Latest Odisha News

BREAKING NEWS

ଇଡି-ସିବିଆଇକୁ ଝଟକା: କବିତାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ. କବିତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ଵସ୍ତି ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇ ଏବଂ ଇଡିକୁ ଝଟକା ମିଳିଛି। କେ. କବିତା ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରଙ୍କ ଝିଅ। ମାର୍ଚ୍ଚ ୧୫ରେ ତାଙ୍କୁ ହାଇଦ୍ରାବାଦର ବନଜାରା ହିଲ୍‌ରେ ଥିବା ବାସଭବନରୁ ଇଡି ଗିରଫ କରିଥିଲା। ଏହା ପରେ ସିବିଆଇ ୧୧ ଏପ୍ରିଲରେ ତିହାର ଜେଲରୁ ବିଆରଏସ ନେତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ କବିତା ଅସ୍ୱୀକାର କରିଛନ୍ତି।

ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ସାକ୍ଷ୍ୟ ଗ୍ରହଣ କରାଯାଇଛି ଏବଂ ଚାର୍ଜସିଟ ଦାଖଲ କରାଯାଇଛି। ମନୀଷ ସିସୋଦିଆଙ୍କ ପରେ କେ. କବିତାଙ୍କୁ ମିଳିଲା ଜାମିନ୍। ସୁପ୍ରିମକୋର୍ଟ ବିଆରଏସ୍ ନେତ୍ରୀଙ୍କୁ ସର୍ତ୍ତମୂଳକ ଜମିନ୍ ପ୍ରଦାନ କରିଛନ୍ତି। ୧୦ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍‌ରେ ଏହି ଜାମିନ୍ ମିଳିଛି। ଏହା ସହିତ କେ. କବିତାଙ୍କୁ ନିଜ ପାସପୋର୍ଟ ଅଦାଲତରେ ଦାଖଲ କରିବାକୁ କୁହାଯାଇଛି। ବେଲରେ ରହିବା ବେଳେ କୌଣସି ପ୍ରମାଣ ନଷ୍ଟ ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ୧୮ ମାସ ପରେ ଜେଲରୁ ବାହାରିଥିଲେ ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ୫ମାସ ଜେଲରେ ଅଛନ୍ତି। ସାକ୍ଷୀଙ୍କ ଲମ୍ବା ତାଲିକା ଏବଂ ଅନେକ ଦଲିଲ ଯୋଗୁଁ ନିମ୍ନ ଅଦାଲତରେ ଶୁଣାଣି ସମୟ ଲାଗିବ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ମାମଲାର ସତ୍ୟପାଠକୁ ଯାଉନାହିଁ। ସୂଚନାଯୋଗ୍ୟ, କବିତା ଏବଂ ବିଆରଏସର ଏମଏଲସି ମାର୍ଚ୍ଚ ୧୫ରୁ ପୋଲିସ ହେପାଜତରେ ଅଛନ୍ତି। ଜୁଲାଇ ୧ରେ କବିତାଙ୍କ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।

Comments are closed.