Latest Odisha News

BREAKING NEWS

ଗଦର ୨ ପରେ ସନୀଙ୍କ ସହ ଫିଲ୍ମ କରିବା ପାଇଁ ନାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ଏବେ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି । ରିପୋର୍ଟ ମୁତାବକ ସନୀଙ୍କ ସହ କାମ କରିବା ପାଇଁ ନାମୀ ଦାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ ଲାଗିଛି । ୬୫ ବର୍ଷ ବୟସରେ ସନୀ ବଲିଉଡ ଇତିହାସର ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ଭେଟି ଦେଇଛନ୍ତି । ରାଜକୁମାର ସନ୍ତୋଷୀ ଓ ଅମୀର ଖାଁଙ୍କ ପ୍ରଡକ୍ସନ ସନୀଙ୍କ ସହ ଆଲୋଚନା କରିଛନ୍ତି । ସନ୍ତୋଷୀଙ୍କ ସହ ସନୀ ଘାୟଲ, ଘାତକ ଓ ଦାମିନୀ ପରି ସୁପରହିଟ ଫିଲ୍ମ ଦେଇଛନ୍ତି । ସେହିପରି ଆବାସ ମସ୍ତାନ ଏକ ଆକ୍ସନ ଥ୍ରୀଲର ପାଇଁ ସନୀଙ୍କ ସହ ଯୋଗାଯୋଗ କରିଛନ୍ତି । ବାଜୀଗର, ସୋଲଜର ଓ ଖିଲାଡି ପରି ଫିଲ୍ମ କରିଥିବା ଏହି ଯୋଡି ସନୀଙ୍କ କ୍ୟାରିୟରକୁ ନୂତନ ମୋଡ ଦେଇପାରନ୍ତି ବୋଲି ଆଶା କରାଯାଉଛି । ବର୍ଡର ଫେମ ଜେପି ଦତା ମଧ୍ୟ ତାଙ୍କ ଆଗାମୀ ଫିଲ୍ମ ପାଇଁ ସନୀଙ୍କୁ ଭେଟିଛନ୍ତି । ତେବେ ଏହା ବର୍ଡରର ସୀକ୍ୱେଲ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି ।

ଅନୀଲ ଶର୍ମା ମଧ୍ୟ ତାଙ୍କ ପୁତ୍ର ଉତ୍କର୍ଷ ଶର୍ମାଙ୍କ କ୍ୟାରିୟର ପାଇଁ ଗଦର ୩ ଯୋଜନା କରୁଥିବା ଜଣାପଡିଛି । ଏପରିକି ୱାଇଆରଏଫ ଓ ରୋହିତ ଶେଟ୍ଟୀ ମଧ୍ୟ ସନୀଙ୍କ ସହ ଯୋଗାଯୋଗ କରିଛନ୍ତି । ଅବଶ୍ୟ ସନୀ ଗଦର ୨ ପରେ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ସେ ଭାବିଚିନ୍ତି ଫିଲ୍ମ ଚୟନ କରିବା ସପକ୍ଷରେ ରହିଛନ୍ତିି । ତେବେ ପ୍ରଶଂସକମାନେ ଆଗାମୀ ୨/୩ ବର୍ଷ ମଧ୍ୟରେ ସନୀଙ୍କ ବିଗ ବଜେଟ ଫିଲ୍ମ ଦେଖିବା ଏକପ୍ରକାର ନିଶ୍ଚିତ ।

Comments are closed.