ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାହାର କରିନେଇଛନ୍ତି। ୬ ମାସ ହେଲା କେନ୍ଦ୍ର ସରକାର ଏହି ସୁପାରିସ ଉପରେ କୌଣସି ନିଷ୍ପତ୍ତି ନେଇ ନଥିଲେ।
ଏପ୍ରିଲ ୧୯ରେ ପ୍ରଧାନ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଏହି ସୁପାରିସକୁ ପ୍ରତ୍ୟାହାର କରିନେଇଥିଲେ। ଜଷ୍ଟିସ ମୁରଲୀଧର ୨୦୨୩ ଅଗଷ୍ଟ ୭ରେ ଅବସର ନେବାକୁ ଯାଉଥିବା ବେଳେ ତାଙ୍କ ଚାକିରିକୁ ୪ ମାସରୁ କମ୍ ସମୟ ରହିଛି। ତେଣୁ କଲେଜିୟମ ଏହାର ସୁପାରିସକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
୨୦୨୨ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟରୁ ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି କରିବାକୁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ୬ ମାସ ଧରି ଜଷ୍ଟିସ ମୁରଲୀଧରଙ୍କ ବଦଳି ନେଇ କୌଣସି ନିଷ୍ପତ୍ତି ନେଇ ନଥିଲେ। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଅଲ୍ଲୀ ମହମ୍ମଦ ମାଗ୍ନେଙ୍କୁ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।
‘ବାର ଆଣ୍ଡ୍ ବେଞ୍ଚ୍’ର ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ଏସ୍ ମୁରଲୀଧର ୧୯୮୪ରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ୨୦୦୬ରେ ସେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ରେ ନାଜ୍ ଫାଉଣ୍ଡେସନ୍ ମାମଲାରେ ସମଲିଙ୍ଗୀ ସପକ୍ଷରେ ମନ୍ତବ୍ୟ ଦେଇଥିବା ଖଣ୍ଡପୀଠରେ ସେ ସାମିଲ ଥିଲେ। ଏଥିସହ ସେ ହାଶିମପୁରା ନରସଂହାର ମାମଲାରେ ପିଏସି ଯବାନ ଏବଂ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଖଣ୍ଡପୀଠର ଅଧ୍ୟକ୍ଷତା କରିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଜଷ୍ଟିସ୍ ଏସ୍ ମୁରଲିଧରଙ୍କ ବଦଳି ସଂକ୍ରାନ୍ତରେ ଏକ ବୟାନ ଦେଇ କହିଥିଲେ ଯେ ସରକାର କେବଳ ବଦଳି ଆଦେଶ ଜାରି କରନ୍ତି ଏବଂ କଲେଜିୟମ ଦ୍ୱାରା ସୁପାରିସ କରାଯାଏ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହା ଏକ ନିୟମିତ ସ୍ଥାନାନ୍ତର ଏବଂ ଏହାକୁ କୌଣସି ନିର୍ଦ୍ଦିଷ୍ଟ ମାମଲା ସହିତ ଯୋଡିବା ଉଚିତ ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଚାରପତିଙ୍କ ସହମତି ରେକର୍ଡରେ ଅଛି।
Comments are closed.