Latest Odisha News

BREAKING NEWS

ମହାକାଶରୁ କେବେ ଫେରିବେ ସୁନିତା ୱିଲିୟମ୍ସ?

ନୂଆଦିଲ୍ଲୀ: ଭାରତୀୟ ବଂଶଜ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ୍ ୱିଲମୋର ମହାକାଶରେ ଅଟକି ରହିଛନ୍ତି। ଉଭୟ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଏକ ସପ୍ତାହ ବିତାଇବା ପରେ ପୃଥିବୀକୁ ଫେରୁଥିଲେ, ଯେଉଁ ସମୟରେ ସେମାନଙ୍କର ବିମାନ ବୋଇଙ୍ଗ ଷ୍ଟାରଲିନର୍ ତ୍ରୁଟି ଦେଖାଇଥିଲା ଏବଂ ସେମାନେ ମହାକାଶରେ ଅଟକି ଯାଇଥିଲେ। ବୋଇଙ୍ଗ ଷ୍ଟାରଲିନର୍ ତ୍ରୁଟି ଯୋଗୁଁ ସେମାନଙ୍କର ପ୍ରକୃତ ଅବସ୍ଥାନ ଜଣା ପଡୁନାହିଁ।

ସୁନୀତା ୱିଲିୟମ୍ସ ଜୁନ୍ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ମହାକାଶରେ ରହିବା ପରେ ସେ ଚଳିତ ମାସ ୧୪ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ତାଙ୍କ ଫେରିବାରେ ବିଳମ୍ବ ହୋଇଥିଲା। ସେମାନଙ୍କ ଫେରିବାର ନୂଆ ତାରିଖ ବିଷୟରେ ନାସା ଏପର୍ଯ୍ୟନ୍ତ କିଛି କହିନାହିଁ। ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର କେବେ ଫେରିବେ ସେନେଇ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ଦେଇନାହିଁ ।

ସେପଟେ ଷ୍ଟାରଲାଇନରର ଇନ୍ଧନ କ୍ଷମତା ୪୫ ଦିନ ଥିବା ବେଳେ ଏହି ମିଶନ ଆରମ୍ଭରୁ ୨୨ ଦିନ ବିତିଗଲାଣି ଏବଂ ଏବେ ମାତ୍ର ୨୩ ଦିନ ବାକି ଅଛି । ଏହା ଭିତରେ ଯଦି ସେମାନେ ପୃଥିବୀକୁ ନଫେରନ୍ତି ତାହାଲେ ଏହା ତାଙ୍କ ପାଇଁ ବିପଦ ପୂର୍ଣ୍ଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ଉଭୟ ନାସା ଏବଂ ସୁନୀତା ଓ ତାଙ୍କ ସାଥୀ ନିରାପଦ ପ୍ରତ୍ୟାବର୍ତ୍ତନ ଉପରେ କାର୍ଯ୍ୟ କରୁଛନ୍ତି । ମହାକାଶରେ ହୋଇଥିବା ଯାନ୍ତ୍ରିକ ତ୍ରୁଟିକୁ କିପରି ସୁଧାରିବେ ସେନେଇ ଚେଷ୍ଟା ଜାରି ରଖିଥିବା ବେଳେ ଏଥିରେ କୌଣସି ସୁଧାର ଦେଖାଯାଉନଥିବା ସୂଚନା ମିଳୁଛି । ଯାହାପରେ ଏବେ ସୁନିତାଙ୍କ ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଉଭୟ ନାସା ଏବଂ ବୋଇଂ ଆଶ୍ୱାସନା ଦେଇଛନ୍ତି ଯେ ଅଗଷ୍ଟ ଅଧା ପର୍ଯ୍ୟନ୍ତ ଆଇଏସଏସରେ କର୍ମଚାରୀମାନେ ସୁରକ୍ଷିତ ଅଛନ୍ତି । ଷ୍ଟେସନ ଅପରେସନରେ ସାହାଯ୍ୟ କରୁଛି । ଏବେ ଏମାନେ ଫେରିବାର କୌଣସି ନୂଆ ତାରିଖ ନାସା ପକ୍ଷରୁ ପ୍ରକାଶ କରାଯାଇନାହିଁ । କହିରଖୁଛୁ ଯେ, ଷ୍ଟାରଲାଇନର ମହାକାଶଯାନରେ ୫ଟି ହିଲିୟମ ଲିକ୍ ଚିହ୍ନଟ ହେବା ପରେ ଏବଂ ଏହାର ୨୮ଟି ଥ୍ରଷ୍ଟର ମଧ୍ୟରୁ ୫ଟି ସମସ୍ୟାର ସମ୍ମୁଖୀନ ହୋଇଛି । ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଅତି କମରେ ୧୪ଟି ଥ୍ରଷ୍ଟର ର ଆବଶ୍ୟକତା ରହିଛି ।

୨୦୧୯ ପରଠାରୁ ଏହି ଯାନକୁ ୨ ଥର ମହାକାଶକୁ ପଠାଯାଇଥିଲା, ଯେଉଁଥିରେ କୌଣସି ମହାକାଶଚାରୀ ଯାଇ ନ ଥିଲେ। ବର୍ତ୍ତମାନ ଉକ୍ତ ମହାକାଶ ଯାନରେ କିଛି ତ୍ରୁଟି ସାମ୍ନାକୁ ଆସିଥିବାରୁ ତାହାକୁ ଅତିରିକ୍ତ ପରୀକ୍ଷଣ କରାଯାଉଥିବା ସୂଚନା ମିଳିଛି। ଯେଉଁଥିପାଇଁ ସୁନୀତାଙ୍କ ଫେରିବା ମିଶନକୁ ଏବେ ସ୍ଥଗିତ ରଖାଯାଇଛି। ଏବେ ପ୍ରଶ୍ନ ଉଠୁଛି ସୁନୀନା ଏବଂ ୱିଲମୋରଙ୍କୁ ନେଇ ମହାକାଶ ଯାନଟି କେବେ ଫେରିବ ?

Leave A Reply

Your email address will not be published.