Latest Odisha News

BREAKING NEWS

ମହାକାଶରେ ଫସିଛନ୍ତି ସୁନୀତା ୱିଲିୟମସ, ଅଧିକ ଦିନ ରହିଲେ ବିପଦ

ଭୁବନେଶ୍ବର: ମହାକାଶକୁ ଯାତ୍ରା କରିଥିବା ମହାକାଶଚାରୀ ସୁନୀତା ୱିଲିୟମସ ଓ ବ୍ୟାରୀ ୱିଲମୋର ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସରେ ଫସି ରହିଛନ୍ତି । ସେମାନଙ୍କର ପୃଥିବୀକୁ ଫେରିବା ବିଳମ୍ବିତ ହୋଇଛି । ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବା ସହ ୱିଲିୟମସ ଓ ୱିଲମୋରଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ପ୍ରକାଶ ପାଇଛି । ଆଇଏସଏସକୁ ଦୁଇ ମହାକାଶଚାରୀଙ୍କୁ ନେଇ ଯାଇଥିବା ବୋଇଂ ଷ୍ଟାରଲାଇନର୍ ଯାନରେ ଦେଖାଦେଇଛି ବୈଷୟିକ ତ୍ରୁଟି । ତେଣୁ ବିଳମ୍ବିତ ହୋଇଛି ୱିଲିୟମସ ଓ ୱିଲମୋରଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ।

ୱିଲିୟମସ ଓ ୱିଲମୋର ମାତ୍ର ୮ ଦିନିଆ ମିଶନରେ ବାହାରିଥିଲେ । ଜୁନ୍ ୫ ତାରିଖରେ ଦୁଇ ମହାକାଶଚାରୀଙ୍କୁ ଧରି ମହାକାଶ ଅଭିମୁଖେ ଉଡାଣ କରିଥିଲା ମହାକାଶ ଯାନ ବୋଇଂ ଷ୍ଟାରଲାଇନର । ମହାକାଶକୁ ଏହା ଥିଲା ଷ୍ଟାରଲାଇନରର ପ୍ରଥମ ଉଡାଣ । ହିଲିୟମ ଲିକ୍ ଓ ଯାନର ସର୍ଭିସ ମଡ୍ୟୁଲ ଥ୍ରଷ୍ଟରରେ ତ୍ରୁଟି ଦେଖାଯିବାରୁ ୱିଲିୟମସ ଓ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଛି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ସୁନୀତା ୱିଲିୟମସ ଓ ତାଙ୍କ ସାଥୀଙ୍କୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ଭଲ ଖବର ଦେଇଛି ନାସା । ମହାକାଶ ଯାନ ଭଲ ଅବସ୍ଥାରେ ରହିଛି ବୋଲି ସୂଚନା ଦେଇଛି ନାସା । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ବୋଇଂ ଷ୍ଟାରଲାଇନର ରହଣିକୁ ଆଉ ୪୫ ଦିନ ବୃଦ୍ଧି କରାଯିବା ସମ୍ଭାବନା ରହିଛି ।

ମହାକାଶରେ ଅଧିକ ସମୟ ରହିଲେ ବିପଦ  

ଆନ୍ତର୍ଜାତିକ ସ୍ପେସ ଷ୍ଟେସନରେ ସୁନୀତା ୱିଲିୟମସ ଅଛନ୍ତି । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କୁହାଯାଇପାରିବ ନାହିଁ । ମହାକାଶରେ ଆବଶ୍ୟକଠାରୁ ଅଧିକ ସମୟ ରହିଲେ ବିପଦ । କାରଣ ମହାକାଶର ବାତାବରଣ ପୃଥିବୀଠାରୁ ସଂପୂର୍ଣ୍ଣ ଭିନ୍ନ । ମହାକାଶର ମାଇକ୍ରୋଗ୍ରାଭିଟି ଓ ରେଡିଏସନର ବିପଦ ମାନବ ସ୍ୱାସ୍ଥ୍ୟ ପାଇଁ ସୃଷ୍ଟି କରିଥାଏ ବଡ ଆହ୍ୱାନ । ଗୁରୁତ୍ୱାକର୍ଷଣ ନଥିବାରୁ ଶାରୀରିକ ତରଳ ପଦାର୍ଥ ଶରୀରର ଉପର ଅଂଶରେ ପହଂଚିବା ଆରମ୍ଭ କରେ । ଏଥିଯୋଗୁଁ ଶରୀର ଫୁଲିଯିବା ସହ ନାକ ବନ୍ଦ ହୋଇଯାଏ । ଏଥିଯୋଗୁଁ ରକ୍ତ ପରିମାଣ ହ୍ରାସ ପାଇବା ସହ ରକ୍ତଚାପ ଗୋଳମାଳିଆ ହେବା ଆଶଙ୍କା ସୃଷ୍ଟି ହୁଏ ।

ମହାକାଶଚାରୀଙ୍କ ବିଭିନ୍ନ ସମସ୍ୟା

ମହାକାଶରେ ଅଧିକ ଦିନ ରହି ପୃଥିବୀକୁ ଫେରିଲେ ମହାକାଶଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିଛି ସମୟ ଛିଡା ହେଲେ ମୁଣ୍ଡ ବୁଲାଏ ଓ ସେମାନେ ବେହୋସ ହୋଇଯାଆନ୍ତି । ମାଇକ୍ରୋଗ୍ରାଭିଟର ପ୍ରଭାବ ଶରୀରର ମସ୍କୁଲୋସ୍କେଲିଟଲ ସିଷ୍ଟମ ଉପରେ ପଡେ । ଗୁରୁତ୍ୱାକର୍ଷଣ ଅଭାବ ଯୋଗୁଁ ମହାକାଶଚାରୀଙ୍କ ଗୋଡ ଓ ପିଠି ଦୁର୍ବଳ ହୋଇଯାଏ । ମହାକାଶରେ ପୃଥିବୀ ତୁଳନାରେ ମହାକାଶଚାରୀଙ୍କୁ ଅଧିକ ମାତ୍ରାରେ ରେଡିଏସନର ସାମନା କରିବାକୁ ପଡିଥାଏ । ଗାଲେକ୍ଟିକ୍ କସ୍ମିକ ରଶ୍ମୀ ଓ ସୌର କଣ ବିକିରିଣ ଯୋଗୁଁ କ୍ୟାନସର ହେବା ଆଶଙ୍କା ରହେ । ରେଡିଏସନର ସ୍ତରକୁ ମହାକାଶ ଏଜେନସୀଗୁଡିକ ଅତି ସତର୍କତାର ସହ ତଦାରଖ କରନ୍ତି । ଗୁରୁତ୍ୱାକର୍ଷଣ କମ୍ ଯୋଗୁଁ ପ୍ରଭାବିତ ହୋଇଥାଏ ସମ୍ବେଦୀ ଇନପୁଟ୍ । ଏଥିଯୋଗୁଁ ଶରୀରର ଭାରସାମ୍ୟ ଠିକ୍ ରହେ ନାହିଁ ଓ ଆଖି –ହାତ ସମନ୍ୱୟରେ ଅସୁବିଧା ଦେଖାଯାଏ । ଯେଉଁମାନେ ପ୍ରଥମ ଥର ପାଇଁ ମହାକାଶ ଯାଆନ୍ତି, ସେମାନଙ୍କୁ ସ୍ପେସ୍ ମୋଶନ ସିକନେସ୍ ଅନୁଭୂତ ହୋଇଥାଏ ।

Leave A Reply

Your email address will not be published.