେ ନିଜ ପୁତୁରାକୁ ଦେଖି ଚମକିପଡିଲେ । ସେ କହିଲେ ଇଏ ଆମ ପୁଅ ନୁହେଁ । ଡାକ୍ତରଖାନାରେ ହଇଚଇ ସୃଷ୍ଟି ହୋଇଗଲା ।

ଏହା ପରେ ପୂରା ଡାକ୍ତରଖାନା ଖୋଜା ଯାଇଥିଲା । କିଛି ସମୟ ପରେ ଜଣେ ମାଛ ଧରାଳୀଙ୍କ ପତ୍ନୀଙ୍କ ପାଖରେ ଥିବା ସଦ୍ୟଜାତ ଶିଶୁକୁ ସେ ଚିହ୍ନଟ କରିଥିଲେ । ସମସ୍ତେ କହିଥିଲେ, ଆପଣ କିପରି ଦୃଢ଼ତା ସହକାରେ କହୁଛନ୍ତି ଏହି ପୁଅ ଆପଣଙ୍କର ? ନାରାୟଣ କହିଥିଲେ, ମୁଁ ଆମ ପୁଅର କାନ ପାଖରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚିହ୍ନ ଦେଖିଥିଲି । ସେଥିପାଇଁ ଜାଣିପାରିଲି ବୋଲି କହିଛନ୍ତି । ପଛରେ ଜଣା ପଡିଥିଲା ନର୍ସଙ୍କ ଭୁଲ ଯୋଗୁ ଏହା ହୋଇଥିଲା । ସେ ପିଲାମାନଙ୍କୁ ସଫା ସୁତରା କରିବା ପରେ ଅଦଳ ବଦଳ କରି ଦେଇଥିଲେ । ସେ ଯାହା ହେଉ କକା ଯୋଗୁ ଗାଭାସ୍କର ମାଛ ଧରିବା ବଦଳରେ ଜଣେ ମହାନ କ୍ରିକେଟର ହୋଇ ପାରିଥିଲେ ।

୧୯୭୧ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ ୧୬ ବର୍ଷର କ୍ୟାରିୟରରେ ୧୨୫ ଟେଷ୍ଟ ଖେଳି ୧୦,୧୨୨ ରନ ସଂଗ୍ରହ କରିଥିଲେ । ଏଥିରେ ୩୪ ଶତକ ସାମିଲ । ୨୦୦୫ରେ ସଚିନ ତେନ୍ଦୁଲକର ତାଙ୍କର ଏହି ରେକର୍ଡ ଭାଙ୍ଗିଥିଲେ । ଦିନିକିଆରେ ଗାଭାସ୍କର ୧୦୮ ମ୍ୟାଚରେ ଗୋଟିଏ ଶତକ ସହାୟତାରେ ୩୦୯୨ ରନ କରିଥିଲେ । ସେ ୪୭ ଟେଷ୍ଟ ଏବଂ ୩୭ ଦିନିକିଆରେ ଭାରତର ନେତୃତ୍ୱ କରିଥିଲେ ।

Comments are closed.